
ପଟ୍ଟାମୁଣ୍ଡାଇ ୨୯/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପତିତ ପାବନ ମନ୍ଦିର ସମେତ “ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ସମାରୋହ ଭକ୍ତି ଓ ଆଡ଼ମ୍ବରର ସହ ପାଳିତ ହୋଇଛି। ଏହି ଅବସରରେ ଦେବଦେବୀଙ୍କୁ ପବିତ୍ର ଜଳ, ପଂଚାମୃତ ଓ ସୁଗନ୍ଧିତ ଦ୍ରବ୍ୟରେ ସ୍ନାନ କରାଯାଇ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇଥିଲା। ମନ୍ଦିରଗୁଡ଼ିକରେ ବିଶେଷ ପୂଜାର୍ଚ୍ଚନା, ଭଜନ, କୀର୍ତନ ଓ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ।
ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ସମସ୍ତ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ପ୍ରକାଶ ଦାଶ, ପୂର୍ବତନ ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ଓ ସମ୍ପାଦକ ନରହରି ଲେଙ୍କା, ଇଂ ତ୍ରିଲୋଚନ ସୂତାର, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଇଂ ତପନ ପାତ୍ର, ବିଜୟ ମହାନ୍ତି, ଇଶ୍ୱର ଲେଙ୍କାଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ତତ୍ୱାବଧାନରେ ପୂଜକମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଲଭଦ୍ର ଓ ମା ସୁଭଦ୍ରାଙ୍କ ପୂଜାର୍ଚନା ନୀତିକ୍ରାନ୍ତି ଯଥାବିଧି ସଂପନ୍ନ କରିଥିଲେ । ସକାଳ ୯.୧୫ ମିନିଟରେ ଠାକୁରଙ୍କ ପହଣ୍ଡି ବିଜେ ୧୦.୩୦ ମିନିଟରେ ୧୦୮ କଳସ ଢାଳ ସୁବାସିତ ଜାଳରେ ମହାସ୍ନାନ ପରେ ଠାକୁରଙ୍କ ନୀତି କରାଯାଇ ଅପରାହ୍ନରେ ହାତୀ ବେଶ କରାଯାଇଥିଲା । ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଓ ରାତି ୯ଟାରେ ପହଣ୍ଡି ବିଜେ ପରେ ଠାକୁର ଅଣସର ଘରକୁ ବିଜେ ହୋଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ମନ୍ଦିର ଦଇତାପତି ସେବକମାନେ ସ୍ନାନପୂର୍ଣ୍ଣିମାର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ଖଡିପାଳ ଗ୍ରାମର ଶ୍ରୀ ଶ୍ରୀ ବାସୁଦେବ ଗୋସାଇଁଙ୍କୁ ସ୍ନାନ ମଣ୍ଡପରେ ପୁଜକମାନେ ନୀତିକ୍ରାନ୍ତି ଯଥାବିଧି ପୂଜାର୍ଚନା ସଂପନ୍ନ କରିଥିଲେ । ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ପ୍ରଭୁ ସୁଦର୍ଶନ ଓ ମା ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ନିଆଯାଇ ସ୍ନାନ କରାଯାଇଥିଲା । ଏହା ପରେ ସମସ୍ତ ଦେବାଦେବୀଙ୍କୁ ଯଥାବିଧି ପୂଜାର୍ଚନା କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଭଜନ ଜଣାଣ ଓ ନାମସଂକ୍ରିତନ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥ ସାମିଲ ହୋଇଥିଲେ । ସେହିପରି ପୋଖରୀଆପଡା ହରପାର୍ବତୀ ମନ୍ଦିରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହାଛଡା ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରସ୍ଥ ଜଗନ୍ନାଥ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସେହିପରି କଷଣଅଂଟା ଲକ୍ଷେଶ୍ୱର ମହାଦେବ ମନ୍ଦିର ଓ ବେଲତଳ ଭୋଳିବାବା ମଠସ୍ଥ ଜଗନ୍ନାଥ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ସମାରୋହରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଯାଇଛି ।ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିଭିନ୍ନ ମନ୍ଦିରରେ ଦେବସ୍ନାନ ପୁର୍ଣିମା ସମାରୋହରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି ।
