- ପଟ୍ଟାମୁଣ୍ଡାଇ ଧୋୟାଂଚଳ ଗସ୍ତ କଲେ ଜିଲାପାଳ
- ବ୍ୟାପକ ଫସଲ ହାନି

ପଟ୍ଟାମୁଣ୍ଡାଇ ୨/୮ -ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳରେ ବନ୍ୟା ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ସୁଦ୍ଧା ବିପନ୍ନଙ୍କ ଦୁର୍ଦ୍ଦଶା କମିବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି। ନିରବଚ୍ଛନ୍ନ ଟିପି ଟିପି ବର୍ଷା ସାଙ୍ଗକୁ ଗୋଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ନଗଣ୍ୟ ରିଲିଫ ସହାୟତା ଲୋକଙ୍କ ନାହିଁ ନଥିବା ଦୁଃଖର କାରଣ ସାଜିଛି। ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବ୍ଲିଚିଂ ପାଉଡର ଓ ସ୍ୱାସ୍ଥ୍ୟସେବାର ଅଭାବରୁ ରୋଗବ୍ୟାଧି ବୃଦ୍ଧି ପାଇବାର ଭୟ ସୃଷ୍ଟି ହୋଇଛି। ଏହି ସଙ୍ଗୀନ ସ୍ଥିତିରେ ରବିବାର ଜିଲାପାଳ ପଟ୍ଟାମୁଣ୍ଡାଇ ଧୋୟାଂଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ପୌରାଂଚଳରେ ବନ୍ୟା ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ମାତ୍ର ବନ୍ୟା ଘେରରେ ଥିବା ଲୋକଙ୍କ ଦୁର୍ଦ୍ଦଶା କମିବା ବଦଳରେ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ଜଳ ସମ୍ପୂର୍ଣ୍ଣ ନିଷ୍କାସିତ ହୋଇନଥିବା ବେଳେ ଟିପି ଟିପି ବର୍ଷା ବିପନ୍ନଙ୍କ ଚିନ୍ତା ବଢ଼ାଇ ଦେଇଛି। ଶୁଖିଲା ଜାଗାଟିଏ ମଧ୍ୟ ମିଳୁନାହିଁ। ଜଳବନ୍ଦୀ ଅବସ୍ଥାରେ ଥିବା ଗରିବ ପରିବାରଗୁଡ଼ିକ ଏବେ ଗମ୍ଭୀର ଖାଦ୍ୟ, ପାନୀୟ ଜଳ ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟଗତ ସଙ୍କଟ ବିପନ୍ନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି। ଦିନ ମଜୁରିଆ ଓ ଖଟିଖିଆ ଶ୍ରମିକମାନଙ୍କ କାମଧନ୍ଦା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ରୋଜଗାର ପନ୍ଥା ଠପ୍ ହୋଇପଡ଼ିଛି। ଫଳରେ ରୋଷେଇ ପାଇଁ ଶୁଖିଲା କାଠ ଓ ଖାଦ୍ୟସାମଗ୍ରୀର ଅଭାବରୁ ଅନେକ ପରିବାର ଓପାସରେ ଦିନ କାଟୁଛନ୍ତି। ଅନ୍ୟପଟେ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟର ଘୋର ଅଭାବ ଦେଖାଦେଇଛି । ଗୋ ଖାଦ୍ୟ ଅଭାବରୁ ଗୃହପାଳିତ ପଶୁ ଖାଦ୍ୟ ନ ପାଇ ଖୁଂଟରେ ବନ୍ଧା ହୋଇ ଡହଳବିକଳ ହୋଉଛନ୍ତି।ଯାହା ଚାଷୀ ଓ ଗୋପାଳକଙ୍କ ନିଦ ହରାଇ ଦେଇଛି। ବନ୍ୟା ଜଳରେ ହଜାର ହଜାର ହେକ୍ଟର ଧାନ ଫସଲ ସମେତ ସମସ୍ତ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଷୀକୂଳ ସ୍ତବ୍ଧ ହୋଇପଡ଼ିଛନ୍ତି। ବନ୍ୟା ଜଳ ଅପସାରିତ ହେବା ପରେ ବିଭିନ୍ନ ଅଂଚଳରେ ଦୁର୍ଗନ୍ଧ ପ୍ରସାରିତ ହେଉଥିଲେ ବି ବ୍ଲିଚିଂ ପାଉଡର ସିଂଚନ ଓ ଡାକ୍ତରୀ ଦଳର ଅଭାବରୁ ଚର୍ମରୋଗ, ପେଟରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି। ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିବା ରିଲିଫ ସହାୟତା ‘ସମୁଦ୍ରକୁ ଶଙ୍ଖେ’ ସଦୃଶ ହୋଇଛି। ଘରପିଛା ମାତ୍ର ୫୦୦ ଗ୍ରାମ ଚୁଡ଼ା ଚାମଚେ ଗୁଡ ଯୋଗାଇ ଦିଆଯାଉଥିବାରୁ ବିପନ୍ନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଦ୍ୟାବଧି ଗୋଖାଦ୍ୟ ପହଁଚି ନାହିଁ ନା ବିପନ୍ନଙ୍କ ପାଖରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ହାଲୋଜିନ୍ ବଟିକା ପହଂଚିି ପାରିନାହିଁ। ଏହି ସଂଘାତିକ ପରିସ୍ଥିତିକୁ ନଜରରେ ରଖି ରବିବାର କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଅଳପୁଆ ସମେତ ବିଭିନ୍ନ ଉପାନ୍ତ ଧୋୟାଂଚଳ ଗସ୍ତ କରିଛନ୍ତି। ସେ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ସ୍ଥାନୀୟ ବିପନ୍ନଙ୍କ ସହ ସୀଧାସଳଖ ଆଲୋଚନା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ବିପନ୍ନମାନଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ରିଲିଫ ସାମଗ୍ରୀ, ବିଶୁଦ୍ଧ ପାନୀୟ ଜଳ, ଗୋଖାଦ୍ୟ ଯୋଗାଇଦେବା ଏବଂ ଗ୍ରାମାଳରେ ବିଶୋଧନ ପାଇଁ ବ୍ଲିଚିଂ ସିଂଚନ ଓ ସ୍ୱାସ୍ଥ୍ୟ ଶିବିର ଖୋଲିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
