
ପଟ୍ଟାମୁଣ୍ଡାଇ ୫/୧୨ – ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ତଥା ପରିବେଶବିତ୍ ଡାଃ ମନୋରଞ୍ଜନ ଦାଶଙ୍କ ଏକାଦଶତମ କବିତା ସଂକଳନ “ବିଶ୍ୱର ଅସ୍ମିତା କାଳିଆ ଠାକୁର” ଉନ୍ମୋଚିତ ହୋଇଯାଇଛି। ଉକ୍ତ ଉନ୍ମୋଚନ ଉତ୍ସବରେ ପ୍ରାବନ୍ଧିକ ତଥା କଥାକାର ଅଧ୍ୟାପକ ଡ଼ଃ ନୀଳମଣି ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାବର ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ଆମର ସ୍ୱାଭିମାନ ଆମର ଅସ୍ମିତା। ସର୍ବଧର୍ମର ସମନ୍ୱୟ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର । ମାନବବାଦର ଜୟଯାତ୍ରା କାହିଁ କେଉଁ କାଳରୁ ଏଠାରୁ ସୂତ୍ରପାତ ହୋଇଛି । ଭାବପ୍ରବଣ ମଣିଷ ମନର ବେଦନାକୁ ଶୁଣିବା ନିମନ୍ତେ ସେ ସର୍ବଦା ତପିର । ତାଙ୍କ ନିକଟରେ କୌଣସି ସ୍ୱତନ୍ତ୍ର ଭାଷାର ମାଧ୍ୟମ ଆବଶ୍ୟକ ପଡ଼େ ନାହିଁ । ଭକ୍ତ ମର୍ମେ ମର୍ମେ ଅନୁଭବ କରେ ପ୍ରଭୁ ମୋ’ରି କଥାକୁ ହିଁ ମୋ ଭାଷାରେ ଶୁଣୁଛନ୍ତି ଓ ମୋତେ ଭରସା ଦେଉଛନ୍ତି, ସାନ୍ତ୍ୱନା ମଧ୍ୟ ଦେଉଛନ୍ତି । ତେଣୁ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ଚକାନୟନକୁ ଚାହିଁ ଦେଲେ ଆପେ ଆପେ ଭାବ ଓ ଭାଷାର ବିନିମୟ ହୋଇଯାଏ । ତେଣୁ ଶୁକ୍ରବାର କବି ଡାଃ ଦାଶ ତାଙ୍କ ଏକାଦଶତମ କବିତା ସଂକଳନରେ ବିଶ୍ୱର ଅସ୍ମିତା କାଳିଆ ଠାକୁରରେ ସମସ୍ତ ଭାବକୁ ଉଜ୍ଜିବୀତ କରିଛନ୍ତି ।ତାଙ୍କର ଏହି ଭକ୍ତି ରସାତ୍ମକ ଓ ଆବେଗ ପୂର୍ଣ୍ଣ ସଂକଳନ ରଚନା ପାଇଁ ସେ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ କବି ଗୈାରହରି ବିଶ୍ୱାଳ ଯୋଗ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ବିଶ୍ୱର ଆରାଧ୍ୟ ଦେବତା । ବିଭିନ୍ନ ଭାଷାଭାଷୀ ଭକ୍ତ ଯଥା ଶଙ୍କର, ନିମ୍ବାର୍କ, ରାମାନୁଜ ହୁଅନ୍ତୁ କିମ୍ବା କବୀର, ନାନକ, ତୁଳସୀ ଦାସ ହୁଅନ୍ତୁ ,ସେମାନେ ନିଜର ଅଭିବ୍ୟକ୍ତିକୁ ନିଜ ମାତୃଭାଷାରେ ହିଁ କରିଥିଲେ । ସେ ଶବ୍ଦ ବ୍ରହ୍ମ । ପ୍ରତ୍ୟେକ ଭାଷାର ଶବ୍ଦ ସୃଷ୍ଟି ହିଁ ତାଙ୍କର ପ୍ରେରଣାରୁ ହୋଇଛି । ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦକୁ ଯେତିକି ଶ୍ରଦ୍ଧାର ସହିତ ଶୁଣିଛନ୍ତି ସେହିଭଳି ଦୀନକୃଷ୍ଣ ‘ରସକଲ୍ଲୋଳ’ ଓ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ-‘ବିଦଗତ୍ସ ଚିନ୍ତାମଣି’କୁ ମଧ୍ୟ ଭାବର ସହିତ ଶୁଣିଛନ୍ତି । ଓଡ଼ିଆ ମାଟିର ଶ୍ରେଷ୍ଠ କବି ଉପେନ୍ଦ୍ର ତ ଥିଲେ ଜଗନ୍ନାଥଙ୍କର ପ୍ରିୟକବି । ଶ୍ରୀଜଗନ୍ନାଥ ହିଁ ସାରଳା ଦାସଙ୍କୁ ମହାଭାରତ, ଜଗନ୍ନାଥ ଦାସଙ୍କୁ ଭାଗବତ, ବଳରାମ ଦାସଙ୍କୁ ରାମାୟଣ ଓ ଅଚ୍ୟୁତାନନ୍ଦଙ୍କୁ ହରିବଂଶ ଲେଖିବାକୁ ପ୍ରେରଣା ଦେବା ସହିତ କୃପାମଧ୍ୟ ପ୍ରଦାନ କରିଛନ୍ତି, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ମଧ୍ୟ ଶ୍ରୀଜଗନ୍ନାଥଙ୍କ କୃପାରୁ କବି ପଦ ପ୍ରାପ୍ତ ହୋଇଛନ୍ତି । ସେମାନଙ୍କର ଭାଷା ସୃଷ୍ଟିର କ୍ଷମତା ଲେଖନୀ ଶୈଳୀ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରଂପରାରୁ ହିଁ ପ୍ରେରଣା ପାଇ ସମ୍ଭବ ହୋଇଛି । ସେହି ଭଳି କବି ଡାଃ ଦାଶ ଭକ୍ତି ଓ ଭାବପୂର୍ଣ୍ଣ କବିତା ରଚନା ପ୍ରଭୁଙ୍କ କରୁଣାରୁ ହୋଇଥିବାରୁ ସେ ଆମ ଅଂଚଳର ଗର୍ବ ବୋଲି ମତବ୍ୟକ୍ତ କରିଥିଲେ। କବୟିତ୍ରୀ ମିନା କୁମାରୀ ସିଂହ ଓ କବୟିତ୍ରୀ ଗୀତାଞ୍ଜଳି ଦାଶ କବିତା ଗୁଡ଼ିକୁ ସମୀକ୍ଷା କରିଥିଲେ। ଉକ୍ତ ଉତ୍ସବରେ କବୟିତ୍ରୀ ଅନୀତା ନନ୍ଦୀ, ଜ୍ୟୋତିର୍ମୟୀ ନନ୍ଦୀ, ସୁଜିତ ରାଉତ,ବିଶ୍ୱଜିତ୍ ଦାଶ ଓ ବଲ୍ଲଭ ଗୋଛୟତ ପ୍ରମୁଖ ଯୋଗଦେଇ କବିଙ୍କର କବିତାଗୁଡିକୁ ଆବୃତି କରିଥିଲେ । ଅଭିରାମ ରାୟ ସ୍ୱାଗତ ସୂଚନା ଓ ଶ୍ୟାମସୁନ୍ଦର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
