
ପଟ୍ଟାମୁଣ୍ଡାଇ ୧୭/୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଗ୍ରାମ ପଂଚାୟତଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍ର ଅଧିକାରୀ ଯୋଗ ଦେଇ ମୋଟ୍ ୭୪ ଗୋଟି ଅଭିଯୋଗର ଶୁଣାଣି କରିଥିଲେ । ସେଥି ମଧ୍ୟରୁ ୧୦ ଗୋଟି ସାମୁହିକ ଏବଂ ୬୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନୂତନ ରାସନ୍କାର୍ଡ଼ ପ୍ରଦାନ, ଅନ୍ତୋଦୟ ଯୋଜନାରେ ନାମ ସାମିଲ କରିବା, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତା ଓ ଜମି ସମସ୍ୟା ଆବେଦନ ପତ୍ର ଆଦି ଦରଖାସ୍ତଗୁଡ଼ିକ ରହିଥିଲା । ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ରାସ୍ତା ମରାମତି ତଥା ନୂତନ ରାସ୍ତା ନିର୍ମାଣ, ଜଳସେଚନ ନିମନ୍ତେ ନୂତନ ଟ୍ୟୁବୱେଲ, ବେଆଇନ ଭାବେ ଅଧିକୃତ ସରକାରୀ ଜମି ଉଚ୍ଛେଦ ଓ ଧାନ ସଂଗ୍ରହ ବୃଦ୍ଧି ନିମନ୍ତେ ଆଦି ଅଭିଯୋଗଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ଏଗୁଡ଼ିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ ଦେଇଛନ୍ତି ।
