
କେନ୍ଦ୍ରାପଡା ୧୭ା୧୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବଡ ଧରଣର ଡକାୟତି ଯୋଜନାକୁ ରବିବାର ବିଳମ୍ବିତ ରାତିରେ ପଣ୍ଡ କରିଛି । ଏହି ଯୋଜନାରେ ସଂପୃକ୍ତ ଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ପୋଲିସ ଗିରଫ କରିଛି । ଜିଲା କାର୍ଯ୍ୟାଳୟରେ ଏସପି ସିଦ୍ଧାର୍ଥ କାଟାରିଆ ଏସମ୍ପର୍କରେ ସୋମବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି । ଏସପି କାଟାରିଆ କହିଛନ୍ତିଯେ ଡକାୟତି ପାଇଁ ଯୋଜନା କରୁଥିବା ସମ୍ପର୍କରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ପଟ୍ଟାମୁଣ୍ଡାଇ ମୂଳବସନ୍ତର ଏନସି ହାଇସ୍କୁଲ ପଡିଆକୁ ଥାନା ପୋଲିସ ଗତ ମଧ୍ୟରାତିରେ ଚଢ଼ାଉ କରିଥିଲେ । ସେଠାରେ ସଂଜୟ କୁମାର ମଲ୍ଲିକ, କିରଣ ସେଠୀ, ମାନସ କୁମାର ନାୟକ, ରଞ୍ଜିତ ମଲ୍ଲ, ତ୍ରୀଲୋଚନ ସାହୁ, ମେଙ୍କା ମଲ୍ଲିକ, ବଂଟି ମଲ୍ଲିକ, ସୁବ୍ରତ ମଲ୍ଲିକ ଓ ଜେପି ବିଶ୍ୱପ୍ରକାଶ ସିଂହ ମିଶି ଯୋଜନାର ରୂପରେଖ ତିଆରି କରୁଥିଲେ । ଛଢ଼ାଉ ସମୟରେ ଏମାନଙ୍କ ମଧ୍ୟରୁ ୨ ଜଣ ଫେରାର ହୋଇଯାଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଜିବନ୍ତ ଗୁଳି, ୨ଟି ତେଲଙ୍ଗା କାଟା, ୩ଟି ମଟର ସାଇକେଲ, ୭ଟି ମୋବାଇଲ ଫୋନ, ଲଙ୍କା ଗୁଣ୍ଡ ୨ ପକେଟ, ୧୯୨ ଗ୍ରାମର ସୁନା ଗହଣା, ଗୋଟିଏ ଲୁହା ରଡ ଓ ଗୋଟିଏ ଛୁରି ଉଦ୍ଧାର କରାଯାଇ ଜବତ କରାଯାଇଛି । ଥାନା କେସ ନଂ ୩୬୯/ ୨୫ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି ସୂଚନା ଦେଇଥିଲେ । ଏହି ଖବରଦାତା ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା , ଆଦର୍ଶ ଥାନା ଇନସପେକ୍ଟର ବନ୍ଦନା ପାତ୍ର, ରତିରଂଜନ ନାୟକ ଓ ଜିଲା ପୋଲିସ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ ।
