
ପଟ୍ଟାମୁଣ୍ଡାଇ ତା ୧୨/୧- ସିଦ୍ଧବାଲି ଗ୍ରାମଟି ୧୯୯୯ ମସିହାରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇ ପଟ୍ଟାମୁଣ୍ଡାଇ ତହସିଲ ଓ ଅଣ୍ଢରା ରାଜସ୍ବ ନିରୀକ୍ଷକ ଅଧୀନରେ ଥିବାବେଳେ ଅମୃତମଣୋହି, ନୂଆପଡା, ବଲୁରିଆ ଆଦି ୩ଟି ପଂଚାୟତ ଓ ପଟ୍ଟାମୁଣ୍ଡାଇ, ଆଳି ୨ଟି ବ୍ଲକ ଅଧୀନରେ ରହିଛି । ଏଥି ସହିତ କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଅଧୀନରେ ରହିଥିବାରୁ ଏହି ରାଜସ୍ବ ଗ୍ରାମର ଲୋକମାନେ ବିଭିନ୍ନ ସରକାରୀ କାର୍ଯ୍ୟ ଓ ସୁବିଧା ସୁଯୋଗ ହାସଲ କରିବା ପାଇଁ ଅକଥନୀୟ ଦୁର୍ଦଶା ଭୋଗ କରିବା ସହିତ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ଏ ସମ୍ପର୍କରେ ସିଦ୍ଧବାଲି ଗ୍ରାମବାସୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦାବୀପତ୍ର ପ୍ରଦାନ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଗତ ତା ୩. ୮. ୨୦୨୧ରିଖରେ ଜିଲ୍ଲା କାର୍ଯ୍ୟାଳୟ ସରକାରୀ ଚିଠି ନଂ ୬୮୩୮ରେ ଉପଜିଲ୍ଲାପାଳଙ୍କୁ ସରଜମିନ ଅନୁଧ୍ୟାନ ପାଇଁ ନିର୍ଦେଶ ଦେଇଥିଲେ । ତତ୍କାଳୀନ ଉପଜିଲ୍ଲାପାଳ ପଟ୍ଟାମୁଣ୍ଡାଇ ତହସିଲଦାର ଓ ବିଡ଼ିଓ ଏବଂ ଆଳି ତହସିଲଦାର, ବିଡ଼ିଓଙ୍କୁ ନେଇ ସରଜମିନ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ । ମାତ୍ର ତତ୍କାଳୀନ ପଟ୍ଟାମୁଣ୍ଡାଇ ତହସିଲଦାର, ବିଡ଼ିଓ, ଆଳି ତହସିଲଦାର ଓ ବିଡ଼ିଓ କଣ ତଦନ୍ତ ରିପୋର୍ଟ ଦେଲେ ଅଦ୍ୟାବଧି ସ୍ଥିତିରେ କୌଣସି ପରିବର୍ତନ ହୋଇ ନାହିଁ । ଯାହାକୁ ନେଇ ସିଦ୍ଧବାଲି ଗ୍ରାମବାସୀଙ୍କ ମଧ୍ୟରେ ଚରମ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଗ୍ରାମବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ ପଂଚାୟତରାଜ ମନ୍ତୀ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଗତ ୯ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକରେ ଅନୁଷ୍ଠିତ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଶିକ୍ଷାବିତ ଦିଲ୍ଲୀପ ଖଣ୍ଡାୟୀଙ୍କ ନେତୃତ୍ୱରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିବା ସହିତ ଜିଲ୍ଲାପାଳ ତୁରନ୍ତ ସିଦ୍ଧବାଲି ଗ୍ରାମକୁ ଗୋଟିଏ ପଂଚାୟତ ବ୍ଲକ ଓ ନିର୍ବାଚନମଣ୍ଡଳୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ ।
