
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇ ପାଟଣା ଗ୍ରାମର ନିଖୋଜ ଯୁବକ ଗୌରାଙ୍ଗ ସେଠୀଙ୍କ ଉଦ୍ଧାର ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଆଜି ମିଳିତ ଏସ୍ସି/ଏସ୍ଟି ସମନ୍ୱୟ କମିଟି, କେନ୍ଦ୍ରାପଡ଼ା ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ମିଳିତ ଏସ୍ସି/ଏସ୍ଟି ସମନ୍ୱୟ କମିଟିର ରାଜ୍ୟ ଅଧ୍ୟକ୍ଷ ମନୋରଞ୍ଜନ ଜେନା। ଏହି ଅବସରରେ ଗୌରାଙ୍ଗ ସେଠୀଙ୍କ ପିତା ଅରୁଣ ସେଠୀ, ଆଡଭୋକେଟ୍ ଅପୂର୍ବ ରଞ୍ଜନ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଦଶରଥ ମଲ୍ଲିକ, ଜିଲ୍ଲା ସଂଯୋଜକ ଖଗେଶ୍ୱର ମଲ୍ଲିକ, ଜିଲ୍ଲା ଆବାହକ ମଣ୍ଡଳୀ ଦିଲୀପ କୁମାର ମଲ୍ଲିକ, ଈଶ୍ୱର ଚନ୍ଦ୍ର ମଲ୍ଲିକ, ରାଜ୍ୟ ମହିଳା ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ରାଜକିଶୋର ମଲ୍ଲିକ, ପରୀକ୍ଷିତ ମଲ୍ଲିକ,ପଟାମୁଣ୍ଡାଇ ମୁନିସିପାଲିଟି ସଭାପତି କଳ୍ପତରୁ ମଲ୍ଲିକ, ଜିଲ୍ଲା ସଂଯୋଜକ ବାରେଣୀ ସେଠୀ, ସୁହାନା ବେଗମ, ନିରଞ୍ଜନ ସେଠୀ, ବନମାଳୀ ଜେନା, ଚୈତନ୍ୟ ସେଠି ଙ୍କ ସମେତ ବହୁ ସଂଖ୍ୟାରେ ସଂଗଠନର କର୍ମକର୍ତ୍ତା ଓ ସମର୍ଥକମାନେ ଉପସ୍ଥିତ ଥିଲେ। ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆଙ୍କୁ ସାକ୍ଷାତ କରି ଘଟଣାର ସମସ୍ତ ବିବରଣୀ ଅବଗତ କରାଇଥିଲେ। ସେମାନେ ଜଣାଇଥିଲେ ଯେ, ଘଟଣାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଗୌରାଙ୍ଗ ସେଠୀଙ୍କ କୌଣସି ସନ୍ଧାନ ମିଳିନାହିଁ। ଏହି ଘଟଣା ସମଗ୍ର ଜିଲ୍ଲା ଓ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୀଡ଼ିତ ପରିବାର ଗଭୀର ଚିନ୍ତା ଓ ଆତଙ୍କ ମଧ୍ୟରେ ଦିନ କାଟୁଛନ୍ତି। ଦାବିପତ୍ର ଗ୍ରହଣ କରି ଜିଲ୍ଲାପାଳ ଶ୍ରୀ ଆୟର ଏବଂ ଏସ୍ପି ଶ୍ରୀ କାଟାରିଆ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିବା ପ୍ରକାଶ କରିଥିଲେ। ଉଭୟ ଅଧିକାରୀ ନିଜେ ଏହି ଘଟଣାର ତଦାରଖ କରୁଥିବା ସହ ଗୌରାଙ୍ଗ ସେଠୀଙ୍କୁ ଶୀଘ୍ର ଉଦ୍ଧାର କରିବା ଏବଂ ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଥିଲେ। ଏସ୍ପି ଶ୍ରୀ କାଟାରିଆ ଜଣାଇଥିଲେ ଯେ, ଗୌରାଙ୍ଗ ସେଠୀଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି ଏବଂ ତଦନ୍ତ ଓ ଖୋଜାଖୋଜି କାର୍ଯ୍ୟକୁ ଜୋରଦାର କରାଯାଇଛି। ଖୁବ୍ଶୀଘ୍ର ଘଟଣାର ସଠିକ୍ ତଥ୍ୟ ସାମ୍ନାକୁ ଆସିବ ଏବଂ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି। ବୈଠକ ପରେ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୌରାଙ୍ଗ ସେଠୀଙ୍କୁ ଉଦ୍ଧାର କରାଯିବା ସହ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ, ଆସନ୍ତା ୦୮ ଜୁନ ୨୦୨୬ ତାରିଖରୁ ଆଳି ଥାନା ସମ୍ମୁଖରେ ବିଶାଳ ଗଣଧାରଣା, ବିକ୍ଷୋଭ ପ୍ରଦର୍ଶନ ଏବଂ ଥାନା ଘେରାଉ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ନିଷ୍ପତ୍ତି ସଂଗଠନର ଜରୁରୀ ବୈଠକରେ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିବା ନେତୃବୃନ୍ଦ ପ୍ରକାଶ କରିଛନ୍ତି। ସଂଗଠନର ନେତୃବୃନ୍ଦ କହିଛନ୍ତି ଯେ, ଗୌରାଙ୍ଗ ସେଠୀଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେମାନଙ୍କର ଆନ୍ଦୋଳନ ଜାରି ରହିବ ଏବଂ ପୀଡ଼ିତ ପରିବାର ସହ ସମଗ୍ର ଦଳିତ ଓ ଗଣତାନ୍ତ୍ରିକ ଶକ୍ତି ଏକଜୁଟ ହୋଇ ସଂଘର୍ଷ କରିବେ।
