ବିଧାନସଭା ଗୃହରେ ସୃଷ୍ଟି ହେଲା କଳଙ୍କିତ ଅଧ୍ୟାୟ : ତାରା ପ୍ରସାଦ ବାହିନୀପତିଙ୍କୁ ଗୃହରୁ ୭ ଦିନ ପାଇଁ ନିଲମ୍ବିତ , ମୁକେଶ ମହାଲିଙ୍ଗଙ୍କ ଆଶାଳୀନ ମନ୍ତବ୍ୟକୁ ନେଇ ଝଡ

ଭୁବନେଶ୍ୱର ୧୧/୩- ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ ଓ ହଟ୍ଟଗୋଳ ଜାରି ରଖିଥିବାବେଳେ ଶାସକ ବିଜେପି ବିଧାୟକମାନଙ୍କ ସହ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଥିଲା । ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ ଗୃହରୁ ନିଲମ୍ବନ ଘୋଷଣା କରିବା ପରେ ସ୍ଥିତି ଅଧିକ ଜଟିଳ ହୋଇଛି । କଂଗ୍ରେସ ବିଧାୟକମାନେ ଏହାର ପ୍ରତିବାଦରେ କଳାପଟି ମୁହଁରେ ବାନ୍ଧି ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଥିବାବେଳେ ବିଜେଡି ମଧ୍ୟ ତାରାଙ୍କ ସମର୍ଥନରେ ବାହାରିଛି । ତେବେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ଶାସକ ବିଜେପିର ବିଧାୟକମାନେ ଯଥାର୍ଥ ବୋଲି କହିଛନ୍ତି । ମାତ୍ର ମଙ୍ଗଳବାର ଗୃହରେ ଯେଭଳି ସ୍ଥିତି ଉପୁଜିଲା ତାହା ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ କେବେ ଦେଖିବାକୁ ମିଳିନଥିଲା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା ଓ ବିଜେପି ବିଧାୟକ ଅଶୋକ ମହାନ୍ତି ପରସ୍ପରକୁ ଠେଲାପେଲା ଓ କଲର ଧରିଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଛନ୍ତି । ଜନପ୍ରତିନିଧିମାନଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମଙ୍ଗଳବାର ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ବିଧାୟକମାନେ ରାଜ୍ୟ ବିଭାଜନର ମନ୍ତବ୍ୟ ଦେଇଥିବା ଜୟନାରାୟଣ ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ହଟ୍ଟଗୋଳ କରିଥିଲେ । ତେବେ ଏହି ହଟ୍ଟଗୋଳ ଭିତରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରଶ୍ନକାଳ ଆରମ୍ଭ ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଡାକିଥିଲେ । ଆଉ ମନ୍ତ୍ରୀ ନିଜର ଉତ୍ତର ରଖୁଥିବାବେଳେ ତାଙ୍କ ସମ୍ମୁଖରେ ବିଧାୟକ ଶ୍ରୀ ବାହିନୀପତି ଛିଡ଼ା ହୋଇ ତାଙ୍କୁ ନିଜର ଉତ୍ତର ବନ୍ଦ କରିବାକୁ ଅନୁରୋଧ କରୁଥିଲେ । ମାତ୍ର ଏହି ସମୟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସେଠାକୁ ଯାଇ ତାରାଙ୍କୁ ଧକ୍କା ଦେଇଥିଲେ । ତାରା କହିଛନ୍ତି ଯେ, ସେ ଗଣତାନ୍ତ୍ରିକ ଉପାୟରେ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରୁଥିବାବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ତାଙ୍କ କଲରକୁ ଭିଡ଼ି ଧରି ଧକ୍କା ମାରିଥିଲେ । ଗୃହ ଅର୍ଡରରେ ନାହିଁ, ତେଣୁ ଉତ୍ତର ନରଖିବାକୁ ମନ୍ତ୍ରୀଙ୍କୁ ସେ ଅନୁରୋଧ କରୁଥିଲେ । ମାତ୍ର ସରକାରୀ ଦଳ ମୁଖ୍ୟ ସଚେତକ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସାରାରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଧସ୍ତାଧସ୍ତି କରିଥିଲେ। ଏହାପୂର୍ବରୁ ତାରା ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ି ବିରୋଧ ପ୍ରଦର୍ଶନ କରିଥିଲେ । ସେହିପରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଗୃହର ମଧ୍ୟଭାଗରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଏଭଳି ଧସ୍ତାଧସ୍ତି ଓ ଠେଲାପେଲା ହେବା ସେ କେବେ ଦେଖିନଥିଲେ । ଓଡ଼ିଶା ବିଧାନସଭା ଇତିହାସରେ ଏଭଳି ମଧ୍ୟ କେବେ ହୋଇନାହିଁ । ପ୍ରଥମଥର ପାଇଁ ଗୃହର ମହିଳା ସଦସ୍ୟମାନେ ଭୟଭୀତ ହୋଇପଡ଼ିଥିଲେ । ଗୃହରେ ହଟ୍ଟଗୋଳ ଜାରି ରହିଥିବାବେଳେ ବାଚସ୍ପତି ମଧ୍ୟ ଗୃହରେ ସ୍ୱାଭାବିକ କାର୍ଯ୍ୟ ନିମନ୍ତେ ଅନୁମତି ଦେବା ଉଚିତ୍ ନଥିଲା । ବିଜେପି ବିଧାୟକମାନେ ଆମର ବରିଷ୍ଠ ନେତାମାନଙ୍କୁ ଠେଲାପେଲା ମଧ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ବିଧାନସଭା ଭିତରେ ‘ଲଣ୍ଠନ’ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲା ବିଜେଡି

Tue Mar 11 , 2025
ଭୁବନେଶ୍ୱର ୧୧ା୩- ବିଧାନସଭା ପରିସରରେ ବିରୋଧୀ ବିଜେଡି ବିଧାୟକମାନେ ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକମାନେ ହାତରେ ଲଣ୍ଠନ ଧରି ବିଧାନସଭା କରିଡରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଖୋଜୁଥିବା କହିଥିଲେ । ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ବିଧାନସଭା ପରିସରରେ ଲଣ୍ଠନ ଧରି ଶୋଭାଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ ଓ ଅନ୍ୟାନ୍ୟ ପ୍ରକୋଷ୍ଠ ନିକଟରେ ମଧ୍ୟ […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading