ବେଟେରୀ ଗାଡି କିଣିବାକୁ ଲୋକେ ସକ୍ଷମ ନୁହଁନ୍ତି

ପଟ୍ଟାମୁଣ୍ଡାଇ ୧୪/୫ – ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ କାରଣରୁ ବିଶ୍ୱବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି । ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଥିବା ବେଳେ ଓଡ଼ିଶାର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ତୈଳ ଅଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଏକାଧିକ ପେଟ୍ରୋଲ ପମ୍ପରେ କଟକଣା ଜାରି କାରାଯାଇଛି । ଏଠାରେ ବାଇକ୍ ପିଛା ୨୦୦ଟଙ୍କା ଓ କାର ପିଛା ୫୦୦ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ୍ ଦେବାକୁ ହୋଇଛି । ଟାଙ୍କିରେ ସୀମିତ ପରିମାଣର ପେଟ୍ରୋଲ ଦିଆଯାଉଥିବା ବେଳେ ବାହାର ଦୋକାନରେ ପେଟ୍ରୋଲ ବେଆଇନ ଭାବରେ ଗଚ୍ଛିତ କରି ବିକ୍ରି କରୁଥିବା ଦେଖାଯାଉଛି । ଅପରପକ୍ଷେ ପେଟ୍ରୋଲ ଦର ବୃଦ୍ଧି ଆଶଙ୍କାରେ ମାଲିକମାନେ ପେଟ୍ରୋଲ ଷ୍ଟକ ରଖି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ଇଭି ଗାଡ଼ି ବ୍ୟବହାର କରିବାକୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପରାମର୍ଶ ଦେଇଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି ।
ଜଣେ ଲୋକ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଗାଁ ଗହଳିର ଲୋକେ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି । ଏବଂ ବହୁ କଷ୍ଟରେ ଦିନରାତି ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି । ସେଥିରେ ଘର ଚଳାଇବା ସହ ଯେଉଁ ଅର୍ଥ ସଂଚୟ କରନ୍ତି ଏକ ମଟର ସାଇକେଲ କିଣିବାକୁ ସେମାନେ ପ୍ରାଧାନ୍ୟ ଦିଅନ୍ତି । ଯାହା ସେମାନଙ୍କ ଯାତାୟାତ ପାଇଁ ବହୁତ ଆବଶ୍ୟକ ହୋଇଥାଏ। ମାତ୍ର ଏବେ ସରକାର ଇଭି ଗାଡ଼ି ବ୍ୟବହାର କରିବାକୁ କହୁଛନ୍ତି । ଯାହା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ଜଣେ ରାଜ ମିସ୍ତ୍ରୀ କହିବା ଅନୁଯାଇ ଗାଁ ଗହଳିରେ କୋଠାବାଡି କାମ କରି ଚଳେ । ସେଥିନେଇ ଦୈନିକ ୧୫ରୁ୨୦ କିମି ରାସ୍ତା ଯିବାକୁ ପଡେ । ଏତେ ଖରାରେ ସାଇକେଲ ସବାରୀ କରିବା କଷ୍ଠ ସାଧ୍ୟ ।ସେଥିନେଇ ଗତ କିଛି ମାସ ପୂର୍ବେ କିସ୍ତିରେ ଏକ ମଟର ସାଇକେଲ କିଣିଥିଲି । ଯାହାକୁ ନେଇ ଯିବା ଆସିବାରେ ସୁବିଧା ହେଉଥିବା ବେଳେ ଅନ୍ୟ କାର୍ଯ୍ୟ ମଧ୍ୟ କରିପାରୁଥିଲି । ମାତ୍ର ପେଟ୍ରୋଲ ଦର ବଢିବା ସାଙ୍ଗକୁ ପେଟ୍ରୋଲ ମିଳୁନି । ଗାଁ ଗଣ୍ଡାରେ ଯେଉଁ ଦୋକାନୀ ପେଟ୍ରୋଲ ଦେଉଛନ୍ତି ତାହା ୧୦ରୁ ୧୫ ଟଙ୍କା ଅଧିକା ନେଉଛନ୍ତି । ଅନ୍ୟପକ୍ଷରରେ ସରକାର ବେଟାରୀ ଗାଡି ବ୍ୟବହାର କରିବାକୁ କହୁଛନ୍ତି । ଏକ ଗାଡି କିସ୍ତି ସୁଝି ନଥିବା ବେଳେ ଅନ୍ୟ ଇଭି ଗାଡି କେମିତି କିଣିବି ବୋଲି ସେ ପ୍ରଶ୍ୱ ଉଠାଇଛନ୍ତି ।
ଜଣେ ବେସରକାରୀ କମ୍ପାନି କର୍ମଚାରୀ କୁହନ୍ତି ପ୍ରତି ଦିନ ଘରଠାରୁ ୨୫ କିଲୋମିଟର ଦୂର କେନ୍ଦ୍ରାପଡା ଯିବାକୁ ପଡେ । ଶ୍ୱଳ୍ପ ଦରମାରେ ସେଠାରେ ଘରଭଡା ନେଇ ରହିବା ସମ୍ଭବପର ନୁହେଁ । ଘର ଭଡା ମାସିକ ଯେତିକି ଅର୍ଥ ଲାଗିବ ତାହାର ଅଧାରୁ ଅଧା ଅର୍ଥରେ ଯିବା ଆସିବା ହୋଇଯାଏ । ଓଡ଼ିଶାରେ ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି ବଦଳରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର କରିବାକୁ ପରିବହନ ମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଇନ୍ଧନ ସଂଚୟ ଏବଂ ପରିବେଶ ସୁରକ୍ଷା ପାଇଁ ସେ ଏହି ଆହ୍ୱାନ ଦେଇଛନ୍ତି। ଶ୍ୱଳ୍ପ ଦରମାରେ ଏକ ମଟରସାଇକେ କିଣିବା କାଠିକର ପାଠ ହୋଇଥିବା ବେଳେ ଇଭି ଗାଡି କିଣିବା କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ଦୋକାନ ମାଲ ପତ୍ର ପରିବହନ ଗାଁ ଗହଳିରେ ଫେରି କରିବା ଆଦି ପାଇଁ ଗାଡିର ଆବଶ୍ୟକତା ଏବେକା ଯୁଗରେ ଜରୁରି ହୋଇ ପଡିଛି । ଯଦି ତାହା ବନ୍ଦ ହୋଇଯାଏ ଲୋକଙ୍କ ସମସ୍ୟା ଜଟିଳ ହୋଇଯିବ ବୋଲି ବହୁ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।
