- କଲେଜ ଛାତ୍ରଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଭିଡିଓ ଭାଇରାଲ ଘଟଣା
- ଜଣେ ଅଣଛାତ୍ର କୋର୍ଟଚାଲାଣ
- ୨ ସାଂଟଷ୍ଟେ ହୋମ୍ରେ ରଖାଯାଇଛି
ପଟ୍ଟାମୁଣ୍ଡାଇ ୬/୮ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ମଦନପୁର କଲେଜର ଜଣେ ଛାତ୍ରଙ୍କୁ ସଙ୍ଘବଦ୍ଧ ଭାବେ ନିସ୍ତୁକ ମାଡ଼ ଓ ଅପହରଣ ଘଟଣା ସମଗ୍ର ଅଂଚଳରେ ତୀବ୍ର ଚାଂଚଲ୍ୟ ସୃଷ୍ଟି କରିଛି। ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପରିବାର ପକ୍ଷରୁ ଗ୍ରାମଂଚଳ ଥାନାରେ ଏତଲା ପରେ ପୋଲିସ ତତ୍ପରତା ପ୍ରକାଶ କରଥିଲା । ଏଥିନେଇ ଏକ ମାମଲା ୪୦୪/୨୦୨୬ ରୁଜୁ କରି ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୩ ଜଣ ଯୁବକଙ୍କୁ ଅଟକ ରଖିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କେନ୍ଦ୍ରାପଡା ସଟଷ୍ଟେ ଘରେ ଛଡାଯାଇଥିବା ବେଳେ ଜଣେ ଅଣଛାତ୍ରଙ୍କୁ କୋର୍ଟଚାଲାଣ କରିଛନ୍ତି । ଭିଡିଓରେ ଦେଖାଯାଉଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି। ଖୁବ୍ଶୀଘ୍ର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀକାନ୍ତ ବାରିକ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ରାଜନଗର ଥାନା ଅଧିନ କୁରୁଂଟି ପଂଚାୟତ ଅଂଚଳର ଏକ ଗ୍ରାମର ଜୈନକ ଛାତ୍ର ଗୋବିନ୍ଦପୁର ମାମୁଁଘରେ ରହି ମଦନପୁର କଲେଜରେ +୨ରେ ପାଠ ପଢ଼ନ୍ତି। ଗତ ୩ ତାରିଖ ଦିନ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ଘେରିଯାଇ ମାରଣାସ୍ତ୍ର ସାହାଯ୍ୟରେ ସଙ୍ଘବଦ୍ଧ ଆକ୍ରମଣ କରି ନିସ୍ତୁକ ମାଡ଼ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓଟି ଭାଇରାଲ ହେବା ପରେ ସାଧାରଣରେ ବିରୋଧ ଓ ଉଦବେଗ ପ୍ରକାଶ ପାଇଥିଲା। ଛାତ୍ର ଜଣକ ଆକ୍ରମଣ ପରଠାରୁ ନିଖୋଜ ଥିବାରୁ ତାଙ୍କ ମା’ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଅଭିଯୋଗକୁ ଭିତି କରି ଗ୍ରାମାଂଚଳ ଥାନା ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା। ଦୀର୍ଘ ୩ ଦିନର କ୍ରମାଗତ ଉଦ୍ୟମ ପରେ ପୋଲିସ ଖଣ୍ଡେଇପଡ଼ା ଅଂଚଳରୁ ନିଖୋଜ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଉଦ୍ଧାର ହେବା ପରେ ପୀଡ଼ିତ ଛାତ୍ରଙ୍କ ବୟାନ ପୋଲିସ ପକ୍ଷରୁ ରେକର୍ଡ କରାଯାଇଛିି। ବୟାନରେ ସେ କହିଛନ୍ତି ଆକ୍ରମଣକାରୀମାନେ ତାଙ୍କୁ ଧାରୁଆ ଅସ୍ତ୍ରଶସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଯଦି ଏ ବିଷୟରେ କାହାକୁ କହିବୁ କିମ୍ବା ଥାନାରେ ଏତଲା ଦେବୁ, ତେବେ ତତେ ଖଣ୍ଡ ଖଣ୍ଡ କରି ହାଣି ନଦୀରେ ଭସାଇଦେବୁ ବୋଲି ଧମକ ଦେଇଥିବା ଛାତ୍ର ଜଣକ ପୋଲିସ ଆଗରେ ପ୍ରକାଶ କରିଛନ୍ତି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି। ଏହି ମାମଲାରେ ପୋଲିସ ଆକ୍ସନ୍ ମୋଡ୍କୁ ଆସିଛି। ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି ବିବାଦକୁ ନେଇ ଏହି ଆକ୍ରମଣ ହୋଇଛି ସେ ନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।

