ଓଡ଼ିଶାକୁ ପ୍ରତିଶ୍ରୁତି ଦେଇ ଅନ୍ୟ ରାଜ୍ୟମୁହାଁ ନିବେଶକ; ଅନିୟନ୍ତ୍ରିତ ଆଇନଶୃଙ୍ଖଳା ଓ ପ୍ରଶାସନିକ ଅସମନ୍ୱୟ କାରଣ !

blank
ଭୁବନେଶ୍ୱର: କିଛି ମାସ ପୂର୍ବରୁ ଦେଶ ବିଦେଶର ନିବେଶକମାନଙ୍କ ପାଇଁ ଓଡ଼ିଶା ଥିଲା ପ୍ରଥମ ପସନ୍ଦ। ମାତ୍ର ଓଡ଼ିଶା କ୍ରମଶଃ ନିବେଶକଙ୍କ ଆସ୍ଥା ହରାଉଥିବା ଦେଖିବାକୁ ମିଳୁଛି। ଓଡ଼ିଶାରେ ବିପୁଳ ନିବେଶ ନିମନ୍ତେ ଆଦାନୀ କମ୍ପାନୀ ‘ଉତ୍କର୍ଷ ଓଡ଼ିଶା’ ସମାବେଶରେ ଆଗ୍ରହ ପ୍ରକାଶ କରିଥିବା ସତ୍ୱେ ବର୍ତମାନ ଆସାମ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ମୁହାଁ ହେବା ରାଜ୍ୟର ଶିଳ୍ପ ଭବିଷ୍ୟତକୁ ଅନିଶ୍ଚିତ କରିଛି। ଅନୁରୂପ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଓଡ଼ିଶା ଅପେକ୍ଷା ଆସାମକୁ ନିବେଶ ନିମନ୍ତେ ପ୍ରଥମ ପସନ୍ଦ ମଣିଛନ୍ତି । ନିକଟରେ ଆସାମରେ ଅନୁଷ୍ଠିତ ଶିଳ୍ପ ସମାବେଶରେ ଉଭୟ ଆଦାନୀ ଓ ଅମ୍ବାନୀ କମ୍ପାନୀ ଲକ୍ଷାଧିକ କୋଟି ଟଙ୍କାର ପ୍ରକଳ୍ପ ସ୍ଥାପନ ନିମନ୍ତେ ପ୍ରତିବଦ୍ଧତା ଘୋଷଣା କରିଛନ୍ତି । ରାଜ୍ୟରେ ସରକାର ପରିବର୍ତନ ପରେ ଶିଳ୍ପ ବାତାବରଣକୁ ନେଇ ଏପରି ଅନିଶ୍ଚିତତା ସାଧାରଣରେ କେବଳ ଉଦ୍‌ବେଗ ସୃଷ୍ଟି କରିନାହିଁ, ରାଜ୍ୟର ଶିଳ୍ପ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଆଙ୍କିଛି। ପୂର୍ବ ସରକାରଙ୍କ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକ ସହ ଏମ୍‌ଓୟୁ ହୋଇଥିଲା। ଏହି ସଂସ୍ଥାଗୁଡ଼ିକୁ ଜମି ଆବଂଟନ କରାଯାଇଥିଲା । ପାଂଚ ବର୍ଷ ମଧ୍ୟରେ ଶିଳ୍ପ ସ୍ଥାପନ ପାଇଁ ଆପାତତଃ ନିଷ୍ପତି ହୋଇଥିଲା। ମାତ୍ର ସାମ୍ପ୍ରତିକ ରାଜନୈତିକ ପରିବେଶ, ପ୍ରଶାସନିକ ଅସ୍ଥିରତା, କ୍ରମବର୍ଦ୍ଧିଷ୍ଣୁ ଆଇନଶୃଙ୍ଖଳା ବ୍ୟବସ୍ଥା ଶିଳ୍ପ ସଂସ୍ଥାଗୁଡ଼ିକୁ ଓଡ଼ିଶାରେ ନିବେଶ ନିମନ୍ତେ ନିରୁତ୍ସାହିତ କରୁଥିବା କୁହାଯାଉଛି।
କଟକର ଜଗତପୁରଠାରେ ଜେଏସଡବ୍ଲୁର ପ୍ରସ୍ତାବିତ ଇଭି ପ୍ରକଳ୍ପ ଏବେ ବି ଅନିଶ୍ଚିତାରେ । କିଛିଦିନ ହେଲା ଏହି ପ୍ରକଳ୍ପ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଥିବା ଚର୍ଚ୍ଚା ଲାଗି ରହିଛି। ଆର୍ସେଲର ମିତଲର ପ୍ରସ୍ତାବିତ କେନ୍ଦ୍ରାପଡ଼ା ଇସ୍ପାତ ପ୍ରକଳ୍ପ ମଧ୍ୟ ଦ୍ୱନ୍ଦ୍ୱ ଓ ଅବିଶ୍ୱାସ ଘେରରେ ରହିଛି। ଏହି ଦୁଇ କମ୍ପାନୀ ଓଡ଼ିଶା ଛାଡ଼ିବା ନେଇ ବିଭିନ୍ନ ସମୟରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କେନ୍ଦୁଝରରେ ପୋସ୍କୋ ଓ ଜେଏସ୍‌ଡ଼ବ୍ଲ୍ୟୁ ସହଭାଗିତାରେ ଇସ୍ପାତ କାରଖାନା ଚର୍ଚ୍ଚା ମଧ୍ୟ ଦାନା ଧରୁନାହିଁ। ଯେଉଁ ଅଂଚଳରେ ଇସ୍ପାତ କାରଖାନା ହେବ ବୋଲି କୁହାଯାଉଛି, ସେଠାରେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି। ପୂର୍ବ ସରକାର ସମୟରେ କେନ୍ଦୁଝରରେ ଇସ୍ପାତ ଶିଳ୍ପ ସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବିରୋଧ ନିଆଁ ଲଗାଇଥିବା ଲୋକମାନେ ଏବେ ଶିଳ୍ପ ସପକ୍ଷରେ ମତ ଦେଉଥିବାରୁ ସାଧାରଣରେ ତାହା ଗ୍ରହଣୀୟ ହୋଇ ପାରୁନାହିଁ। ଶିଳ୍ପ ସଂସ୍ଥାଙ୍କ ନିମନ୍ତେ ସୁଗମ ନିବେଶ ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା (ବିଜନେସ୍ ରିଫର୍ମ ଆକ୍ସନ ପ୍ଲାନ) ନିମନ୍ତେ ୨୦୨୨ ମସିହାରେ ଓଡ଼ିଶା ଦେଶରେ ‘ଟପ୍ ଆଚିଭର’ ରାଜ୍ୟ ଭାବରେ ପୁରସ୍କୃତ ହୋଇଥିଲା । ସହଜ ନିବେଶ ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଏକକ ବାତାୟନ ବ୍ୟବସ୍ଥା ପ୍ରଣୟନ ସହ ବିଭିନ୍ନ ବର୍ଗରେ ୯୯ଟି ସଂସ୍କାର ଆଣିଥିଲେ । ୨୦୨୨ର ଏହି ସଫଳତା ନିମନ୍ତେ ୩ ମାସ ତଳେ ରାଜ୍ୟ ସରକାରଙ୍କ ଶିଳ୍ପମନ୍ତ୍ରୀଙ୍କୁ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋଏଲ ପୁରସ୍କୃତ କରିଥିଲେ । ମାତ୍ର ବିଡ଼ମ୍ବନା ହେଉଛି ସରକାର ଗଠନର କେଇମାସ ମଧ୍ୟରେ ୨୦୨୪ରେ ହୋଇଥିବା ମୂଲ୍ୟାୟନରେ ଏକଦା ଶୀର୍ଷସ୍ଥାନ ଅଧିକାର କରିଥିବା ଓଡ଼ିଶା ବିଜନେସ ରିଫର୍ମ ଆକ୍ସନ ପ୍ଲାନରେ ୧୦ମ ସ୍ଥାନକୁ ଖସିଛି। ଜାନୁଆରୀ ମାସରେ ରାଜ୍ୟ ସରକାର ମେକ୍ ଇନ୍‌ ଓଡ଼ିଶା-ଉକ୍ରର୍ଷ ଓଡ଼ିଶା ଆୟୋଜନ କରି ୧୦ ଲକ୍ଷ କୋଟି ଟଙ୍କାର ନିବେଶ ସ୍ୱପ୍ନ ଦେଖୁଥିବାବେଳେ ସଂପ୍ରତି ଏହି ରିପୋର୍ଟ ନିବେଶକମାନଙ୍କୁ ନିରାଶ କରିଛି ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡା ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଓ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

Mon Mar 3 , 2025
କେନ୍ଦ୍ରାପଡ଼ା, ୩ା୩: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ, କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହିଥିବା ଅଧ୍ୟାପକ/ଅଧ୍ୟାପିକାଙ୍କୁ ବଦଳି କରାଯିବା, ବର୍ଷବର୍ଷ ଧରି ଚାଲିଥିବା ବ୍ୟାପକ ହରିଲୁଟ, ଅନିୟମିତତା ଓ ଅରାଜକତା ପ୍ରଭୃତିର ତୁରନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ଦାବିରେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading