
ପଟ୍ଟାମୁଣ୍ଡାଇ ୨୫/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗତ କିଛିଦିନ ହେବ ପାରଦ ଉପରମୁହାଁ ରହିଥିବା ବେଳେ ଅଂଚଳରେ ଶତାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ସ୍ଥାନୀୟ ଅଂଚଳରେ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପ ଲୋକେ ଘରୁ ପଦାକୁ ବାହାରି ପାରୁ ନାହାଁନ୍ତି । ଘରେ ମଧ୍ୟ ଇଟାଭାଟିର ନିଆଁ ଧୁଆଁ ଧାସରେ ପ୍ରାୟତ ଅଣନିଶ୍ୱାସି ହୋଇପଡୁଛନ୍ତି ।ରାଜସ୍ୱ ବିଭାଗର କୌଣସି କଟକଣାକୁ ଖାତିର ନ କରି ଏହି ଅଂଚଳରେ ବେଆଇନ ଭାବେ ବ୍ୟବସାୟୀମାନେ ପୋଡ଼ା ଇଟାଭାଟି ଚଳାଇଥିବା ଅଭିଯୋଗ ହୋଇ ଆସୁଛି।
ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ଷା ଦିନ ବ୍ୟତୀତ ଅନ୍ୟ ସବୁ ସମୟରେ ଦିନ ରାତି ୨୪ ଘଂଟା ନଦୀ ଶର୍ଯ୍ୟାର ମାଟିକୁ ଖୋଳି ବେଆଇନ ଭାବେ ଇଟା ପ୍ରସ୍ତୁତ ହୋଇ ଭାଟିରେ ଜଳୁଥିବାର ଦେଖାଯାଉଛି । ସଂପ୍ରତି ଗ୍ରୀଷ୍ଣ ପ୍ରବାହରେ ତାପମାତ୍ରା ବଢ଼ୁଥିବା ବେଳେ ବେଆଇନ ଇଟା ମାଟିର ନିଆଁ ଓ ଧୂଆଁ ପାରିପାର୍ଶ୍ୱିକ ତାପମାତ୍ରାକୁ ଆହୁରି ବୃଦ୍ଧି କରି ପକାଉଛି । କିଛି ସ୍ଥାନରେ ଜନବସତି ମଧ୍ୟରେ ମଧ୍ୟ ବେଆଇନ ଇଟାଭାଟି ଜଳୁଥିବାର ଦେଖାଯାଇଛି । ସାଧାରଣ ଲୋକ ମୁହଁ ଫିଟାଇଲେ ପ୍ରଭାବଶାଳି ଇଟା ବ୍ୟାବସାୟଙ୍କ ଆକ୍ରୋଶର ଶିକାର ହେଉଥିବା ନଜରି ରହିଛି । ସହର ପାଖ ମାଟିଆ ପାଳ, ତାତନା ଅଳଭା, କଷଣଅଂଟା ତନୁପୁର, ଗ୍ରାମରେ ଅତ୍ୟଧିକ ଇଟା ପୋଡା ଚାଲୁଛି । ସେହିପରି ଧୋୟାଂଚଳର ବାଲିପାଟଣା, ଶାସନ, ଡାମରପୁର, ଶ୍ରୀରାମପୁର, ବଳଭଦ୍ରପୁର, ଅଣ୍ଢରା, ଅମୃତମଣୋହି ତରଡିପାଳ ପ୍ରଭୁତି ପଂଚାୟତର ଅନେକ ଗ୍ରାମରେ ଇଟାପୋଡା ହେଉଛି । ଅଠରବାଟିଆ ପାଳରେ ସବୁଠାରୁ ଅଧିକ ଇଟା ଭାଟିଥିବା ବେଳେ ପ୍ରଶାସନ ନଜରପଡୁନାହିଁ । ବଡପଡା ପଂଚାୟତରେ ଏକାଧିକଗ୍ରାମରେ ଇଟା ପୋଡା ଚାଲିଛି । ଅରଡପଲ୍ଲି, ସାନଜରିଆ ଆଦି ଅନେକ ପଂଚାୟତର ବହୁ ଗ୍ରାମରେ ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବେଆଇନ ଇଟା ଭାଟି ଜଳୁଛି । ଏହି ସ୍ଥାନରେ ଚାଲିଥିବା ବେଆଇନ ଇଟା ଭାଟି ପରିବେଶ ଏବଂ ସାଧାରଣ ଜୀବନଯାତ୍ରା ପାଇଁ ବିପଦ ସୃଷ୍ଟି କରୁଛି। ନଦୀ କୂଳରେ ଇଟାଭାଟି ପାଇଁ ନିର୍ଦ୍ଦେଶ ନ ଥିଲେ ମଧ୍ୟ ଧୋୟାଂଚଳର ପ୍ରାୟ ଇଟାଭାଟି ନଦୀ କୂଳରେ ଚାଲିଛି। ଅନୈତିକ ଭାବେ ଚାଲିଥିବା ବେଆଇନ ଇଟାଭାଟିକୁ ବନ୍ଦ କରିବା ପାଇଁ ତହସିଲ ପ୍ରଶାସନ ସାହାସ କରିପାରୁ ନ ଥିବା ଅଭିଯୋଗ ହେଉଛି। ଏହାଦ୍ୱାରା ବାୟୁ ପ୍ରଦୂଷଣ, ଉର୍ବର ମୃର୍ତିକା କ୍ଷୟ ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରୁଛି ବୋଲି ବୁଦ୍ଦିଜୀବୀ ଦାଶରଥି ସାହୁ, ଦୋଳଗୋବିନ୍ଦ ସାହୁ, ବିଜୟ ଦାସ, ଅମିତ ରାଉତ ସମେତ ଅନେକ ଗ୍ରାମର ଅଧିବାସୀ ମାନେ କହିଛନ୍ତି । ଏ ସମ୍ପର୍କରେ ତହସିଲଦାର ପଚାନନ ନାୟକ କହିଛନ୍ତି, ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଖଣିିବିଭାଗ ସହିତ ମିଶି ଅଧିକ ଚଢ଼ାଉ କରାଯାଇଛି। ଅଧିକ ବ୍ୟବସାୟୀଙ୍କୁ ନୋଟିସ ଜାରି ଓ ଜରିମାନା କରାଯାଇଛି।
