କେନ୍ଦ୍ରାପଡ଼ା,୨୭ା୪: ଉପକୂଳବର୍ତୀ ଅଂଚଳରେ ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ କେନ୍ଦ୍ରାପଡା ଜିଲାର ବିଭିନ୍ନଅଂଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯେଗୁଁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି।ବିଶେଷତଃ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ଅଧିନରେ ଥିବା ସବ-ଡିଭିଜନ ପ୍ରଭୃତି ଅଂଚଳରେ ଦୈନିକ ବିଭିନ୍ନ ସମୟରେ ୧୦ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ଏନେଇ ପୂର୍ବରୁ କୈାଣସି ସୂଚନା ଦିଆଯାଉନାହିଁ ବୋଲି ବିଭିନ୍ନ ଅଂଚଳର ଅଭିଯୋଗ କରିଛନ୍ତି।
ଭରତପୁର ଗ୍ରାମର ସଞ୍ଜୟ କୁମାର ଦାସ କହିଛନ୍ତି ଅଘୋଷିତ ବିଦ୍ୟୁତ କାଟ ଦ୍ୱାରା ଲୋକେ ଛଟପଟ ହେଉଛନ୍ତି। ବିଶେଷକରି ଘରେ ଚିକିତ୍ସାଧିନ ଅବସ୍ଥାରେ ଥିବା ରୋଗୀ ଓ ବରିଷ୍ଠ ନାଗରିକ ବିଦ୍ୟୁତ କାଟ ଦ୍ୱାରା ଛଟପଟ ହେଉଛନ୍ତି। ସେହିପରି ନବଜାତକ ଓ ଶିଶୁମାନଙ୍କ ଅବସ୍ଥା ନକହିଲେ ଭଲ। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ କାଟ ହେବା ଦ୍ୱାରା ସେମାନେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।
ପଟ୍ଟାମୁଣ୍ଡାଇ ଅଂଚଳର ବୁଦ୍ଧିଜୀବି ପ୍ରଫୁଲ୍ଲ ଦାଶ କହିଛନ୍ତି ଯଦି ବିଦ୍ୟୁତ କାଟ ହେବ ସେ ନେଇ ବିଭାଗ ପକ୍ଷରୁ ବିଜ୍ଞାପନ ମାଧ୍ୟମରେ କିମ୍ବା ଡାକବାଜି ଯନ୍ତ୍ର ସାହାଯ୍ୟରେ ପୂର୍ବରୁ ସୂଚନା ଦେବା ଉଚିତ। ଏହାଦ୍ୱାରା ଲୋକମାନେ ପୂର୍ବରୁ ପ୍ରସ୍ତୁତ ହୋଇ ରହିବେ। ଲୋକେ ବିଦ୍ୟୁତ କାଟ ହେବା ଜାଣିଲେ ବିକଳ୍ପ ବ୍ୟବସ୍ଥା କରିପାରିବେ। କିନ୍ତୁ ଅଘୋଷିତ ଭାବେ ବିଦ୍ୟୁତ କାଟ ହେଉଥିବାରୁ ଲୋକେ ପ୍ରାକ୍ ସୂଚନା ପାଉନାହାନ୍ତି କି ସଠିକ ସମୟରେ ଏହାର ବିକଳ୍ପ ବ୍ୟବସ୍ଥା କରିପାରୁନାହାନ୍ତି। ଫଳରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ଛଡା ଅନ୍ୟ ପନ୍ଥା ରହୁନାହିଁ ବୋଲି ସେ କହିଛନ୍ତି।
ଅନେକ ଉପଭୋକ୍ତାମାନେ କୁହନ୍ତି ଲୋକମାନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଛଟପଟ ହେଉଛନ୍ତି। ବିଦ୍ୟୁତ ଉପଭୋକ୍ତାମାନେ ବିଭାଗକୁ ବାରମ୍ବାର ଏସମ୍ପର୍କରେ ଅବଗତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ସୁଫଳ ମିଳିପାରିନାହିଁ। ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ଦେଉନଥିବା କହିଛନ୍ତି ।
ବିଦ୍ୟୁତ ବିଭାଗ (ଟିପିସିଓଡିଏଲ) ପକ୍ଷରୁ ଗ୍ରାମାଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏଭଳି ଅଘୋଷିତ ବିଦ୍ୟୁତ କାଟକୁ ନେଇ ଉପଭୋକ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ବିଦ୍ୟୁତ ବିଭାଗକୁ ଚେତାବନୀ ଦେଇଛନ୍ତି। ଏସଂକ୍ରାନ୍ତରେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ(ଟିପିସିଓଡିଏଲ)ର ସହକାରୀ ସାଧାରଣ ପରିଚାଳକ ପ୍ରତାପ କୁମାର ସ୍ୱାଇଁଙ୍କୁ ପଚାରିବାରେ ସେ କୁହନ୍ତି ଯେ ଅଘୋଷିତ ବିଦ୍ୟୁତକାଟ ହେଉନାହିଁ। କେଉଁ କେଉଁ ସ୍ଥାନରେ ବିଦ୍ୟୁତ ଉପକରଣ ପୋଡିଯିବାରୁ ମରାମତି ପାଇଁ ଏଭଳି ସମସ୍ୟା ହେଉଛି।
Discover more from
Subscribe to get the latest posts sent to your email.