
ପଟ୍ଟାମୁଣ୍ଡାଇ ୩୦/୯ – କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ୭ ନଂ ୱାର୍ଡ ତଳବାଲିପଡା ଗ୍ରାମର ଢଳେଇ ରାସ୍ତା ଉପରେ ମଙ୍ଗଳବାର ରାତିରେ ହଠାତ କୁମ୍ଭୀର ଚାଲୁଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ଏବଂ ଗାଡ଼ିମୋଟର ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଲୋକମାନଙ୍କ ପାଟି ଶୁଣି କୁମ୍ଭୀରଟି ରାସ୍ତା ନିକଟରେ ଥିବା ନାଳକୁ ଚାଲି ଯାଇଥିଲା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରାୟ ୧୦ ଫୁଟ୍ ଲମ୍ବର ଏହି କୁମ୍ଭୀରଟି ରାସ୍ତା ଉପରେ ଚାଲୁଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।
ବ୍ରାହ୍ମଣୀ ନଦୀରେ ବାରମ୍ବାର ବନ୍ୟା ଆସିବା ଫଳରେ ବନ୍ୟା ବିପନ୍ନ ଧୋୟାଂଚଳର ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖିବାକୁ ମିଳିଥିଲା । ବନ୍ୟା ଛାଡିବା ପରେ ପ୍ରାୟତଃ କୁମ୍ଭୀର ଆଉ ଦେଖିବାକୁ ମିଳିଲା ନାହିଁ । କିନ୍ତୁ ମଙ୍ଗଳବାର ରାତି ୮ଟା ସମୟରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୭ନଂ ୱାର୍ଡ ତଳବାଲିପଡ଼ା ପୋଖରୀ ନିକଟ ରାସ୍ତାରେ ଏକ ଲମ୍ଭା କୁମ୍ଭୀର ଶୋଇ ଥିବା ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ଲୋକମାନେ ହୋ ହାଲ୍ଲା କରିବାରୁ କୁମ୍ଭୀରଟି ଏକ ଡ୍ରେନ ମଧ୍ୟରେ ପଶି ଯାଇଥିବା ଜଣାପଡିଛି । ୭ନଂ ୱାର୍ଡ କାଉନସିଲର ମଳୟ ଓଝା ତୁରନ୍ତ କୁମ୍ଭୀର ଧରିବା ପାଇଁ ରାଜନଗର ବନ ବିଭାଗକୁ ଜଣାଇଛନ୍ତି । ବନ୍ୟା ପାଣିରେ ଭାସି ଆସିଥିବା କୁମ୍ଭୀରଟି ବନ୍ୟା ଛାଡିବା ପରେ ତଳବାଲିପଡ଼ା ପୋଖରୀ ମଧ୍ୟରେ ରହି ଯାଇଥିବା ଅନୁମାନ କରାଯାଉଛି ।
