ନନ୍ଦିନୀ ଶତପଥୀଙ୍କ ୯୪ତମ ଜନ୍ମ ଜୟନ୍ତୀ ସମାରୋହ
ପଟ୍ଟାମୁଣ୍ଡାଇ ୧୦/୬-ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶାରେ ଲୌହମାନବୀ ଭାବେ ବେଶ ପରିଚିତ। ଓଡ଼ିଶାର ବିକାଶରେ ତାଙ୍କ ଭୂମିକା ଅପୂରଣୀୟ। ସେ ୧୯୩୧ ମସିହା ଜୁନ ୯ ରେ କଟକ ଜିଲ୍ଲାର ପିଠାପୁରରେ ଏକ ବିପ୍ଲବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ରାଜନୀତି ଓ ସାହିତ୍ୟ ପ୍ରତି ବେଶ ଆକର୍ଷିତ ହୋଇ ଛାତ୍ର ଆନ୍ଦୋଳନରୁ ସେ ରାଜନୀତିରେ ପ୍ରବେଶ କରିଥିଲେ। ମହିଳାମାନେ ଯେତେବେଳେ ହାଣ୍ଡିଶାଳରୁ ବାହାରୁ ନ ଥିଲେ, ସେତେବେଳେ ନନ୍ଦିନୀ ରେଭେନ୍ଶା ବିଶ୍ୱବିଦ୍ୟାଳୟରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ୧୯୪୬ ମସିହାରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିୟନ ଜ୍ୟାକ ପତାକା କାଢ଼ି ସେ ସାହାସିକତାର ପରିଚୟ ଦେଇଥିଲେ। ଏହାସହ ସେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ କାରାବରଣ କରିଥିଲେ। ଓଡ଼ିଶାରେ ମହିଳା ସଶକ୍ତୀକରଣ ପାଇଁ ନନ୍ଦିନୀ ଦୃଢ଼ ପଦକ୍ଷେପ ନେଇଥିଲେ। ସାରସ୍ୱତ ସୃଷ୍ଟି କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ଜଣେ ଲେଖିକା ଭାବେ ସମାଜର ସ୍ୱରକୁ ସେ ତାଙ୍କ ଲେଖାରେ ଶାଣିତ କରୁଥିଲେ ବୋଲି ସୋମବାର ରାଜନଗର ପ୍ରେସ କ୍ଲବ ଓ ନନ୍ଦିନୀ ଶତପଥୀ ସ୍ମୃତିପରିଷଦ ପକ୍ଷରୁ ଅନୁଷ୍ଠିତ ୯୪ତମ ଜନ୍ମ ଜୟନ୍ତୀ ଅବଶରରେ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ବରିଷ୍ଠ ପତ୍ରକାର ଭାସ୍କର ରାଉତରାୟଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଗବେଶକ ସାହିତ୍ୟିକ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଗତ ୭୦ ଦଶକରେ ପଟ୍ଟାମୁଣ୍ଡାଇ-ରାଜନଗର ଅଂଚଳକୁ ଆସିଥିବା ମହା ବିନାଶ କାରି ବନ୍ୟାରେ ହଜାର ହଜାର ଲୋକ ବିପନ୍ନ ହୋଇ ନାହିଁ ନଥିବା ଯନ୍ତ୍ରଣାରେ ପେଶୀ ହୋଇପଡିଥିଲେ।ଏପରି ସମସ୍ୟା ସମ୍ପର୍କରେ ଖବର ପାଇ ନନ୍ଦିନୀ ଦେବୀ ସେମାନଙ୍କ ପାଖରେ ପହଁଚି ଅକୁଣ୍ଠ ସାହାଯ୍ୟ ସହଯୋଗ ଦୃର୍ଗତ ମାନବର ବନ୍ଧୁଭାବେ ପରିଚୟ ଦେଇ ଥିଲେ । ନଦୀ ନାଳ ଘେରା ରାଜନଗର ଅଂଚଳର ନଦୀ କୂଳୀଆ ଲୋକଙ୍କୁ ନଦୀ ଗ୍ରାସରୁ ରକ୍ଷା କରିବା ପାଇଁ ପଥ ପ୍ୟାକିଂ ଓ ବନ୍ଧ ସଦୃଢିକରଣ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇ ରାଜନଗର ବାସୀଙ୍କ ଦେବ ଦୁତ ସାଜିଥିଲେ । ମୁଖ୍ୟ ବକ୍ତା ଭାବରେ ପ୍ରଫେସର ସତ୍ୟବାଦୀ ଜେନା, ସମ୍ମାନିତ ଅତିଥି ଭାବେ ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଘନଶ୍ୟାମ ମିଶ୍ର, ଯୋଗ ଦେଇ ନନ୍ଦିନୀ ଦେବୀଙ୍କ ଆତ୍ମଜୀବନୀ ପିଲାମାନଙ୍କ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଲେ ଆଜିର ଯୁବପିଢ଼ି, ଛାତ୍ରୀ ଛାତ୍ରତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବେ ବୋଲି ଆହ୍ୱାନ ଦେଇଥିଲେ। ଏପରି ଜଣେ ମହିୟସୀ ମହିଳାଙ୍କ ତ୍ୟାଗ, ତିତୀଖ୍ୟା, ସମର୍ପଣ ଓ ରାଜନୈତିକ ଦକ୍ଷତା, କାର୍ଯ୍ୟଧାରା, ସଂସ୍କାରବାଦୀ ଉପରେ ଆଗାମୀ ଯୁବପିଢ଼ି ପ୍ରେରଣାର ଉତ୍ସ ପାଇପାରିବେ । ରାଜ୍ୟ ସରକାର ଏ କ୍ଷେତ୍ରରେ ସମିକ୍ଷା କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ନିବେଦନ କରିଥିଲେ । ଏହି ସମାରୋହରେ ଶିକ୍ଷାବିତ ଅନିଲ ବଳ, ବିଜୟ ଜେନା, ଅକ୍ଷୟ ନାୟକ, ଗଗନବିହାରି ସ୍ୱାଇଁ, କବି ପବିତ୍ର ନାୟକ, ବିମଳା ସେନ, ବୀରକିଶୋର ଜେନା, କୃପାସିନ୍ଧୁ ସାମଲ, ଅଭିରାମ ପତି, ଜଗବନ୍ଧୁ ବେହେରା ସମେତ ରାଜନଗର ପ୍ରେସ କ୍ଲବର ସମସ୍ତ ଖବରଦାତା ଯୋଗ ଦେଇଥିଲେ ।
Discover more from Lokamata Odisha
Subscribe to get the latest posts sent to your email.