
କେନ୍ଦ୍ରାପଡ଼ା ୫ା୬- ଅନ୍ୟ ଜାତିର ଲୋକଙ୍କୁ ତାଙ୍କ ଜମି ବିକ୍ରୟ କରିବାକୁ ଅନୁମତି ପାଇଁ ଅଧିକାରୀମାନଙ୍କ ଦ୍ୱାରା ନିରନ୍ତର ନିର୍ଯାତନାର ଶିକାର ହେବା ପରେ ଶୁକ୍ରବାର ଦିନ କେନ୍ଦ୍ରାପଡା କଲେକ୍ଟୋରେଟ୍ ଭିତରେ ଜଣେ ୨୬ ବର୍ଷୀୟ ଦଳିତ ଯୁବକ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତକଙ୍କ ନାମ ନିକିରେଇ ଥାନା ଅନ୍ତର୍ଗତ ରାଇତୁଣ୍ଡି ଗ୍ରାମର ଶ୍ରୀଚନ୍ଦନ ମଲ୍ଲିକ ବୋଲି ଚିହ୍ନଟ କରାଯାଇଛି। ସକାଳୁଆ ଅଫିସ ଯୋଗୁଁ କାର୍ଯ୍ୟଳୟ ବନ୍ଦ ଥିବାରୁ କମ୍ ଲୋକ ଥିବା ସମୟରେ ଶୁକ୍ରବାର ଅପରାହ୍ନ ୧ଟା ସମୟରେ କଲେକ୍ଟୋରେଟ୍ କାର୍ଯ୍ୟାଳୟର ଲୁହା ରେଲିଂରେ ସେ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ।
ପରିବାର ସଦସ୍ୟ ଏବଂ ଦଳିତ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଶ୍ରୀଚନ୍ଦନ ଗତ କିଛି ଦିନ ହେବ ଆର୍ଥିକ ଦୁଃସ୍ଥିତିରେ ଥିଲେ। ଅନୁସୂଚିତ ଜାତି ହୋଇଥିବାରୁ ଆର୍ôଥକ ଦୁଃସ୍ଥିତିରୁ ମୁକୁଳିବା ପାଇଁ ସେ ଜମି ବିକିବାକୁ ସ୍ଥିର କରିଥିଲେ । ଜଣେ ଅନୁସୂଚିତ ଜାତିର ବ୍ୟକ୍ତି ହୋଇଥିବାରୁ ସାଧାରଣ ବର୍ଗର ବ୍ୟକ୍ତିଙ୍କୁ ଜମି ବିକ୍ରୟ ପାଇଁ ଓଡ଼ିଶା ଭୂମି ସଂସ୍କାର (olr) ଆଇନ, ୧୯୬୦ ର ଧାରା ୨୨ ଅନୁଯାୟୀ ଉପଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକଥିଲା। ତେଣୁ ସେ ଏଥିନିମନ୍ତେ ଆବେଦନ କରିବା ସହିତ ବାରମ୍ବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡୁଥିଲେ।ଅଧିକାରୀମାନଙ୍କ ଦ୍ୱାରା କଠୋର ମାନସିକ ନିର୍ଯାତନାର ସମ୍ମୁଖୀନ ହେବା ପରେ ସେ ନିଜ ଜୀବନ ଶେଷ କରିଦେଇଛନ୍ତି।olr
ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଗୀତା ସେଠୀ ଅଭିଯୋଗ କରିଛନ୍ତି ଯେ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ତାଙ୍କ ସମ୍ପତ୍ତି ହସ୍ତାନ୍ତର ପାଇଁ ଅନୁମତି ପ୍ରଦାନ କରିବାରେ ଦୀର୍ଘ ବିଳମ୍ବ ଯୋଗୁଁ ହତାଶାରେ ଶ୍ରୀଚନ୍ଦନ ମଲ୍ଲିକଙ୍କୁ ଜୀବନ ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ। ଘଟଣା ବିଷୟରେ ଜାଣିବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ପଠାଇଛି।
ଏ ସମ୍ପର୍କରେ ଉପ ଜିଲାପାଳ ଅରୁଣ କୁମାର ନାୟକ କହିଛନ୍ତି, ଶ୍ରୀଚନ୍ଦନଙ୍କ କୌଣସି ପ୍ରକାର କାଗଜ କାର୍ଯ୍ୟାଳୟରେ ନାହିଁ। ଜିଲାପାଳ ରଘୁରାମ ଆର. ଆୟାର କହିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଜିଲା ପୋଲିସ ପ୍ରତ୍ୟେକ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି, ଭରତଙ୍କ ଅଭିଯୋଗ ପତ୍ରକୁ ଭିତ୍ତିକରି ଏକ ଅପମୃତ୍ୟୁ ମାମଲା(ନଂ. ୫/୨୬)ରୁଜୁ ହୋଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି।
