
କେନ୍ଦ୍ରାପଡ଼ା,୧୯ା୮:କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ନରସିଂହପୁର ଗ୍ରାମ ଉନ୍ନୟନ ରାସ୍ତା ନିକଟସ୍ଥ ଇଟା ଭାଟିରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ବୁଧବାର ଗୁଳିମାଡ କରାଯାଇଛି। ଗୁଳିଟି ଶ୍ରମିକଙ୍କ ଡାହଣ ଗୋଡରେ ବାଜିଛି। ଗୁଳିମାଡର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି କେଦାର ରାଉତ। କେଦାରଙ୍କ ଘର କଟକ ଜିଲ୍ଲାର ସାଲେପୁର ନିକଟ ରାମକୃଷ୍ଣପୁର ଗ୍ରାମରେ ହୋଇଥିବା ବେଳେ ସେ ପରିବାର ସହ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଅନୁଆପଡ଼ା ନିକଟ ନରସିଂହପୁର ରାସ୍ତା କଡରେ ଥିବା ଇଟାଭାଟିରେ ରହୁଥିଲେ। ସେଠାରେ ରହି କାମ ଦାମ କରି ପରିବାର ପ୍ରତିପୋଷଣ କରୁଥିଲେ। ବୁଧବାର ସେ ବଜାରକୁ ସଉଦା ପାଇଁ ଆସିଥିଲେ। ସଉଦାପତ୍ର ନେଇ ଘରକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୬ ଜଣ ଯୁବକ ତାଙ୍କ ନିକଟକୁ ଆସି ତାଙ୍କ ଗୋଡ଼କୁ ଲକ୍ଷ କରି ଗୁଳିମାଡ କରିଥିଲେ। ଏହାପରେ ଅପରାଧୀମାନେ ଫେରାର ହୋଇଯାଇଥିଲେ। ତେବେ କେଉଁ କାରଣରୁ ଅପରାଧୀମାନେ ତାଙ୍କୁ ଗୁଳି କଲେ ତାହା ଜଣାପଡିନାହିଁ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କାରାଯାଇଥିଲା। ହେଲେ ଏଠାରେ ଡାକ୍ତରମାନେ ଗୋଡ଼ରୁ ଗୁଳି ବାହାର କରିବାରେ ଅସମର୍ଥ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଖବର ପାଇ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆ, ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ, ଚାନ୍ଦୋଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ନନ୍ଦ, ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ ତାଙ୍କୁ ଗୁଳିମାଡ କରାଯାଇଛି ତାହାର ତଦନ୍ତ କରାଯାଉଛି ବୋଲି ଏସପି ଶ୍ରୀ କଟାରିଆ ସୂଚନା ଦେଇଛନ୍ତି।
