କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ୬୭ ବୟସରେ ପରଲୋକ ହୋଇଯାଇଛି। ସେ କିଛି ଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶ୍ରୁକବାର ରାତି ୮ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସର ବରିଷ୍ଠ ନେତା, ବିଜେପି ନେତା ଓ ମନ୍ତ୍ରୀ, ବିଜେଡି ନେତା ପ୍ରମୁଖ ହସପିଟାଲକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ଶର୍ମା ଜଣେ ଲଢୁଆ ତଥା ଟାଣୁଆ ନେତା ଭାବେ ସାରା ଜିଲ୍ଲାରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜନତା ଦଳରେ ପ୍ରଥମେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦେଇ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ। ଏହାପରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆଳି ବିଧାନସଭା କ୍ଷେତ୍ରର ବିଧାୟକ ଭାବେ ନିର୍ବାଚିତ ହୋଇ ନିର୍ବାଚନମଣ୍ଡଳୀର ବହୁବିଧ ବିକାଶ କରିଥିଲେ । ସେ ଦୀର୍ଘ ୧୦ ବର୍ଷଧରି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦଳୀୟ ସଂଗଠନକୁ ସୁଦୃଢ କରିଥିଲେ । ତାଙ୍କ ବିୟୋଗରେ ଜିଲ୍ଲାରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ବିୟୋଗରେ କଂଗ୍ରେସ ଏକ ସଂଗ୍ରାମୀ ନେତାକୁ ହରାଇଲା ବୋଲି ବରିଷ୍ଠ କଂଗ୍ରେସ ନେତୃତ୍ୱମାନେ ଶୋକ ବାର୍ତ୍ତାରେ କହିଛନ୍ତି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ପୂର୍ବତନ ବିଧାୟକ ଡ. ସିପ୍ରା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ପ୍ରଫୁଲ୍ଲ ଦାସ, ଫକୀର ଖଟୁଆ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଅର୍ବାନ ବ୍ୟାଙ୍କ ସଭାପତି ଗୁରୁପ୍ରସାଦ ମହାନ୍ତି ପ୍ରମୁଖ ଶୋକବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ ଶର୍ମା ଜଣେ ସଂଗ୍ରାମୀ ଜନନେତା ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲାର ଅପୂରଣୀୟ କ୍ଷତି ଘଟିଲା।
Discover more from
Subscribe to get the latest posts sent to your email.