ନୂଆଦିଲ୍ଲୀ,୯/୫- ରାତି ହେଉ ହେଉ ଭାରତର ୧୧ଟି ସ୍ଥାନରେ ପାକିସ୍ତାନ ଡ୍ରୋନ ଆକ୍ରମଣ କରିଛି । ଶୁକ୍ରବାରରେ ରାଜସ୍ତାନ, ପଞ୍ଜାବ ଓ ଜମ୍ମୁରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଡ୍ରୋନ ଧ୍ୱଂସ କରୁଛି ବାୟୁସେନା। ଜମ୍ମୁ ଓ କଶ୍ମୀରରେ ଡ୍ରୋନ ଆଟାକ୍ ହେବା ପରେ ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି। ଏହା ସହିତ ସାଇରନର ଶବ୍ଦ ଶୁଣାଯାଇଥିବା ବେଳେ ଅତି କମରେ ଦୁଇଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି ବୋଲି ଜାତିୟ ଗଣମାଧ୍ୟମରୁ ଜଣାପଡିଛି।
ଗଣମାଧ୍ୟମର ସୂଚନା ଅନୁଯାୟୀ, ପାକିସ୍ତାନ ସୈନ୍ୟ ଶୁକ୍ରବାର ରାତିରେ ଜମ୍ମୁର ସାତୱାରୀ, ସାମ୍ବା, ଆରଏସ ପୁରା ଓ ଅର୍ନିଆ ଅଞ୍ଚଳରେ ମିସାଇଲ ଓ ଡ୍ରୋନ ଆକ୍ରମଣର ଚେଷ୍ଟା କରିଛନ୍ତି। ଏହି ଆକ୍ରମଣ ମୁଖ୍ୟତଃ ଜମ୍ମୁ ବିମାନବନ୍ଦର ଓ ଅନ୍ୟାନ୍ୟ ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇଛି। ତେବେ, ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଏହାକୁ ସଫଳତାର ସହ ବିଫଳ କରିଛି। ଏହି ଘଟଣା ପରେ ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି ଏବଂ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଯାଇଛି। ଜମ୍ମୁ ବିମାନବନ୍ଦରର ସାଇରନ୍ ବାଜିବା ପରେ, ଅଞ୍ଚଳରେ ଏକ ପ୍ରକାରର ଭୟର ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ଶୀଘ୍ର ସେମାନଙ୍କର ଦୋକାନ ବନ୍ଦ କରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରଜୌରୀ ଜିଲ୍ଲାର ସମସ୍ତ ଦୋକାନ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନ ପୁଣି ଥରେ ଏଲଓସିରେ ଗୁଳିମାଡ଼ ଆରମ୍ଭ କରିଛି। ଜମ୍ମୁର ଅନେକ ସ୍ଥାନରେ ପୁଣି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଜମ୍ମୁ, ସାମ୍ବା, ପଠାନକୋଟ ସେକ୍ଟରରେ ପାକିସ୍ତାନୀ ଡ୍ରୋନ ଦେଖାଯାଇଥିଲା। ଫିରୋଜପୁର, ପଠାନକୋଟ ସୀମାରେ ପାକିସ୍ତାନରୁ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ଆକାଶ ମାର୍ଗରେ ଧ୍ୱଂସ କରାଯାଇଥିଲା।
ପୁଣିଥରେ, ପାକିସ୍ତାନ ଦ୍ୱାରା ସୀମା ପାରରୁ ଅସ୍ତ୍ରବିରତି ଉଲ୍ଲଂଘନର ନୂତନ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟାରେ ଉରି ସେକ୍ଟରରେ ପ୍ରବଳ ଗୁଳିବର୍ଷା ଆରମ୍ଭ କରିଦେଇଛି ପାକିସ୍ତାନ, ଯାହା ଫଳରେ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏହା ପରେ, ପାକିସ୍ତାନ ପୁଞ୍ଚ ଏବଂ କୁପୱାଡା ସେକ୍ଟରରେ ମଧ୍ୟ ସୀମା ପାର କରି ଗୁଳି ଚଳାଇଛି । ସୀମା ଆରପାରିରୁ ମୋର୍ଟାର ମାଡ଼ କରାଯାଇଛି । ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ଦ୍ୱାରା ଜାଣିଶୁଣି ସାଧାରଣ ନାଗରିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରାଯାଉଛି ।
Discover more from
Subscribe to get the latest posts sent to your email.