ଭାରତ ଭଳି ବୃହତ୍ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରତ୍ୟହ ଘଟୁଥିବା ଘଟଣାବଳୀ, ତଥ୍ୟ ଓ ସମାଚାର ଜନସାଧାରଣଙ୍କ ପାଖରେ ପହଁଚାଇବାରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଗଣମାଧ୍ୟମ ନିରପେକ୍ଷ ଭାବେ ଲୋକଙ୍କ ଆଗରେ ସତ ଘଟଣା ପରିବେଷଣ କରିବା ଅପରିହାର୍ଯ୍ୟ । ନାଗରିକଙ୍କ ଧନଜୀବନର ସୁରକ୍ଷା ଓ ସେମାନଙ୍କ ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ସମ୍ବିଧାନରେ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି। ଗଣମାଧ୍ୟମର ସ୍ୱାଧୀନତା ସମ୍ବିଧାନର ଧାରା ୧୯ (୧) କ- ଅନୁସାରେ ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାରୁ ଉତ୍ପନ୍ନ ହୁଏ। ପ୍ରେସର ପ୍ରକାଶନର ଅଧିକାର, ପ୍ରସାରଣର ଅଧିକାର, ସୂଚନା ଗ୍ରହଣ କରିବାର ଅଧିକାର, ବିଜ୍ଞାପନର ଅଧିକାର, ଭିନ୍ନମତ କରିବାର ଅଧିକାର ଇତ୍ୟାଦି ସମେତ ବିଭିନ୍ନ ଅଧିକାର ଅଛି। ଗଣମାଧ୍ୟମର ସ୍ୱାଧୀନତା ପାଇଁ କୌଣସି ସ୍ୱତନ୍ତ୍ର ସାମ୍ବିଧାନିକ ବ୍ୟବସ୍ଥା ନାହିଁ। ତଥାପି ଯେଭଳି ରାଷ୍ଟ୍ରର ତିନୋଟି ପ୍ରମୁଖ ଅଙ୍ଗ ଯଥା ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକାକୁ ଦେଶର ଶାସନ ବ୍ୟବସ୍ଥା ପାଇଁ ସମ୍ବିଧାନ ଅଗ୍ରାଧ୍ୟାକାର ଦେଇଛି, ସେହିପରି ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ।
ଦେଶରେ ଶାସନ ବ୍ୟବସ୍ଥା କିଭଳି ଆଇନ ଅନୁସାରେ ପରିଚାଳନା ହେବ ଓ ଲୋକମାନଙ୍କ ନିକଟରେ ସୁଶାସନ ଏବଂ ନ୍ୟାୟ ବ୍ୟବସ୍ଥା ସହଜରେ, ବିନା ଖର୍ଚ୍ଚରେ ପହଁଚିପାରିବ, ସେଥିପାଇଁ କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ବ୍ୟତୀତ ଗଣମାଧ୍ୟମ ମଧ୍ୟ ଜାଗ୍ରତ ପ୍ରହରି ପରି କାର୍ଯ୍ୟ କରିଆସୁଛି। ଅନେକ ସମୟରେ ଦେଖାଯାଏ କୌଣସି ନିର୍ଦ୍ଦିଷ୍ଟ ତଥ୍ୟକୁ ନେଇ ଗଣମାଧ୍ୟମ ଖବରକୁ ଅତିରଞ୍ଜିତ କରିଥାନ୍ତି। ତା’ଛଡା ଅନେକ ସମୟରେ ସାମ୍ବାଦିକ ଘଟଣାର ସତ୍ୟତାକୁ ପଛକୁ ଠେଲିଦେଇ ସ୍ୱାର୍ଥାନ୍ୱେଷୀ ହୋଇ ବା କାହାଦ୍ୱାରା ପ୍ରଭାବିତ ହୋଇ କୌଣସି ନିର୍ଦ୍ଦିଷ୍ଟ ଖବରକୁ କଳ୍ପନାବିଳାସୀ ଭାବେ ଗଢିତୋଳି ଲୋକଙ୍କ ପାଖକୁ ଆଣିଥାନ୍ତି। ଏଭଳି ଆଚରଣ ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାର କାର୍ଯ୍ୟକାରିତା ଓ ସଫଳତା ଦିଗରେ ଅନ୍ତରାୟ ସୃଷ୍ଟି କରିବା ସୁନିଶ୍ଚିତ ।
