
କେନ୍ଦ୍ରାପଡ଼ା,୧୭/୬- ସୋମବାର ତଥା ଶେଷରଜରେ “ମଦର ଟେରେସା ଚାରିଟେବୁଲ୍ ଟଷ୍ଟ”ର ଅଧ୍ୟକ୍ଷ ଇଂ ସୈାମ୍ୟରଂଜନ ଧଳଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡା ମୁନିସିପାଲଟି ଟାଉନ୍ ହଲରେ ଶେଷରଜ ଦିନ ଉତ୍ସାହର ସହିତ ରଜ ମହୋତ୍ସବ ପାଳନ କରାଯାଇଥିଲା । ଏହି ମହୋତ୍ସବ ଟଷ୍ଟର ଅଧ୍ୟକ୍ଷ ଶ୍ରୀ ଧଳ ଅଧ୍ୟକ୍ଷତା କରି କେନ୍ଦ୍ରାପଡାରେ କିପରି ସାସ୍କୃତିକ ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଓ ଏକ ସାସ୍କୃତିକ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ମୂଖ୍ୟ ଅତିଥିଭାବେ ମହାକାଳପଡାର ଯୁବ ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ଅଧକ୍ଷା ଲିଲିତା ଦାସ, ମୁନିସିପାଲଟି ଅଧ୍ୟକ୍ଷା ସରିତା ସାହୁ, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ବାମପନ୍ଥୀ ନେତା ଗୟାଧର ଧଳ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠି ପ୍ରମୁଖ ଯୋଗଦେଇ କହିଥିଲେ ଯେ ଏହିଭଳି ମହୋତ୍ସବ ଜିଲ୍ଲା ପାଇଁ ଗୌରବ ଆଣିବା ସହିତ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରୁଅଛି । ଏହିଭଳି କାର୍ଯ୍ୟକ୍ରମ ଜିଲ୍ଲାରେ ପ୍ରତି କୋଣ ଅନୁକୋଣରେ କରାଯାଇ ପ୍ରତିଭା କଳାକାରମାନଙ୍କୁ ସମ୍ମାନୀତ କରାଯିବା ଉଚିତ୍ । ଶ୍ରୀ ଧଳଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ମୁଖ୍ୟ ଅତିଥି ଡ. ନାୟକ କେନ୍ଦ୍ରାପଡା ଜିଲ୍ଲାରେ ଏକ ସାଂସ୍କୃତିକ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ ବୋଲି କେନ୍ଦ୍ରାପଡା ବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ପରିପ୍ରେକ୍ଷିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କଳାକାର, ସମାଜସେବୀ, ଆଦର୍ଶ ଶିକ୍ଷକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରାୟ ଦୁଇଶହରୁ ଉର୍ଦ୍ଧ ପ୍ରତିଭାଶାଳୀ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ମେଡାଲ ସହିତ ‘ଉତ୍କଳ ଜ୍ୟୋତି’ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ସମଗ୍ର ଜିଲ୍ଲାରେ ଏକ ନୂତନ ବାତାବରଣ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ନୃତ୍ୟଶୀଳ୍ପୀ, କଣ୍ଠଶୀଳ୍ପୀ, ଚିତ୍ରଶିଳ୍ପୀ, ସମାଜସେବୀ ଆଦର୍ଶ ଶିକ୍ଷକଙ୍କ ସମେତ ବହୁଛାତ୍ର ଛାତ୍ରୀମାନେ ଯୋଗଦେଇଥିଲେ ଓ ଭିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ସୈମ୍ୟରଂଜନ ଧଳ ମଞ୍ଚର ପରିଚାଳନା ଓ ଧନ୍ୟବାଦ ଦେଇଥିବା ବେଳେ ଅଭିରାମ ନାୟକ ଓ ସଞ୍ଜୟ ମଥାନ ପରିଚାଳନାରେ ସହଯୋଗ କରିଥିଲେ ।
