ଯାଜପୁର ବରୀ ବ୍ରାହ୍ମଣୀନଦୀରେ ଭାସି ପଟ୍ଟାମୁଣ୍ଡାରୁ ଉଦ୍ଧାର ହେଲେ ବୃଦ୍ଧା

ପଟ୍ଟାମୁଣ୍ଡାଇ ୨୭/୯ ନରେନ୍ଦ୍ର ଧଳା -ପଟ୍ଟାମୁଣ୍ଡାଇ ଅଂଚଳରେ ଦେଖିବାକୁ ମିଳିଛି ମାନବିକତା ଓ ସାହସିକତାର ଏକ ଅନନ୍ୟ ଉଦାହରଣ। ସ୍ଥାନୀୟ ବାଲିପାଟଣା ଗ୍ରାମର ଦୁଇଜଣ ଯୁବକ ଅଭିଜିତ ସାହୁ, ସୁଧୁର ମଲିକ ନିଜ ଜୀବନକୁ ବାଜି ଲଗାଇ ନଦୀର ପ୍ରବଳ ସ୍ରୋତରେ ଭାସି ଯାଉଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ।ନଦୀ ପାଣିର ତୀବ୍ର ବେଗ ଓ ବିପଦକୁ ଖାତିର ନକରି ବିନା ଦ୍ୱିଧାରେ ଭାସି ଯାଉଥିବା ବୃଦ୍ଧାଙ୍କ ପାଖରେ ପହି ତାଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିବାରେ ସଫଳ ହୋଇଥିଲେ। ଉଦ୍ଧାର ପରେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତରଙ୍କ ଚିକିତ୍ସା ଯୋଗୁଁ ବୃଦ୍ଧା ଜଣକ ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ନିଜ ଜୀବନକୁ ବିପନ୍ନ କରି ଜଣେ ଅସହାୟଙ୍କ ଜୀବନ ବଂଚାଇଥିବା ଏହି ଦୁଇ ସାହସୀ ଯୁବକଙ୍କ ନିସ୍ୱାର୍ଥପର ମାନବିକତାକୁ ସମଗ୍ର ସ୍ଥାନୀୟ ଅଂଚଳରେ ଭୂରି ଭୂରି ପ୍ରଶଂସା କରାଯାଉଛି।

ପ୍ରକାଶ ଯେ ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ୭୮ ବର୍ଷୀୟା ବୃଦ୍ଧା କଶି ଦଳେଇ ଶନିବାର ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ଘରନିକଟସ୍ଥ ବ୍ରାହ୍ମଣୀ ନଦୀକୂଳକୁ ଯାଇଥିଲେ। ତେବେ ଅସାବଧାନତା ବଶତଃ ନଦୀକୂଳରେ ତାଙ୍କ ଗୋଡ଼ ଖସିଯାଇଥିଲା। ସେହି ସମୟରେ ବ୍ରାହ୍ମଣୀ ନଦୀରେ ପ୍ରବଳ ଜଳସ୍ରୋତ ଥିବାରୁ ବୃଦ୍ଧା ଜଣକ ନିଜକୁ ସମ୍ଭାଳି ନପାରି ଅଥଳ ଜଳରାଶିରେ ଭାସିଯାଇଥିଲେ। ରାତି ସାରା ଅନ୍ଧାରରେ, ଉଫୁନ୍ତା ନଦୀର ସ୍ରୋତ ମଧ୍ୟରେ ମୃତ୍ୟୁ ସହ ସଂଗ୍ରାମ କରି ସେ ଭାସି ଭାସି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳକୁ ଚାଲିଆସିଥିଲେ। ୮୦ ବର୍ଷର ବୟସରେ ମଧ୍ୟ ହାର୍ ନମାନି ନିଜର ଦୃଢ଼ ସାହସ ଓ ପାଣିରେ ଭାସି ରହିବାର କୌଶଳ ବଳରେ ସେ ନିଜ ଜୀବନ ବଂଚାଇ ରଖିଥିଲେ। ରବିବାର ସକାଳେ ବାଲିପାଟଣା ଗ୍ରାମର ପ୍ରଦୀପ ସାହୁଙ୍କ ପୁଅ ଅଭିଜିତ ସାହୁ, ସୁଧୁର