
କେନ୍ଦ୍ରାପଡା ୧୩/୧- ତ୍ରୟବିଂଶ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳାରେ ଓଡିଆ ସଙ୍ଗୀତ ଜଗତର ବେତାଜ୍ ବାଦ୍-ଶାହା ଅକ୍ଷୟ ମହାନ୍ତିଙ୍କ ସ୍ମତିରେ ତ୍ରୟବିଂଶ ଚିର ସବୁଜ ଅକ୍ଷୟ ମହାନ୍ତି ସ୍ମୃତି ସଙ୍ଗୀତ ସନ୍ଧ୍ୟା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ମହୀପାଳ ଟେଲିକମ୍ ଗ୍ରାଉଣ୍ଡ୍ରେ ମହାସମାରୋହରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ତଥା ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତା ଏବଂ ସଂଯୋଜନାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଅକ୍ଷୟଙ୍କ ବନ୍ଧୁ ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ବିମଳ ପ୍ରସାଦ ପରିଡା, ନିରୁପମା ଜେନା, ଉପେନ୍ଦ୍ର ପାଢ଼ୀ, ସନ୍ତୋଷ ଦାସ ପ୍ରମୁଖ ଅକ୍ଷୟଙ୍କ କାଳଜୟୀ ଭଜନ, ଲଘୁ ସଙ୍ଗୀତ ଏବଂ ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ କରି ଉପସ୍ଥିତ ସମସ୍ତଙ୍କୁ ଅକ୍ଷୟଙ୍କ ଅମ୍ଳାନ ସ୍ମୃତିରେ ଭାବ ବିହ୍ୱଳ କରିଥିଲେ। ଉପସ୍ଥିତ କଣ୍ଠଶିଳ୍ପୀମାନେ କେଣେ ଘେନି ଯାଉଛ, ପୁଣ୍ୟର ନଦୀ ତୀରେ, ଯା ରେ ଭାସି ଭାସି ଯା, ନଦୀ ତୋର, ଜହ୍ନ ହସିଲେ ଯୋଜନା, ଫୁଲେଇ ରାଣୀ, ଲଚକମଣି ଆଦି ଗୀତରେ ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ। ରଞ୍ଜନ ବରାଳ, ରଞ୍ଜନ ବିଶ୍ୱାଳ, ଅମର ବିଶ୍ୱାଳ, ଅଜୟ ଜେନା, ବଳରାମ ମଲିକ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ। କେମ୍ ସଭାପତି ଅକ୍ଷୟ ପାଣି, ସମ୍ପାଦକ ଜାହିଦ୍ ଖାନ୍, ବଂଶୀଧର ମହାନ୍ତି , କେମ୍ ପ୍ରତିଷ୍ଠାତା ବିରଜା ରାଉତରାୟ, ସୁଶିଲ ସାମଲ ଏବଂ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଭବାନୀ ପ୍ରସାଦ ଓଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ସୁଦୀର୍ଘ ୨୩ ବର୍ଷ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ।
