
ଭୁବନେଶ୍ୱର ୧୧ା୩- ବିଧାନସଭା ପରିସରରେ ବିରୋଧୀ ବିଜେଡି ବିଧାୟକମାନେ ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକମାନେ ହାତରେ ଲଣ୍ଠନ ଧରି ବିଧାନସଭା କରିଡରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଖୋଜୁଥିବା କହିଥିଲେ । ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ବିଧାନସଭା ପରିସରରେ ଲଣ୍ଠନ ଧରି ଶୋଭାଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ ଓ ଅନ୍ୟାନ୍ୟ ପ୍ରକୋଷ୍ଠ ନିକଟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଥିବା କହିଥିଲେ । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ରାଜ୍ୟ ବିଭାଜନ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଓ ଗୃହରେ ବିଧାୟକମାନଙ୍କୁ ମାଡ଼ ମରାଯାଉଥିବା ଘଟଣାରେ ନିରବ ରହିବାକୁ ନେଇ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଖୋଜାଯାଉଛି ବୋଲି ବିଜେଡି ବିଧାୟକମାନେ ଅଭିଯୋଗ କରିଥିଲେ । ଅବଶ୍ୟ ‘ମୁଖ୍ୟମନ୍ତ୍ରୀ ନିଖୋଜ’ ଦର୍ଶାଇ ଗତ ପ୍ରାୟ ୩ବର୍ଷ ତଳେ ବିଜେପି ବିଧାୟକମାନେ ଅନୁରୂପ ଢଙ୍ଗରେ ପ୍ରତିବାଦ କରିଥିଲେ । ବିଜେପି ସେତେବେଳେ ବିରୋଧୀ ଦଳରେ ଥିବାବେଳେ ବିଜେଡି କ୍ଷମତାରେ ରହିଥିଲା । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଆସୁନଥିବାରୁ ବିଜେପି ବିଧାୟକମାନେ ବିଧାନସଭାରୁ ଶୋଭାଯାତ୍ରାରେ ନବୀନ ନିବାସ ଯାଇଥିଲେ । ସେଠାରେ ବିଜେଡି ବିଧାୟକମାନେ ସେମାନଙ୍କୁ ଲେମ୍ବୁ ପାଣି ଦେଇ ସ୍ୱାଗତ କରିବାର ରୋଚକ ଦୃଶ୍ୟ ରାଜ୍ୟବାସୀ ଦେଖିଥିଲେ ।
Discover more from
Subscribe to get the latest posts sent to your email.