ସିନ୍ଧୁ ନଦୀର ଇତିହାସ ଓ ଭାରତ ପାକିସ୍ତାନ ମୂଳ ଚୁକ୍ତି ଡକଫର ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର

blank

ନୂଆଦିଲ୍ଲୀ,୫/୫ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍‌ରୁ ଉଦ୍ଧୃତ । ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ଓ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ । ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ ହେଲା ସାଗର, ମହାସାଗର ଅଥବା କୌଣସି ବୃହତ ଜଳାଶୟ । ପରବର୍ତ୍ତୀ ସମୟରେ ପାରସ୍ୟ ଭାଷାରେ ସିନ୍ଧୁ ନଦୀକୁ ଦରିଆ ବୋଲି ମଧ୍ୟ ନାମିତ କରାଯାଇଛି । ଦରିଆ ଶବ୍ଦଟି ମଧ୍ୟ କୌଣସି ବୃହତ୍‌ ଜଳାଶୟ ଅଥବା ସାଗରକୁ ସୂଚାଇଥାଏ । ସ୍ଥଳପଥରେ ବାହାରୁ ଭାରତକୁ ଆସୁଥିବା ଲୋକେ ସିନ୍ଧୁ ନଦୀକୁ ସୀମାନ୍ତ ନଦୀ ବା ସୀମାରେ ଥିବା ନଦୀ ବୋଲି କହୁଥିଲେ । ପ୍ରାଚୀନ ଇରାନୀୟ ଭାଷାରେ ଞ୍ଚସ ଧ୍ୱନି ହ ବୋଲି ଉଚ୍ଚାରିତ ହେଉଥିବାରୁ ଏପରି ଦୁଇଟି ନାମ ସୃଷ୍ଟି ହୋଇଥିଲା । ଆସ୍କୋ ପାର୍ପୋଲାଙ୍କ ମତରେ ଆନୁମାନିକ ଖ୍ରୀଷ୍ଟପୂର୍ବ ୮୫୦-୬୦୦ ବେଳକୁ ଏହି ଦୁଇ ନାମର ପ୍ରଚଳନ ଆରମ୍ଭ ହୋଇଥିଲା । ପାରସ୍ୟର ଆକେମେନିଡ୍‌ ସାମ୍ରାଜ୍ୟରୁ ଗ୍ରୀକ୍‌ ଲୋକେ ଏହି ନଦୀର ନାମ ଜାଣିବା ପରେ ତାହାକୁ ନିଜ ଭାଷାରେ ଇଣ୍ଡୋସ୍‌ ବୋଲି ଉଚ୍ଚାରଣ କଲେ । ପରେ ପ୍ରାଚୀନ ରୋମ୍‌ ସଭ୍ୟତାରେ ଏହି ନାମ ସାମାନ୍ୟ ଅପଭ୍ରଷ୍ଟ ହୋଇ ଇଣ୍ଡସ୍‌ ବୋଲାଇଲା । ପ୍ରଚଳିତ ଇଂରାଜୀ ଭାଷାରେ ମଧ୍ୟ ଇଣ୍ଡସ୍‌ ନାମ ରହିଛି । ଋକବେଦରେ ଅନେକ ନଦୀର ଉଲ୍ଲେଖ ରହିଛି ଯାହା ମଧ୍ୟରୁ ସିନ୍ଧୁ ନଦୀ ଅନ୍ୟତମ । ଋକବେଦରେ ୧୭୬ ଥର ଏକବଚନ ଶବ୍ଦ ସିନ୍ଧୁ ଓ ୯୪ ଥର ବହୁବଚନ ଶବ୍ଦ ସିନ୍ଧବଃ ଉଲ୍ଲିଖିତ ଅଛି । ସିନ୍ଧୁ ଶବ୍ଦଟି ଅଧିକାଂଶ ସମୟରେ ନଦୀ ପାଇଁ ହିଁ ବ୍ୟବହୃତ ହୋଇଛି । ପରବର୍ତ୍ତୀ କାଳରେ ରଚିତ ଓ ଋକବେଦରେ ସମ୍ମିଳିତ ସ୍ତୋତ୍ର ସବୁରେ ସିନ୍ଧୁ ଶବ୍ଦ କେବଳ ସିନ୍ଧୁ ନଦୀ ପାଇଁ ବ୍ୟବହୃତ ହୋଇଛି ଉଦାହରଣ ସ୍ୱରୂପ ନଦୀସ୍ତୁତି ସୁକ୍ତ । ଋକବେଦର ଶ୍ଳୋକରେ ବ୍ରହ୍ମପୁତ୍ର ବ୍ୟତୀତ ଅନ୍ୟ ସମସ୍ତ ନଦୀଙ୍କୁ ସ୍ତ୍ରୀଲିଙ୍ଗବାଚୀ ଶବ୍ଦରେ ସମ୍ବୋଧନ କରାଯାଇଛି । ପାକିସ୍ତାନର ଅର୍ଥନୀତିରେ ସିନ୍ଧୁ ନଦୀର ଜଳ ସମ୍ବଳର ବିଶେଷ ଭୂମିକା ରହିଛି । ମୁଖ୍ୟତଃ ପାକିସ୍ତାନର ପଞ୍ଜାବ ଓ ସିନ୍ଧ ଅଞ୍ଚଳ ସିନ୍ଧୁ ନଦୀଦ୍ୱାରା ବିଶେଷ ରୂପେ ଉପକୃତ ହୋଇଥାନ୍ତି । ପଞ୍ଜାବ ଶବ୍ଦର ଅର୍ଥ ହେଲା- ପାଞ୍ଚ ନଦୀର ଦେଶ । ଏଠାରେ ପାଞ୍ଚଟି ନଦୀ ହେଲେ ଝେଲମ, ଚେନାବ, ରାୱି, ବେଆସ୍‌ ଓ ଶତଲେଜ ଯାହା ମିଳିତ ଭାବେ ସିନ୍ଧୁ ନଦୀରେ ନିଷ୍କାସିତ ହୋଇଥାନ୍ତି । ଏତ୍‌ଦ ବ୍ୟତୀତ ସିନ୍ଧୁ ନଦୀ ପାକିସ୍ତାନର ବହୁ ଉଦ୍ୟୋଗକୁ ଆବଶ୍ୟକୀୟ ପାଣି ଓ ଅନ୍ୟାନ୍ୟ ସହର ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ଯୋଗାଇଥାଏ । ପାକିସ୍ତାନ ଗଠିତ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହେଲା ଏବଂ ଏହା ଯୋଗୁଁ ଉପରମୁଣ୍ଡ ଭାରତରେ ଥିଲେ ହେଁ ପାକିସ୍ତାନକୁ ସିନ୍ଧୁ, ଝେଲମ୍‌ ଓ ଚେନାବ ନଦୀର ସିଂହଭାଗ ଜଳ ମିଳିଲା । ପରିକଳ୍ପିତ ସିନ୍ଧୁ ଅବବାହିକା ଯୋଜନା ଅନୁସାରେ ଝେଲମ ନଦୀ ଉପରେ ମଙ୍ଗଳା ବନ୍ଧ ଏବଂ ସିନ୍ଧୁ ନଦୀ ଉପରେ ତର୍ବେଲା ବନ୍ଧ ଏବଂ କିଛି କ୍ଷୁଦ୍ର ସହାୟକ ନଦୀବନ୍ଧ ନିର୍ମିତ ହେବାର ଥିଲା । ପାକିସ୍ତାନର ଜଳ ଓ ଶକ୍ତି ଉନ୍ନୟନ ବିଭାଗ ଚସମା ଓ ଝେଲମ ଯୋଡ଼ ସେଚନ କେନାଲ୍ର କାର୍ଯ୍ୟ ଆରମ୍ଭ କରିଥିଲା । ପାକିସ୍ତାନର ଅର୍ଥନୀତି ଓ ଜନଜୀବନ ପାଇଁ ସିନ୍ଧୁ ନଦୀ ଅତି ଗୁରୁତ୍ୱପୂର୍ଣ୍ଣ । ଇଂରେଜ ଶାସନର ସମାପ୍ତି ପରେ ଭାରତ ଓ ପାକିସ୍ତାନ ସ୍ୱାଧୀନ ହୋଇଥିଲେ, କିନ୍ତୁୁ ସିନ୍ଧୁ ଓ ପୂର୍ବ ପଟର ପାଞ୍ଚ ଉପନଦୀର ଜଳକୁ ନେଇ ଘୋର ବିବାଦ ସୃଷ୍ଟି ହେଲା । ଶତଲେଜ ନଦୀର ଜଳସେଚନ ନାଳ ଓ ବାରି ଦୋଆବର ନାଳଗୁଡ଼ିକ ପାକିସ୍ତାନ ପଟରେ ରହିଗଲା କିନ୍ତୁ ତାହାର ନିୟନ୍ତ୍ରଣ କରୁଥିବା ବନ୍ଧ ଭାରତ ପଟରେ ରହିଲା । ଏହା ଫଳରେ ପାକିସ୍ତାନରେ ଜଳସେଚନ ବାଧାପ୍ରାପ୍ତ ହେଲା । ପୁଣି ପଞ୍ଜାବ ଅଞ୍ଚଳରେ ଭାରତ ନୂତନ ବନ୍ଧ ନିର୍ମାଣ କରିବାଦ୍ୱାରା ପାକିସ୍ତାନକୁ ଜଳ ଯୋଗାଣ କମିଯିବାର ଆଶଙ୍କା ହେଲା । ଯୁଦ୍ଧ ସମୟରେ ଭାରତ ନଦୀମାନଙ୍କ ପାଣିକୁ ନିଜ ପାଇଁ ବ୍ୟବହାର ଓ ପାକିସ୍ତାନକୁ ହଇରାଣ କରିପାରେ ବୋଲି ପାକିସ୍ତାନରେ ଏକ ରାଜନୈତିକ ଚିନ୍ତା ସୃଷ୍ଟି କଲା । ତେଣୁ ୧୯୬୦ ମସିହାରେ ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଆଲୋଚନା ହୋଇ ଉଭୟ ରାଷ୍ଟ୍ରଙ୍କଦ୍ୱାରା ସିନ୍ଧୁ ଜଳ ଚୁକ୍ତି ((Indus Waters Treaty) ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁସାରେ ଭାରତ ପାଖରେ ଶତଲେଜ, ବେଆସ୍‌ ଏବଂ ରାୱି ନଦୀର ଜଳକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିବା ବେଳେ ପାକିସ୍ତାନ ପାଖରେ ଝେଲମ, ଚେନାବ ଓ ସିନ୍ଧୁ ନଦୀର ଜଳ ନିୟନ୍ତ୍ରଣ କରିବାର କ୍ଷମତା ରହିଲା । ଭାରତ ପାଖରେ ପଶ୍ଚିମ ନଦୀ ତିନୋଟିକୁ ଜଳସେଚନ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାର ଅଧିକାର ରହିଲା । ଇତିହାସ ରୁ ଜଣାଯାଏ ଯେ ସିନ୍ଧୁ ନଦୀ ତଥା ଇଂରାଜୀରେ Indus River ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତି³ତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲଗିଟ୍‌ – ବାଲ୍‌ଚିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି । ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ । ସିନ୍ଧୁ ନଦୀର ଅବବାହିକା ୧୧,୬୫,୦୦୦ ବର୍ଗ କିଲୋମିଟର୍‌ ଅଞ୍ଚଳରେ ବ୍ୟାପ୍ତ । ଏହାର ବାର୍ଷିକ ପ୍ରବାହ ହାରାହାରି ୨୪୩ ଘନ କିଲୋମିଟର୍‌ ଯାହା ନୀଳ ନଦୀର ବାର୍ଷିକ ପ୍ରବାହର ୨ ଗୁଣ ଓ ୟୁଫ୍ରେଟିସ୍‌-ଟାଇଗ୍ରିସ୍‌ ନଦୀର ମିଳିତ ପ୍ରବାହର ୩ ଗୁଣ । ଏହି କାରଣରୁ ଜଳ ନିଷ୍କାସନ ହାର ଦେଖିଲେ ସିନ୍ଧୁ ନଦୀକୁ ବିଶ୍ୱର ବୃହତ୍ତମ ନଦୀମାନଙ୍କ ଶ୍ରେଣୀରେ ଗଣନା କରାଯାଇପାରେ । ଲଦାଖରେ ଜାନ୍ସକାର ନଦୀ ଏହାର ବାମ ତୀରର ଉପନଦୀ । ସମତଳ ଅଞ୍ଚଳକୁ ପ୍ରବେଶ କରିବା ପରେ ସିନ୍ଧୁର ବାମ ତୀରରେ ପଞ୍ଜନଦ ଏହାର ମୁଖ୍ୟ ଉପନଦୀ ଯାହା ଚେନାବ, ଝେଲମ୍‌, ରାୱି, ବେଆସ୍‌ ଓ ଶତଲେଜ୍‌ ନଦୀର ମିଳନରୁ ସୃଷ୍ଟ । ଡାହାଣ ତୀରରେ ମିଶୁଥିବା ଉପନଦୀମାନଙ୍କ ମଧ୍ୟରେ ଶ୍ୟୋକ୍‌, ଗିଲ୍‌ଗିଟ୍‌, କାବୁଲ୍‌, ଗୋମଲ୍‌ ଓ କୁର୍ରମ୍‌ ନଦୀ ପ୍ରଧାନ । ଏକ କ୍ଷୁଦ୍ର ପାହାଡ଼ିଆ ଝରଣା ରୂପେ ସୃଷ୍ଟ ସିନ୍ଧୁ ନଦୀ ହିମସ୍ରୋତ, ତଥା ହିମାଳୟ, କାରାକୋରମ୍‌ ଓ ହିନ୍ଦୁକୁଶର ନଦୀ ମାନଙ୍କ ଦ୍ୱାରା ପରିବୃଦ୍ଧ ହୋଇଛି । ସିନ୍ଧୁ ଉପତ୍ୟକାର ଉତ୍ତର ପାଶ୍ୱର୍ ପଞ୍ଜାବ ଅଞ୍ଚଳ ଏବଂ ନିମ୍ନାଂଶ ସିନ୍ଧ ଅଞ୍ଚଳ ରୂପେ ପରିଚିତ । ଏହି ଅଞ୍ଚଳରେ ବସବାସ କରିଆସିଥିବା ଅତୀତର ବିଭିନ୍ନ ସଂସ୍କୃତିରେ ସିନ୍ଧୁ ନଦୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଖ୍ରୀଷ୍ଟପୂର୍ବ ୩୦୦୦ରେ ସିନ୍ଧୁ ଉପତ୍ୟକାରେ ସିନ୍ଧୁ ସଭ୍ୟତା ଗଢ଼ି ଉଠିଥିଲା । ଏହା କାଂସ୍ୟ ଯୁଗର ଏକ ପ୍ରମୁଖ ନଗର ସଭ୍ୟତା ଭାବେ ପରିଚିତ । ଖ୍ରୀଷ୍ଟପୂର୍ବ ୨୦୦୦ ବେଳକୁ ରଚିତ ଋକବେଦରେ ପଞ୍ଜାବ ଅଞ୍ଚଳକୁ ସପ୍ତ ସିନ୍ଧୁ ବୋଲି କୁହାଯାଇଛି । ପାର୍ସୀମାନଙ୍କ ଅେୱସ୍ତାରେ ଏହି ଅଞ୍ଚଳକୁ ହପ୍ତ ହିନ୍ଦୁ ବୋଲି ଅଭିହିତ କରାଯାଇଛି । ଉଭୟ ଶବ୍ଦର ଅର୍ଥ ହେଲା ସାତ ନଦୀ । ଐତିହାସିକ ରାଜ୍ୟ ବା ସାମ୍ରାଜ୍ୟମାନଙ୍କ ମଧ୍ୟରୁ ଗାନ୍ଧାର, ରୋର ଓ ଶୌବୀର ପ୍ରଭୃତି ରାଜ୍ୟ ସିନ୍ଧୁ ଉପତ୍ୟକାରେ ଅବସ୍ଥିତ ଥିଲା । ପାରସ୍ୟର ରାଜା ଡାରିୟସ୍‌ ଜଣେ ଦୂତଙ୍କୁ ଖ୍ରୀଷ୍ଟପୂର୍ବ ୫୧୫ରେ ଏହି ନଦୀ ବିଷୟରେ ଅଧିକ ଜାଣିବାକୁ ପଠାଇଥିଲେ ଓ ତାହା ପରଠାରୁ ପାଶ୍ଚାତ୍ୟ ଦେଶର ଲୋକେ ସିନ୍ଧୁ ନଦୀ ବିଷୟରେ ଜାଣିବାକୁ ପାଇଲେ । ସିନ୍ଧୁ ନଦୀର ଜଳ ପଞ୍ଜାବ ଓ ସିନ୍ଧର ସମତଳ ଅଞ୍ଚଳରେ ଖାଦ୍ୟ, ପାନୀୟ ଓ କୃଷିର ମେରୁଦଣ୍ଡ ପରି । ସିନ୍ଧୁ ଉପତ୍ୟକାର ନିମ୍ନାଂଶରେ ବୃଷ୍ଟିପାତର ମାତ୍ରା କମ ଥିବାରୁ ସେଠାରେ ସିନ୍ଧୁ ନଦୀର ମହ‰ ଆହୁରି ବଢ଼ିଯାଏ । ସିନ୍ଧୁ ସଭ୍ୟତା ସମୟରୁ ଲୋକେ ସିନ୍ଧୁ ନଦୀରୁ ଜଳସେଚନ ପାଇଁ କେନାଲ୍‌ ଖୋଳି ବ୍ୟବହାର କରିଆସୁଛନ୍ତି । ପରବର୍ତ୍ତୀ ସମୟରେ କୁଶାଣ ଓ ମୋଗଲ ସାମ୍ରାଜ୍ୟର ଲୋକେ ଅନେକ ଜଳସେଚନ କେନାଲ୍‌ ନିର୍ମାଣ କରିଥିଲେ । ଇଂରେଜ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ସମୟରେ ୧୮୫୦ ମସିହାରେ କିଛି ଆଧୁନିକ କେନାଲ୍ର ନିର୍ମାଣ ଓ ଅନେକ ପୁରାତନ କେନାଲ୍ର ମରାମତି କରାଯାଇଥିଲା । ଇଂରେଜ ମାନେ ଏଠାରେ ବିଶ୍ୱର ଜଟିଳ ସେଚନ ବ୍ୟବସ୍ଥାର ନିମାଣ କରାଇଥିଲେ । ଗୁଟୁନ ବ୍ୟାରେଜ୍‌ ୧୩୫୦ ମିଟର୍‌ ଲମ୍ବା ଓ ଏହା ସୁକୁର, ଜାକବାବାଦ, ଲର୍କାନା, କଲାତ ଆଦି ଅଞ୍ଚଳକୁ ସେଚିତ କରିଥାଏ । ସୁକୁର ବ୍ୟାରେଜ୍‌ ୨୦,୦୦୦ ବର୍ଗ କି.ମି.ରୁ ବଡ଼ ଅଞ୍ଚଳରେ ଜଳସେଚନର ସୁବିଧା ପହଞ୍ଚାଇଥାଏ । ତେବେ ଆଜି ଏହି ପବିତ୍ର ନଦୀକୁ ନେଇ ସମଗ୍ର ବିଶ୍ୱର ନଜର ରହିଛି । କାରଣ ନିକଟରେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ଆତଙ୍କବାଦୀ ଦ୍ୱାରା ହୋଇଥିବା ନିରୀହ ଲୋକଙ୍କ ଉପରେ ବର୍ବର ଗୁଳିକାଣ୍ଡକୁ ନେଇ ଭାରତ ସରକାର ଶକ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅର୍ଡର ଦେଇଛି । ଫଳ ସ୍ୱରୂପ ସିନ୍ଧୁ ନଦୀର ପାଣି ପାକିସ୍ତାନକୁ ଟୋପେ ବି ନ ଦିଆ ଯିବାକୁ ସଂକଳ୍ପ ହୋଇଛି, ଯାହା ଦ୍ୱାରା ପାକିସ୍ତାନର ସରକାର ଠାରୁ ଆରମ୍ଭ କରି ସାଧାରଣ ଜନତା ଛାନିଆ ହୋଇଛନ୍ତି । କାରଣ ସିନ୍ଧୁ ନଦୀର ପାଣି ଉପରେ ପାକିସ୍ତାନର ଚାଷ, ଇଲେକଫି୍ରସିଟି ଓ ଅର୍ଥନୈତିକ ବ୍ୟବସ୍ଥା ନିର୍ଭର କରେ । ଭାରତ ସରକାରର ଏ ନିଷ୍ପତ୍ତି ମଧ୍ୟ ସଠିକ କାରଣ ସୀମା ସେପଟରୁ ଆତଙ୍କବାଦକୁ ମୂଳ ନିପାତ କରିବାକୁ ହେଲେ ତାକୁ ଅର୍ଥନୈତିକ ଦୃଷ୍ଟି କୋଣରୁ ପ୍ରହାର ଦିଆଯିବା ଉଚିତ୍‌ । ତେବେ ପାକିସ୍ତାନ ତାହାର ଆତଙ୍କବାଦୀ ସଂଗଠନ କୁ ନିୟନ୍ତ୍ରଣ କରିବ ଓ ଦୁଇ ଦେଶ ଭିତରେ ଶାନ୍ତି ସ୍ଥାପନ ହେବ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

‘ମେ୯’ ଜିଲ୍ଲା କଂଗ୍ରେସର ସମ୍ବିଧାନ ବଞ୍ଚାଅ ରାଲି

Tue May 6 , 2025
କେନ୍ଦ୍ରାପଡା,୬ା୫: ସମ୍ବିଧାନ ବଞ୍ଚାଅ ରାଲି ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ମେ ମାସ ୯ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରୁ କଜଳା ସ୍ଥିତ ଜିଲ୍ଲା କଂଗ୍ରେସ […]
blank

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading