
ପଟ୍ଟାମୁଣ୍ଡାଇ ତା ୨୫/୧୧- ସମାଜର ଅବହେଳିତ ବିଭିନ୍ନବର୍ଗର ଲୋକ ଗରିବ ଖଟିଖିଆ ମୁଲିଆ ଆଦି ଗରିବ ଶ୍ରେଣୀର ଲୋକ ବିଶେଷ କରି ଗରିବ ମେଧାବୀ ଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା, ଗରିବ ରୋଗୀଙ୍କୁ ଚିକିତ୍ସା ସହାୟତା ଓ ରୋଗରେ ମୃତ ଗରିବ ନିଃସହାୟଙ୍କୁ ଶୁଦ୍ଧି କାର୍ଯ୍ୟ ପାଇଁ ସହାୟତା ସର୍ବୋପରି ଗରିବ ଲୋକମାନଙ୍କୁ ଘର ପୋଡି ଆଦି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ପକ୍ଷରୁ ଦୀର୍ଘ ବର୍ଷ ଧରି ଆର୍ଥିକ ସହାୟତା ପ୍ରଦାନ କରାଯାଊଥିବା ବେଳେ ଆଜି କେସିସି ସଭାପତି ସମାଜସେବୀ ପ୍ରମୋଦ ସାହୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ଗ୍ରାମର ସ୍ୱର୍ଗତ ସୁକାନ୍ତ ମଲିକଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି। କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ସଭାପତି ସମାଜସେବୀ ପ୍ରମୋଦ ସାହୁଙ୍କ ଏହି ମହତ କାର୍ଯ୍ୟକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି ।
ପଟ୍ଟାମୁଣ୍ଡାଇ ବ୍ଲକ ଓ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଖାରୁଣୀ ଗ୍ରାମର ସୁକାନ୍ତ ମଲିକ ଦୀର୍ଘ ୬ମାସ ହେବ ଲିଭର ଜଣ୍ଡିସ ଓ କ୍ୟାନ୍ସର ରୋଗରେ ପୀଡିତ ହୋଇ ଗତ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ । ଫଳରେ ତାଙ୍କ ପରିବାର ସଂପୂର୍ଣ୍ଣ ରୂପେ ବେସାହାରା ହୋଇପଡିଥିଲେ। ସେ ଅତ୍ୟନ୍ତ ଅସହାୟ ଗରିବ ଲୋକ ହୋଇଥିବାରୁ ଶୁଦ୍ଧି କାର୍ଯ୍ୟ ପାଇଁ ତାଙ୍କ ପରିବାର ଘୋର ଆର୍ଥୀକ ସଂକଟ ମଧ୍ୟ ଦେଇ ଗତି କରୁଛି । ଏ ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ସଭାପତି ସମାଜସେବୀ ପ୍ରମୋଦ ସାହୁ ମଙ୍ଗଳବାର କଖାରୁଣୀ ଗ୍ରାମକୁ ଯାଇ ମୃତ ସୁକାନ୍ତର ଘରେ ପହଂଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶୁଦ୍ଧି କାର୍ଯ୍ୟ ପାଇଁ ସୋସାଇଟି ପକ୍ଷରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ସଭାପତି ସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ମାନସ ରଞ୍ଜନ ରାଉତ, କର୍ମଚାରୀ ସୁମନ୍ତ ବେହେରା, ଦୈନିକ ଜମା ସଂଗ୍ରହକାରୀ ବିକାଶ ରଞ୍ଜନ ରାଉତ ଓ ଦେବବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।
