
ବାଲେଶ୍ୱର ସଦର ଥାନା ରେଲୱେ ଷ୍ଟେସନ ପଛ ପାଖ ଅଂଚଳରେ ପ୍ରେମକୁ ନେଇ ତୁମୁଳକାଣ୍ଡ ଘଟିଛି । ଯେଉଁଠି ତ୍ରିକୋଣ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ପ୍ରେମିକାକୁ ନିଜର କରିବା ଏବଂ ବିବାଦର ମୀମାଂସା କରିବା ନାଁରେ ପ୍ରଥମ ପ୍ରେମିକ ଆସି ଦ୍ୱିତୀୟ ପ୍ରେମିକର ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଛି । ବିଚ୍ ରାସ୍ତାରେ ଧାରୁଆ କଟୁରୀରେ ଗୋଡ଼ାଇ ଗୋଡ଼ାଇ ହାଣିଛି।
ଯୁବତୀଜଣକର ଦୁଇ ଜଣ ପ୍ରେମିକ ଥିଲେ। ପ୍ରଥମ ପ୍ରେମିକ ବାରମ୍ବାର ପ୍ରେମିକାଙ୍କୁ ଧମକଚମକ ଦେବା ସହ ହଇରାଣ ହରକତ କରୁଥିଲେ। ଏହାର ସମାଧାନ ପାଇଁ ସେ ପ୍ରେମିକାକୁ ଏକାକି ଡାକିଥିଲେ। ମାତ୍ର ସେ ଏକା ନଆସି, ନିଜ ସହ ଦ୍ୱିତୀୟ ପ୍ରେମିକର ମାଆ ଏବଂ ମାମୁଁଙ୍କୁ ସାଙ୍ଗରେ ଆଣିଥିଲେ। ଏଥିରେ ପ୍ରଥମ ପ୍ରେମିକ ଚିହିଁକି ଉଠିଥିଲା । ପୂର୍ବ ଯୋଜନା ମୁତାବକ ନିଜ ସହ ତେଲେଙ୍ଗା କଟୁରୀ ଓ ଅନ୍ୟାନ୍ୟ ଧାରୁଆ ହତିଆର ଧରି ଆସିଥିଲା। କଥା କଟାକଟିରୁ ସୀମା ପାର ହୋଇ ସେ ବିଚ ରାସ୍ତାରେ ଦ୍ୱିତୀୟ ପ୍ରେମିକର ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ କ୍ରୁର ଭାବେ ହାଣି ପକାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ୨ ଜଣଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ, ପୀଡ଼ିତା ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରଥମ ପ୍ରେମିକକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