ଅନେକ ସମୟରେ ଦେଖାଯାଏ ଗଣମାଧ୍ୟମ କୌଣସି ତଥ୍ୟକୁ ନେଇ ଏଭଳି ବିଷୋଦ୍ଗାର କରିଥାନ୍ତି, ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତିବିଶେଷ, ଅନୁଷ୍ଠାନ ନ୍ୟାୟ ପାଇବା ଆଶାରେ ଅଦାଲତର ଦ୍ୱାରସ୍ଥ ହୁଅନ୍ତି। ଅନେକ ସମୟରେ ବୈଦ୍ୟୁତିକ ଗଣମାଧ୍ୟମ ସେମାନଙ୍କ ସୀମାରେଖା ବାହାରକୁ ଚାଲିଯାଆନ୍ତି ଓ ଆଇନ ଅଦାଲତ ଭଳି ବିଚାର ପ୍ରକ୍ରିୟା ଆରମ୍ଭ କରି ଅଭିଯୁକ୍ତ ବ୍ୟକ୍ତିବିଶେଷ ବା ଅନୁଷ୍ଠାନକୁ ଜେରା ମଧ୍ୟ କରିଥାନ୍ତି। ଏଭଳି ଆଚରଣ ବୈଦ୍ୟୁତିକ ଗଣମାଧ୍ୟମ ପରିସର ବାହାରେ ଓ ସେମାନଙ୍କୁ ଆଇନ ସେପରି କୌଣସି କ୍ଷମତା ଦେଇନାହିଁ। ଏପରି କି ନିର୍ଦ୍ଦିଷ୍ଟ ଘଟଣା ସମ୍ପର୍କରେ ଟିଭି ଚ୍ୟାନେଲ ତଥ୍ୟ ଓ ସୂଚନା ଅଧିକାର ଆଇନ ବଳରେ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ସେଗୁଡିକ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପ୍ରଦର୍ଶନ କରାଇ ତାଙ୍କର ଅପରାଧ ସମ୍ପର୍କରେ ସଂପୃକ୍ତି ନେଇ ମୁକାବିଲା କରାଇଥାନ୍ତି। ଏପରି କାର୍ଯ୍ୟଧାରା ଯୋଗୁ ଭବିଷ୍ୟତରେ ଅଦାଲତରେ ସଂପୃକ୍ତ ବ୍ୟକ୍ତିର ବିଚାର ପ୍ରକ୍ରିୟା ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହୁଛି।
ଘଟଣାର ସତ୍ୟତାକୁ ଠିକ୍ ଭାବେ ଅନୁଧ୍ୟାନ କରି ଲୋକଙ୍କ ପାଖରେ ପହଁଚାଇବା ଗଣମାଧ୍ୟମର କାମ। ଏଭଳି ସତ୍ୟ ଉପରେ ଆଧାରିତ ତଥ୍ୟ ବା ସମାଚାର ପ୍ରସାରଣ କରାଗଲେ ସରକାର ସଚେତନ ହେବେ। ଟିଭି ଚ୍ୟାନେଲ୍ରେ ଅଭିଯୁକ୍ତ ବ୍ୟକ୍ତିର ସାକ୍ଷାତକାର ନେଉଥିବା ସାମ୍ବାଦିକ ଅନେକ ସମୟରେ ବିଚାରପତିଙ୍କ ଭଳି ସ୍ୱମତ ବା ରାୟ ଦେଇ ସଂପୃକ୍ତ ବ୍ୟକ୍ତି ବିରୋଧରେ ଅତି କଟୁ ମନ୍ତବ୍ୟ ଦେବାକୁ ପଛାଇ ନ ଥାଏ, ଯାହା ଗଣମାଧ୍ୟମର ପରିସର ବାହାରେ।
ଦେଶର ନ୍ୟାୟପାଳିକା ବାରମ୍ବାର ସ୍ପଷ୍ଟ କରିଛନ୍ତି ଯେ, ‘ମିଡିଆ ଟ୍ରାଏଲ୍’ ଅନୁସନ୍ଧାନକାରୀ ଗଣମାଧ୍ୟମର କ୍ଷମତା ଓ ପରିସର ବାହାରେ। ଅନେକ ସମୟରେ ଦେଖାଯାଉଛି, ଗଣମାଧ୍ୟମର ପ୍ରତିନିଧିମାନେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଓ ଆକ୍ରୋଶର ଶିକାର ହେଉଛନ୍ତି। ଏପରି କି କେତେକ ସ୍ଥଳରେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଯୋଗୁ ପ୍ରାଣହାନି ଘଟୁଛି। ଗଣମାଧ୍ୟମ ଉପରେ ହିଂସାତ୍ମକ ଆକ୍ରମଣ ସାଧାରଣତଃ ବିରୋଧୀ ରାଜନୈତିକ ଶକ୍ତି ଓ ସମାଜବିରୋଧୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ବା ପ୍ରରୋଚନାରେ ହୋଇଥାଏ। ଗଣମାଧ୍ୟମର ସୁରକ୍ଷା ଓ ନିରାପତ୍ତା ପାଇଁ ଆଜି ସୁଦ୍ଧା ସେଭଳି କୌଣସି ନିର୍ଦ୍ଦିଷ୍ଟ ଆଇନ ହୋଇନାହିଁ। ମହାରାଷ୍ଟ୍ର ଛଡା କୌଣସି ରାଜ୍ୟ ସରକାର ଏ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ଆଇନ ପ୍ରଣୟନ କରିନାହାନ୍ତି। ତେଣୁ ଆମ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତକ ଦୃଶ୍ୟପଟ୍ଟକୁ ନେଇ ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମର ବାକ୍ସ୍ୱାଧୀନତା ଓ ସୁରକ୍ଷା ପାଇଁ ଜାତୀୟସ୍ତରରେ ଏକ କେନ୍ଦ୍ରୀୟ ଆଇନ ଅପରିହାର୍ଯ୍ୟ।
Discover more from Lokamata Odisha
Subscribe to get the latest posts sent to your email.