
ପଟ୍ଟାମୁଣ୍ଡାଇ ୧୫ା୮-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆଠାରେ ଶନିବାର ୮୦ ତମ ସ୍ୱାଧୀନତା ଦିବସ ସମାରୋହ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସେ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ସଭାକୁ ସମ୍ବୋଧିତ କରି ବିଧାୟକ ଶ୍ରୀ ସାହୁ କହିଥିଲେ ଯେ, ଆଜିର ଏହି ମହାନ ଦିବସ ଅକ୍ଲାନ୍ତ ପରିଶ୍ରମ ଓ ବଳିଦାନ ଦେଇ ଦେଶକୁ ସ୍ୱାଧୀନତା ଆଣିଦେଇଥିବା ସଂଗ୍ରାମୀମାନଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହି ମାଟିର ବୀର ସନ୍ତାନମାନେ ଦେଶର ସ୍ୱାଧୀନତା ସଂଗ୍ରାମରେ ଅତୁଲନୀୟ ଯୋଗଦାନ ଦେଇଛନ୍ତି। ସେମାନଙ୍କ ତ୍ୟାଗ ଓ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଆଜି ଆମେ ଏକ ମୁକ୍ତ ଏବଂ ପ୍ରଗତିଶୀଳ ଭାରତରେ ସ୍ୱାଧୀନତା ଉତ୍ସବ ପାଳନ କରୁଛୁ।”ଆମ ଦେଶ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର’। କୃଷି ଓ କୃଷକଙ୍କ ଆକ୍ଲାନ୍ତ ପରିଶ୍ରମ ଦେଶର ଅର୍ଥନୀତି ଓ ଖାଦ୍ୟ ସୁରକ୍ଷାର ମୂଳଦୁଆ। ଏଥିସହିତ ଜାପାନ ଭଳି ଅନ୍ୟାନ୍ୟ ଦେଶର ବିକାଶ ଗାଥାର ଉଦାହରଣ ଦେଇ ସେ କହିଥିଲେ ଯେ, ସମାନ ସମୟ ମଧ୍ୟରେ ସ୍ୱାଧୀନ ଓ ପୁନର୍ଗଠିତ ହୋଇଥିବା ଜାପାନ ଏବଂ ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦେଇ ଦ୍ରୁତ ଅଗ୍ରଗତି ହାସଲ କରିଛନ୍ତି। ଆମ ଦେଶକୁ ଆହୁରି ଅଗ୍ରଗାମୀ କରିବାକୁ ହେଲେ କୃଷି ସହିତ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ସୁଧାର ଆଣିବା ଆବଶ୍ୟକ। ନିକଟରେ ଚର୍ଚ୍ଚାରେ ଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ଜେଏନଜି/ସାଧାରଣ ଆନ୍ଦୋଳନ ସମ୍ପର୍କରେ ନିଜର ଚିନ୍ତା ବ୍ୟକ୍ତ କରି ବିଧାୟକ କହିଥିଲେ ଯେ, ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଓ ପ୍ରଶ୍ନପତ୍ର ପ୍ରକାଶନ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ଆବଶ୍ୟକ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ଚଞ୍ଚକତାକୁ ବରଦାସ୍ତ କରାଯିବ ନାହିଁ। ଏଥିସହିତ ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ସଂସ୍କାର ଉପରେ ସରକାର ଅଧିକ ଧ୍ୟାନ ଦେବାକୁ ସେ ଦାବି କରିଥିଲେ। ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ବିଧାୟକ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ଅଧିକାରୀ, ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ସମେତ ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଆଇନଜୀବୀ ଗୋପିନାଥ ତ୍ରିପାଠୀ, ସାମାଜିକକର୍ମୀ ରାଜେନ୍ଦ୍ର ଦାଶ,ଖଗେଶ୍ୱର ଲେଙ୍କାଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶହ ଶହ ସାଧାରଣ ଜନତା ଉପସ୍ଥିତ ଥିଲେ। ଶେଷରେ କୃର୍ତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଶୁଭ୍ରାଂଶୁ ସାହୁ .ଉଠାଜଳସେଚନ କାର୍ଯ୍ୟାଳୟରେ ଇଂ. ରବିନାରାୟଣ ମହାନ୍ତି , ଜଳସଂପଦ କାର୍ଯ୍ୟାଳୟରେ ଇଂ ସୁନିଲ ନାୟକ, ପୁର୍ତ ବିଭାଗ କାର୍ଯ୍ୟାଳୟରେ ସହନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା ଜାତୀୟ ପତାକା ଉତୋଳନ କରିଥିଲେ । ଏହାସହ ପଟ୍ଟାମୁଣ୍ଡାଇର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ସ୍ଥାନରେ ପତାକା ଉତୋଳନ ହୋଇଯାଇଛି ।
