
ଅନ୍ଲାଇନ୍ରେ ବିଶେଷକରି ସୋସିଆଲ୍ ମିଡିଆର ପ୍ରେମ ଏବେ ଯୁବପିଢ଼ିଙ୍କଠାରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା କେବେକେବେ ଅନେକଙ୍କୁ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। କେତେବେଳେ ବିଶ୍ୱାସଘାତକତା ଓ ଅପରାଧିକ କାରଣ ପାଲଟୁଛି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଶାମାଗୁଡ଼ିଆ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ସୋସିଆଲ୍ ମିଡିଆରୁ ପ୍ରେମ, ବିଶ୍ୱାସ ତାପରେ ବିବାହ ପ୍ରତିଶୃତି ପରେ ଦେହ ବ୍ୟବସାୟ କରିବାକୁ ଛାଡ଼ିଦେଲା।ପ୍ରେମିକା ଖସି ଆସିବା ପରେ ସାମ୍ନାକୁ ଆସିଛି ଏଭଳି ସ୍ପର୍ଶକାତର ଘଟଣା। ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସମସ୍ତ ଘଟଣା ପ୍ରଦାକୁ ଆସିଥିଲା।ପୋଲିସ ଏନେଇ ପ୍ରେମିକଙ୍କୁ ଗିରଫ କରିଥିଲା। ତାକୁ ଗିରଫ କରିବା ପରେ ସେ ତାଙ୍କ ସହଯୋଗୀମାନଙ୍କ ନାଁ କହିଥିଲା। ପୋଲିସ ସେମାନଙ୍କୁ ମଧ୍ୟ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କୁ ପୋଲିସ ଜେରା କରିବା ପରେ ଦେହ ବ୍ୟବସାୟରେ ସେମାନେ ଲିପ୍ତ ଥିବା କଥା ପୋଲିସ ପାଖରେ ସ୍ୱୀକାର କରିଥିଲେ ବୋଲି ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି।
ପୋଲିସର ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ରାହୁଲ ନାମକ ଜଣେ ଯୁବକ ପଡୋଶୀ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଫେସବୁକରୁ ବନ୍ଧୁତା ଆରମ୍ଭ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଫଳରେ ଗତ ୩ ମାସ ହେବ ଯୁବତୀ ଜଣକ ଘରୁ ପ୍ରେମିକ ରାହୁଲଙ୍କ ପାଖକୁ ପଳାଇ ଆସିଥିଲେ। ରାହୁଲ ତାଙ୍କୁ କେନ୍ଦ୍ରାପଡା ମେଡିକାଲ ନିକଟରେ ଥିବା ଏକ ଲଜରେ ରଖି ଦେହ ବ୍ୟବସାୟରେ ଲଗାଇଥିଲେ। ଏହାଦ୍ୱାରା ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଗର୍ଭବତୀ ହେବା ପରେ ମଧ୍ୟ ପ୍ରେମିକ ଦେହ ବ୍ୟବସାୟରେ ତାଙ୍କୁ ଲଗାଇଥିଲା। ଫଳରେ ଯୁବତୀଙ୍କ ଶରୀର ଅସୁସ୍ଥ ହୋଇପଡିଥିଲା। ରାହୁଲ ତାଙ୍କୁ ବସଷ୍ଟାଣ୍ଡରେ ଛାଡି ଫେରାର ହୋଇ ଯାଇଥିଲେ। ହେଲେ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସମସ୍ତ ଘଟଣା ପ୍ରଦାକୁ ଆସିଥିଲା।ପ୍ରେମିକାକୁ ଦେହ ବ୍ୟବସାୟରେ ଲଗାଇବା ମାମଲାରେ ପୋଲିସ ଗୁରୁବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଅରୁଆକଦଳୀବଣ ଗ୍ରାମର ଅଭୟ ମଳିକଙ୍କ ପୁଅ ତଥା ଯୁବତୀଙ୍କ ପ୍ରେମିକ ବାପି ରାହୁଲ ମଳିକ(୩୦), ମାର୍ଶାଘାଇ ଥାନା ଅଧିନ କରଞ୍ଜ ଗ୍ରାମର ଭୀମସେନ ମଳିକଙ୍କ ପୁଅ ହିରଣ୍ୟ ମଳିକ(୩୬), ସେହି ଥାନା ଅଧିନ ଆଇତିପୁର ଗ୍ରାମର ଅମର ମଳିକଙ୍କ ପୁଅ ଅମିତ ମଳିକ(୧୯) ଓ କରମକୂଳ ଗ୍ରାମର ପ୍ରଶାନ୍ତ କୁମାର ମଳିକଙ୍କ ପୁଅ ଗଙ୍ଗାଧର ମଳିକ(୧୯) ଗିରଫ କରିଥିଲେ ।ସେମାନେ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ପ୍ରଭୃତି ସ୍ଥାନରୁ ଯୁବତୀମାନଙ୍କୁ ମଧ୍ୟ ଆଣି ଦେହ ବ୍ୟବସାୟରେ ଲଗାଇଥିଲା। ଏହି କାର୍ଯ୍ୟରେ ରାହୁଲକୁ ଉପରୋକ୍ତ ଅନ୍ୟ ୩ ଅଭିଯୁକ୍ତ ସହୟତା କରୁଥିଲେ।
