- ୧୫ଟି ଜିଲ୍ଲାର ୭.୯୧ଲକ୍ଷ ଲୋକ ପ୍ରଭାବିତ
- ମାଟି ଶୁଖିଲା ଯାଏଁ ଲୋକଙ୍କୁ ମିଳିବ ରିଲିଫ୍
- ଆଜି ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭- ରାଜ୍ୟର ବିଶେଷତଃ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣବର୍ଷାଜନିତ ବନ୍ୟା ସୃଷ୍ଟି ହୋଇଛି। ୧୫ଟି ଜିଲ୍ଲାର ୭ଲକ୍ଷ ୯୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସମସ୍ତ ପ୍ରଭାବିତ ଲୋକଙ୍କୁ ମାଟି ଶୁଖିଲା ଯାଏଁ ରିଲିଫ୍ ଦିଆଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଆଜି ଲୋକସେବା ଭବନରେ ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା ହୋଇଥିଲା। ଏଥିରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିଲେ। ଆଭାସୀରେ ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ଆଜି ବୃଷ୍ଟିପାତ କମ୍ ଥିବା ସହ ଖରା ପାଗ ହୋଇଥିଲା ବେଳେ ବନ୍ୟା ପରିସ୍ଥିତିରେ କ୍ରମଶଃ ସୁଧାର ଆସିଛି। ତେବେ ମହାନଦୀରେ ଉଦ୍ବୃତ୍ତ ଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀର ଜଳପତ୍ତନସ୍ତର ଉପରେ ତୀକ୍ଷଣ ନଜର ରଖାଯିବା ସହ ଏହାର ଅବବାହିକା ଅଞ୍ଚଳ ତଥା ଉପକୂଳ ଜିଲ୍ଲାମାନଙ୍କରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରୁ ୧୫ଟି ଜିଲ୍ଲା ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ବେଳେ ବାକି ୧୫ଟି ଜିଲ୍ଲା ବନ୍ୟା ଦ୍ୱାରା ଊଣାଅଧିକେ ପ୍ରଭାବିତ ହୋଇଛନ୍ତି। ୧୫ଟି ଜିଲ୍ଲାର ୫୭ଟି ବ୍ଲକ୍ର ୪୪୬ଟି ପଞ୍ଚାୟତ ଅନ୍ତର୍ଗତ ୧୩୬୨ଟି ଗ୍ରାମ ଏବଂ ୧୧ଟି ପୌରାଞ୍ଚଳର ୧୭୪ ୱାର୍ଡର ପ୍ରାୟ ୭,୯୧,୮୪୬ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପାଣି ଘେରରେ ୨,୬୮,୯୪୩ ଜଣ ଲୋକ ରହିଥିବା ବେଳେ ୨୧୩୮୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ପ୍ରାୟ ୬୪୭ଟି ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧାଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଶିଶୁଖାଦ୍ୟ, ବୟସ୍କ ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନଦୀଗୁଡ଼ିକ ମଧ୍ୟରେ ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଜଳକା ଆଦି ନଦୀର ଜଳପତ୍ତନ ସ୍ତର କ୍ରମଶଃ ହ୍ରାସ ପାଇଥିଲା ବେଳେ ମହାନଦୀର ଜଳପତ୍ତନ ସ୍ତର ବିପଦସଙ୍କେତଠାରୁ ସାମାନ୍ୟ ଅଧିକ ରହିଛି। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨ ଟି ଗେଟ୍ ଖୋଲା ଥିବା ବେଳେ ମୁଣ୍ଡଳି ଠାରେ ୮,୬୫,୪୭୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଆଉ ୧୦ଟି ଗେଟ୍ ଖୋଲା ଯାଇ ସମୁଦାୟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏହି ଜଳ ହୀରାକୁଦରୁ ଆସି ମୁଣ୍ଡୁଳି ଠାରେ ପହଞ୍ଚିବାକୁ ପାଖାପାଖି ୪୦ ଘ ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାମାନଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ସହ ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ରାଜ୍ୟରେ ୧୭ଟି ଓଡ୍ରାଫ୍, ୬ଟି ଏନଡିଆରଏଫ୍ ଏବଂ ୧୧୨ଟି ଅଗ୍ନିଶମ ତଥା ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିୟୋଜିତ ଥିବା ସହ ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ, ରିଲିଫ୍ ସାମଗ୍ରୀ ପ୍ରଦାନ କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ଆଜି ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବନ୍ୟା ସ୍ଥିତି ସମୀକ୍ଷା କରିବେ ।
