
ପଟ୍ଟାମୁଣ୍ଡାଇ୨୨/୫- ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ପଟ୍ଟାମୁଣ୍ଡାଇ ବଡ଼ ମୂଳବସନ୍ତ ଠାରେ ଅବସ୍ଥିତ ଗଡମେକରର ନୃତ୍ୟଶିଳ୍ପୀ ସମ୍ପୂର୍ଣ୍ଣାଇନ୍ଦୁ ପାଣି କେନ୍ଦ୍ର ସରକାରଙ୍କ ମର୍ଯ୍ୟାଦାଜନକ ସିସିଆରଟି ବରିଷ୍ଠ ଜାତୀୟ ଯୁବ ପ୍ରତିଭା ବୃତି ଲାଭ କରିଛନ୍ତି। ସୁପ୍ରସିଦ୍ଧ ନୃତ୍ୟଗୁରୁ ଲିଙ୍ଗରାଜ ପ୍ରଧାନଙ୍କ ପ୍ରଗାଢ଼ ଶିକ୍ଷାଦାନ ସହିତ ଗଡମେକର୍ ପ୍ରତିଷ୍ଠାତା ନିର୍ଦ୍ଦେଶକ ଗୀତିକବି ତଥା ଗୁରୁଶ୍ରୀ ସୁଶାନ୍ତ ପାଣି ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନାଙ୍କ ମାର୍ଗଦର୍ଶନରେ ଏଭଳି ବିରଳ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସେ କହିଛନ୍ତି ।
ବଡ଼ ମୂଳବସନ୍ତ-ନସିପୁର ନିବାସୀ ଲବ୍ଧପ୍ରତିଷ୍ଠ ସାଂସ୍କୃତିକ ବ୍ୟକ୍ତିତ୍ୱ ପିତା ସୁଶାନ୍ତ କୁମାର ପାଣି ଏବଂ ଓଡ଼ିଶୀ ସଙ୍ଗୀତ ବିଶାରଦା ମାତା ଅଞ୍ଜଳି ପାଣିଙ୍କ ସୁଯୋଗ୍ୟା କନ୍ୟା ସିଞ୍ଜନ୍ ସମ୍ପୂର୍ଣ୍ଣା ମାତ୍ର ଛଅବର୍ଷ ବୟସରେ ପଶ୍ଚିମବଙ୍ଗର ରିଶଡାଠାରେ ଚମତ୍କାର ନୃତ୍ୟ ପରିବେଷଣ କରି ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡମେର୍କ)ରେ ଏବଂ ପରେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବିଗତ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ନୃତ୍ୟଶିକ୍ଷାଲାଭ ସହିତ ମନୋଜ୍ଞ ପରିବେଷଣ କରି ସେ ଆଜି ସ୍ୱନାମଧନ୍ୟା ଲାଭ କରିଛନ୍ତି । ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀରୁ “ନୃତ୍ୟଶାସ୍ତ୍ରୀ” ଓ ପ୍ରାଚୀନ କଳା କେନ୍ଦ୍ର(ଚଣ୍ଡିଗଡ)ରୁ “ନୃତ୍ୟ ବିଶାରଦ” ଉପାଧି ସହିତ ସୁଶ୍ରୀ ସମ୍ପୂର୍ଣ୍ଣାଇନ୍ଦୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ବିପିଏ ଡିଗ୍ରୀପ୍ରାପ୍ତ କରିଛନ୍ତି । ସେ ମୁମ୍ବାଇସ୍ଥ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ କୋଣାର୍କ ନୃତ୍ୟ ମହୋତ୍ସବ ପର୍ଯ୍ୟନ୍ତ ସର୍ବତ୍ର ନିଜ ଧୂରୀଣ କଳାପାଟବତା ପ୍ରଦର୍ଶନ କରିଥିବା ସମ୍ପୂର୍ଣ୍ଣାଇନ୍ଦୁ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଜଣେ ସ୍ୱୀକୃତିପ୍ରାପ୍ତ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ। ନିଜ କୃତୀତ୍ୱର ନିଦର୍ଶନ ସ୍ୱରୂପ ସମ୍ପୂର୍ଣ୍ଣାଇନ୍ଦୁ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବ, ଧଉଳି କଳିଙ୍ଗ ନୃତ୍ୟ ମହୋତ୍ସବ, କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ, ନୂଆଦିଲ୍ଲୀ ବିଶ୍ୱ ବାଣିଜ୍ୟ ମେଳା ଓ ବିଶ୍ୱ ସାଂସ୍କୃତିକ ମହୋତ୍ସବ, ଗୈାହାଟୀ ଓଡ଼ିଶା ପର୍ବ, କୋଲକାତା ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ତଥା ଉତ୍କଳା ରଥଯାତ୍ରା ମହୋତ୍ସବ, ଟାଟାନଗର ଓ ବରୋଦା ଉତ୍କଳ ଦିବସ ସମାରୋହ ଆଦି ସହିତ ସମଗ୍ର ଓଡ଼ିଶାର ୩୦ଟି ଜିଲା ଓ ସୁପ୍ରସିଦ୍ଧ ଜିଲା ମହୋତ୍ସବମାନଙ୍କରେ ନୃତ୍ୟ ପରିବେଷଣ କରି ସ୍ୱନାମଧନ୍ୟା ଅର୍ଜନ କରିଛନ୍ତି।ସେ ଭବିଷ୍ୟତରେ ଜଣେ ବିଶ୍ୱବିଖ୍ୟାତ ନୃତ୍ୟଶିଳ୍ପୀ ହେବାର ଲକ୍ଷ୍ୟ ରଖିଛନ୍ତି।
