
କେନ୍ଦ୍ରାପଡ଼ା,୨୦ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ଯୋଗାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି।ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ ଯଥା ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୨ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୬୬ଟି ଗ୍ରାମ ପଞ୍ଚାୟତ ଓ ୧୬୪ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୨,୫୧,୯୬୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ୬,୩୫୦ ଜଣଙ୍କୁ ୩୧ଟି ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି। ଆଜି ୭ଟି କେନ୍ଦ୍ରରେ ୧,୨୬୦ ଜଣ ଆଶ୍ରୟ ନେଇଛନ୍ତି। ଜିଲ୍ଲାରେ ମୋଟ ୩୮ଟି ମୁକ୍ତ ରୋଷେଇ/ରିଲିଫ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ଆଜି ୧୬ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଆଜି ୪,୯୩୫ ଜଣ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ସମୁଦାୟ ୬,୩୫୦ ଜଣ ହିତାଧିକାରୀ ଏହି ବ୍ୟବସ୍ଥାରୁ ଉପକୃତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୨ଟି ମେଡିକାଲ୍ ଟିମ୍ ନିୟୋଜିତ ଅଛନ୍ତି। ଏଥିରେ ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁରରେ ଗୋଟିଏ, ରାଜନଗରରେ ୩ଟି ଏବଂ ରାଜକନିକାରେ ୨ଟି ଟିମ୍ ରହିଛି। ସେହିପରି ୬ଟି ଭେଟେନାରୀ ଟିମ୍ ମଧ୍ୟ ନିୟୋଜିତ ଅଛନ୍ତି।ବନ୍ୟା ପ୍ରଭାବିତ ଲୋକଙ୍କୁ ଜରୁରୀ ରିଲିଫ୍ ଭାବେ ଚାଉଳ, ଚୁଡ଼ା, ଗୁଡ଼/ଚିନି, ବିସ୍କୁଟ୍, ପାଣି ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି।ସମୁଦାୟ ୭୨୮.୯୮ କ୍ୱିଣ୍ଟାଲ୍ ଚାଉଳ, ୫୫.୩ କ୍ୱିଣ୍ଟାଲ୍ ଚୁଡ଼ା ଓ ୮୧ କ୍ୱିଣ୍ଟାଲ୍ ଗୁଡ଼/ଚିନି ବଣ୍ଟନ କରାଯାଇଛି। ଏହାସହ ୧୬,୯୧୪ ପ୍ୟାକେଟ୍ ବିସ୍କୁଟ୍, ୧,୧୬,୬୨୦ ବୋତଲ ପାଣି ଓ ୬୧,୦୦୦ ପାଣି ପାଉଚ୍ ଯୋଗାଇ ଦିଆଯାଇଛି। ଆଜି ୨୧୨.୪୫ କ୍ୱ୍ୟଣ୍ଟାଲ୍ ଚୁଡ଼ା, ୮.୮୫ କ୍ୟୁଣ୍ଟାଲ୍ ଗୁଡ଼/ଚିନି, ୨,୪୦୪ ପ୍ୟାକେଟ୍ ବିସ୍କୁଟ୍, ୨୮,୭୦୦ ବୋତଲ ପାଣି ଓ ୧୭,୫୦୦ ପାଣି ପାଉଚ୍ ବଣ୍ଟନ କରାଯାଇଛି ।ବନ୍ୟାଜଳରେ ବୁଡ଼ିଯିବା କାରଣରୁ ୧୪୨ଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୮ଟି ପାୱାର ବୋଟ୍, ୧୩୭ଟି ଦେଶୀ ଡଙ୍ଗା ଏବଂ ୧୭ଟି ମେକାନାଇଜ୍ଡ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି।ବନ୍ୟା ପ୍ରଭାବରେ ପ୍ରାୟ ୧୪,୨୬୮ ହେକ୍ଟର ଫସଲ ଅଞ୍ଚଳ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ବନ୍ୟାଜଳ ହ୍ରାସ ପରେ ଫସଲ ଓ ଘରବାଡ଼ି କ୍ଷୟକ୍ଷତିର ବିସ୍ତୃତ ଆକଳନ କରାଯିବ।ବ୍ରାହ୍ମଣୀ ନଦୀ ଅଳଭାଠାରେ ଜଳସ୍ତର ୫.୯୦ ମିଟର, ଯାହାର ବିପଦ ସଙ୍କେତ ୪.୮୮ ମିଟର। ଗୋପାଳପୁରଠାରେ ଜଳସ୍ତର ୧୦.୨୧ ମିଟର, ବିପଦ ସଙ୍କେତ ୧୦.୦୫ ମିଟର ରହିଛି। ଜେନାପୁର ଆନିକଟରେ ଜଳସ୍ତର ୬୪.୪୦ ଫୁଟ୍, ବିପଦ ସଙ୍କେତ ୬୭ ଫୁଟ୍ ରହିଛି। ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ୧୮.୦୭ ମିଟର, ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ମୁଣ୍ଡଳୀଠାରେ ୪,୭୪,୬୨୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ୨୦ ଅଗଷ୍ଟ ୨୦୨୬ରେ ଜିଲ୍ଲାରେ ମୋଟ ୪୭ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲ୍ଲାର ହାରାହାରି ବର୍ଷା ୫.୨୨ ମି.ମି. ରହିଛି।
