ମୃତ୍ୟୁକାଳୀନ ସହାୟତା ଅପେକ୍ଷାରେ ୫୦ ପରିବାର ୫ ବର୍ଷ ହେବ ଶ୍ରମ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି ବିଧବା ପତ୍ନୀ

blank
କେନ୍ଦ୍ରାପଡ଼ା,୨୧ା୪: କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ୫୦ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ୫ ବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇନାହିଁ। ଯାହା ଫଳରେ ଶ୍ରମିକମାନଙ୍କ ବିଧବା ପତ୍ନୀ ସହାୟତା ପାଇବା ପାଇଁ ବର୍ଷ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟକୁ ଦୌଡି ଦୈାଡି ନିରାଶ ହୋଇଛନ୍ତି। ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଆଜି ଆସ କାଲି ଆସ କହି ଫେରାଇ ଦିଆଯାଉଛି। ଫଳରେ ଶ୍ରମିକଙ୍କ ବିଧବା ପତ୍ନୀମାନେ ନିର୍ଯ୍ୟାତିତ ହେଉଛନ୍ତି। ସେମାନେ ନିଜ ପିଲାଙ୍କୁ ପାଠ ପଢାଇ ପାରୁନାହାଁନ୍ତି। କେଉଁ ଶ୍ରମିକଙ୍କ ଝିଅ ବିବାହ ଉପଯୋଗୀ ହୋଇଥିଲେ ମଧ୍ୟ ଅର୍ଥ ନ ମିିଳିବାରୁ ବିବାହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଚକ୍ରୋଡ଼ା ପଞ୍ଚାୟତ କନ୍ତିଆ ଗ୍ରାମର ଗୀତାଞ୍ଜଳୀ ଜେନା କହିଛନ୍ତି ତାଙ୍କ ସ୍ୱାମୀ ସଞ୍ଜୀବ କୁମାର ଜେନାଙ୍କର ୨୦୨୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ଅଂଶୁଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁକାଳୀନ ସହାୟତା ପାଇବା ପାଇଁ ସେ ଆବଶ୍ୟକ କାଗଜାଦ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପୈଠ କରିଥିଲେ। କିନ୍ତୁ ତାଙ୍କୁ ଅଦ୍ୟାବଧି ମୃତୁକାଳୀନ ସହାୟତା ପ୍ରଦାନ କରାଯାଇନାହିଁ। ତାଙ୍କ ଝିଅକୁ ବହୁ କଷ୍ଟରେ ବିଏ ପାସ କରାଇଛନ୍ତି। ଝିଅ ଏବେ ବିବାହ ଉପଯୋଗୀ ହୋଇଗଲାଣି। ଝିଅର ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ ସାଜିଥିଲା। ସ୍ୱାମୀଙ୍କ ମୃତ୍ୟୁକାଳୀନ ଟଙ୍କା ମିଳିଥିଲେ ପାଠ ପଢାଇବାରେ ସହଜ ହୋଇଥାନ୍ତା। କିନ୍ତୁ ତାହା ମିଳିଲା ନାହିଁ। ତେଣୁ ବହୁ କଷ୍ଟରେ ଝିଅକୁ ସେ ଶିକ୍ଷିତ କରାଇଥରବା କହିଛନ୍ତି। ଏବେ ଝିଅ ବିବାହ ଉପଯୋଗୀ ହେଲାଣି। ସ୍ୱାମୀଙ୍କ ମୃତ୍ୟୁକାଳୀନ ସହାୟତା ପାଇଁ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଦୌଡୁଛି। କିନ୍ତୁ କିଛି ଲାଭ ହେଉନାହିଁ। ତେଣୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଉ ବୋଲି ସେ ନିବେଦନ କରିଛନ୍ତି। ସେହିପରି ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତର ବନିତା ପ୍ରଧାନ କହିଛନ୍ତି ତାଙ୍କ ସ୍ୱାମୀ ବିନୋଦ ପ୍ରଧାନଙ୍କ ଗତ ୨୦୧୯ ମସିହା ମାର୍ଚ୍ଚ ୨୯ ତାରିଖରେ ମୃତ୍ୟୁ ହୋଇଥିଲା। ଏ ନେଇ ସେ ବହୁଥର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ସହାୟତା ପାଇଁ ଯାଇଛନ୍ତି। ଏବେ ବି ତାଙ୍କୁ କୁହାଯାଉଛି ଆଜି ଆସ କାଲି ଆସ। ଏହିପରି ଭାବେ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଦୌଡି ଦୈାଡି ସେ ହତାଶ ହୋଇପଡିଥିବା ପ୍ରକାଶ କରିଛନ୍ତି। କେବଳ ଏହି ଦୁଇଜଣ ଶ୍ରମିକଙ୍କ ପରିବାର ନୁହଁନ୍ତି ଏହିପରି ୫୦ରୁ ଊର୍ଦ୍ଧ୍ୱ ପରିବାର ଏବେ ମୃତ୍ୟୁକାଳୀନ ସହାୟତା ଅପେକ୍ଷାରେ ରହିଥିବା ମିଳିଥିବା ତଥ୍ୟରୁ ଜଣାପଡିଛି। ଶ୍ରମିକ ନେତା ଫକୀର ଚରଣ ଖଟୁଆ କହିଛନ୍ତି ଯେଉଁ ଅଧିକାରୀମାନେ ଶ୍ରମ କାର୍ଯ୍ୟାଳୟରେ ଚାକିରି କରୁଛନ୍ତି ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ସେମାନେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଶ୍ୟମିକମାନଙ୍କୁ ହଇରାଣ ହରକତ କରୁଛନ୍ତି। ସେମାନେ ମୃତ ଶ୍ରମିକଙ୍କ ପରିବାର ପ୍ରତି ସଦୟ ହେବା ଉଚିତ। କାରଣ ଶ୍ରମିକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ସେଥିପାଇଁ ସରକାର ମୃତ୍ୟୁକାଳୀନ ସହାୟତା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯଦି ଶ୍ରମିକଙ୍କ ପରିବାର ସେମାନଙ୍କ ନ୍ୟାର୍ଯ୍ୟ ହକ ପାଇବା ପାଇଁ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଦୌଡିବେ ତାହାଠାରୁ ଦୁଃଖର କଥା ଆଉ କିଛି ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଶ୍ରମ କାର୍ଯ୍ୟାଳୟର ପ୍ରଭାଗୀୟ ଶ୍ରମ ସଂସ୍ଥାପକ ପ୍ରଦୀପ ମହାନ୍ତି କୁହନ୍ତି ଯେ ଏ ସଂକ୍ରାନ୍ତରେ ସେ କିଛି ଜାଣି ନାହାନ୍ତି। ଏଗୁଡିକ ପୁରୁଣା ମାମଲା। କିନ୍ତୁ ସେ ଯୋଗ ଦେବା ପରେ କୌଣସି ଶ୍ରମିକ ପରିବାର ହଇରାଣ ହେଉନାହାନ୍ତି ବୋଲି ସେ କହିଛନ୍ତି। ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରମିକ ପରିବାର ଗୁଡିକ ପକ୍ଷରୁ ଦାବି କରାଯାଇଛି।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମଇ ୧୦ରେ କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଲୋକଅଦାଲତ

Mon Apr 21 , 2025
କେନ୍ଦ୍ରାପଡ଼ା,୨୧ା୪ : ଆସନ୍ତା ମଇମାସ ୧୦ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ଅଦାଲତ ସମେତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗରରେ ଥିବା ଅଦାଲତ ଗୁଡିକରେ ମଧ୍ୟ ଅନୁଷ୍ଠିତ ହେବ। ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଏଥିରେ ସାଲିସ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading