
କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଝୁଲଣ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଆଜି ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ପୂଜାପଣ୍ଡାଙ୍କ ଦ୍ୱାରା ଅଳଙ୍କାର ଆଭୂଷଣରେ ସଜ୍ଜିତ କରାଯାଇ ଝୁଲଣ ଗୃହକୁ ବିଜେ କରାଯାଇଥିଲା। ବିଜେ ପରେ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଝୁଲଣଯାତ୍ରା ଦେଖିବାକୁ ଭକ୍ତଙ୍କ ବେଶ୍ ଭିଡ ଜମି ଥିଲା। ଶ୍ରୀଜୀଉଙ୍କ ଏହି ଝୁଲଣଯାତ୍ରା ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ଭଜନ, ଜଣାଣ ଚମ୍ପୁ, ଗୀତ ଗୋବିନ୍ଦ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସେବାୟତ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇଛନ୍ତି।