ମଲିକ ଓ ଅନ୍ୟ ସ୍ଥାନୀୟ ଯୁବକମାନେ ନଦୀ ଆଡ଼କୁ ଯାଇଥିବା ସମୟରେ ପଠା ନିକଟରେ ଜଣେ ବୃଦ୍ଧା ଆସହାୟ ଅବସ୍ଥାରେ ଭାସୁଥିବାର ଦେଖିବାକୁ ପାଇଥିଲେ। ପରିସ୍ଥିତିର ଗୁରୁତ୍ୱ ବୁଝି ଦୁଇ ସାହସୀ ଯୁବକ ବିନା ବିଳମ୍ବରେ ନଦୀପାର୍ଶ୍ୱରେ ଥିବା ଏକ ଡଙ୍ଗା ନେଇ ଅଥଳ ଜଳରାଶି ମଧ୍ୟକୁ ବାହାରି ଯାଇଥିଲେ। ସେମାନେ ନିଜ ଜୀବନକୁ ବାଜି ଲଗାଇ ବୃଦ୍ଧାଙ୍କୁ ନଦୀ ମଧ୍ୟରୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିଥିଲେ। ଉଦ୍ଧାର ପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଅଂଚଳର ମହିଳାଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତିି କରାଯାଇଥିଲା। ଡାକ୍ତରୀ ଦଳ ତାଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ସେ ସୁସ୍ଥ ଅଛନ୍ତି । ଅପରପକ୍ଷରେ, ବୃଦ୍ଧା କଶି ରାତିରୁ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ଚିନ୍ତାଗ୍ରସ୍ତ ହୋଇ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହୋଇପଡ଼ିଥିଲେ। ଏହି ବିପଦ ଓ ଉଦ୍ଧାର ଖବର ପୋର୍ଟାଲରେ ପ୍ରକାଶ ପାଇବା ପରେ ବରୀ ଅଂଚଳର ଜଣେ ଅଟୋ ଚାଳକଙ୍କ ନଜରକୁ ଆସିଥିଲା। ସେ ବିନା ବିଳମ୍ବରେ ବାଲିଆ ଗ୍ରାମରେ ପହଁଚିି ବୃଦ୍ଧାଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ଖବର ପାଇ ବୃଦ୍ଧାଙ୍କ ସାନପୁଅ ମଣିନ୍ନାଥ ଦଳେଇ, ବଡ଼ବୋହୂ ଅପୁଜୀ, ସାନବୋହୂ ଜୟନ୍ତୀ, ଜ୍ୱାଇଁ ଲଛମଣ ଓ ନାତୁଣୀ ଶିକନ ପ୍ରମୁଖ ଅପରାହ୍ନରେ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ପହଁଚିଥିଲେ। ମୃତ୍ୟୁ ମୁଖରୁ ଆସିଥିବା ଆପଣାର ମଣିଷକୁ ହସ୍ପିଟାଲ ବେଡ୍ରେ ସୁରକ୍ଷିତ ଦେଖି ପରିବାର ଲୋକଙ୍କ ଆଖିରୁ ଲୁହ ନିଗଡ଼ି ପଡ଼ିଥିଲା ଏବଂ ହସ୍ପିଟାଲ ପରିସରରେ ଏକ ଅତ୍ୟନ୍ତ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ବିପଦ ସମୟରେ ସାହସର ସହ ଉଦ୍ଧାର କରିଥିବା ଦୁଇ ଯୁବକ ଅଭିଜିତ ଓ ସୁଧୁରଙ୍କ ସମେତ ଖବର ଦେଇଥିବା ଅଟୋ ଚାଳକଙ୍କ ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ଉଚ୍ଚ ପ୍ରଶଂସା କରାଯାଉଛି।
