ଥାନାରେ ଏତଲା , ପୋଲିସର ତଦନ୍ତ ,ଶ୍ୱଶୁରକୁ ଅଟକ

ପଟ୍ଟାମୁଣ୍ଡାଇ ୨୩/୧ – କନ୍ୟା ସନ୍ତାନ ଜନ୍ମ ଦେବାରୁ ଶ୍ୱଶୁର ତାଙ୍କ ବୋହୁକୁ ଜୀବନ୍ତ ଜାଳି ମାରି ଦେବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଡାମରପୁର ଗାଁରୁ ଆସିଛି । ଡାମପୁର ଗ୍ରାମର ସସ୍ମିତା ଦାସ ଓ ତାଙ୍କ ୩ବର୍ଷର କନ୍ୟା ଘରେ ଶୋଇଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ଶ୍ଵଶୁର ପ୍ରଫୁଲ୍ଲ ରାୟ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଯାହାକୁ ନେଇ ସସ୍ମିତା ନିରୁପାୟ ହୋଇ ନିଜ ପିଲାକୁ ନେଇ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଗ୍ରାମବାସୀ ନିଆଁକୁ ଆୟତ କରିଥିଲେ ସୁଧା ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଶ୍ବଶୁରଙ୍କ ଏପରି ଅମାନବୀୟ କାର୍ଯ୍ୟ ଡରରେ ସସ୍ମିତା ସାରା ରାତି ବାହାରେ ଅତିବାହିତ କରିଥିଲେ । ଏହି ଘଟଣା ପରଦିନ ସସ୍ମିତା ତାଙ୍କ ମାଆ ଭାଇଙ୍କ ସହିତ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଏକ ମାମଲା ୫୭/୨୦୨୬ରେ ରୁଜୁ କରି ଅଭିଯୁକ୍ତ ଶ୍ୱଶୁରଙ୍କୁ ଅଟକରଖିଛି । ପୋଲିସ ଆଇଆଇସି ଶ୍ରୀକାନ୍ତ ବରିକଙ୍କୁ ପଚାରିବାରେ ଅଭିଯୋଗ ଅନୁଯାଇ ସମସ୍ତ ଦିଗ ଉପରେ ତଦନ୍ତ କରାଯାଉଛି ଏବଂ ତଦନ୍ତ ଶେଷ ହେବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କନ୍ୟା ସନ୍ତାନ ଜନ୍ମ ହେବାରୁ ହେଉଥିଲା ନିର୍ଯାତନା
ସୁଚନା ଅନୁଯାଇ ଗତ ୨୦୧୮ ମସିହାରେ କଟକ ଜିଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗ୍ରାମର ପ୍ରଫୁଲ୍ଲ ରାୟଙ୍କ ପୁଅ ଶୁଶାନ୍ତ ରାୟଙ୍କୁ ବିବାହ କରିଥିଲେ । ଶୁଶାନ୍ତଙ୍କର ପ୍ରଥମ ପତ୍ନୀର ଦୁଇଟି ଝିଅ ଥିବା ବେଳେ ଦ୍ୱିତୀୟ ପତ୍ନୀର ଗୋଟିଏ ଝିଅ ହେଇଥିଲା । ସସ୍ମିତାଙ୍କର ପୁଅ ବଦଳରେ ଏକ ଝିଅ ହେବାରୁ ତାଙ୍କ ଶ୍ୱଶୁର ଘର ଲୋକେ ଖୁସି ନଥିଲେ। ସ୍ୱାମୀ, ଶ୍ୱଶୁର ଏବଂ ଶାଶୂ ତାଙ୍କୁ ଦୀର୍ଘ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଯାହାକୁ ନେଇ ବହୁ ବାର ସସ୍ମିତାଙ୍କ ଭାଇ ଆସି ବୁଝାସୁଝା କରିଥିଲେ ମଧ୍ୟ କିଛି ଦିନ ଥମିଯିବା ପରେ ପୂର୍ବ ପରି ନିର୍ଯ୍ୟାତନା ଚାଲୁଥିଲା । ବହୁ ଦୁଃଖ କଷ୍ଟେ ସସ୍ମିତା ସେଠାରେ ଚଳି ଆସୁଥିଲେ। ମାତ୍ର ଗତକାଲି ରାତିରେ ଶ୍ୱଶୁୁରଙ୍କ ଏପରି ଅମାନବିୟ କାର୍ଯ୍ୟ ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।
ବେଡ୍ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ
ପୀଡିତା ସସ୍ମିତା କହିଥିଲେ ଯେ ଗତକାଲି ରାତିରେ ଘରେ ଶୋଇଥିଲା ବେଳେ ତାଙ୍କ ଶ୍ୱଶୁର ଏକ ପେଟ୍ରୋଲ ଆଣି ବିଛଣାରେ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ଘରର ସବୁକିଛି ପାଉଁଶ ହୋଇଯାଇଥିଲା। ଅନ୍ଧାର ଏବଂ ବିଶୃଙ୍ଖଳା ମଧ୍ୟରେ ଖସିଯିବାରେ ସଫଳ ହୋଇଥିଲେ । କିନ୍ତୁ ତାଙ୍କ ନବଜାତ ଝିଅ ଘର ଭିତରେ ରହିଯାଇଥିଲା। ଯେତେବେଳେ ପିଲାଟିକୁ ଉଦ୍ଧାର କରିବା ପାଇଁ ପୁଣି ଥରେ ଘରକୁ ପ୍ରବେଶ କଲେ, ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଆକ୍ରମଣ କରିଥିଲେ। ମାତ୍ର ସେ ଖସି ଭୟରେ ରାତିସାରା ଝିଅକୁ ନେଇ ଘର ବାହାରେ ରହିଥିଲେ। ସେ ଆହିରି କହିନ୍ତି ଯେ ତାଙ୍କ ଝିଅର ଜନ୍ମ ପରେ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲରେ ଏକା ରଖାଯାଇଥିଲା। ସେମାନେ ମୋର ମୃତ୍ୟୁ କାମନା କରୁଥିଲେ। ମୋ ସ୍ୱାମୀ ଏବଂ ଶ୍ୱଶୁର ପ୍ରାୟତଃ ମୋତେ ମାଡ଼ ମାରୁଥିଲେ ଏବଂ ଦୁର୍ବ୍ୟବହାର କରୁଥିଲେ।
ଗଦିରେ ନିଆଁ ଲଗାଇଥିଲି
ଅଭିଯୋଗକୁ ଖଣ୍ଡନ କରି ସ୍ୱାମୀ ସୁଶାନ୍ତ ବାପା ପ୍ରଫୁଲ ରାୟ ଦାବି କରିଛନ୍ତି ଯେ ସସ୍ମିତା ସନ୍ଧ୍ୟା ୬ଟାରେ ଶୋଇବାକୁ ଯାଉଥିଲେ ଯେ ରାତି ୧୦ ପର୍ଯ୍ୟନ୍ତ ଉଠୁନଥିଲେ । କବାଟ ବାଡ଼େଇଲେ ମଧ୍ୟ ଉତର ଦେଉ ନଥିଲେ । ତେବେ ରାଗି କରି ଗଦିରେ ନିଆଁ ଲଗାଇ ଦେଇଥିଲେ। ମାତ୍ର ଅନ୍ୟ କିଛି ଉଦ୍ଦେଶ୍ୟ ନଥିଲା ।
