
ପଟ୍ଟାମୁଣ୍ଡାଇ ୧୪/୩ -ପଟ୍ଟାମୁଣ୍ଡାଇ ଗ୍ରାମାଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି । ଶ୍ରୀରାମପୁର ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀକୁ ପୂଜା ମଲିକ, (୧୫) ଓ ପରି ମଲିକ (୧୨ ) ଗାଧୋଇ ଯାଇଥିବାବେଳେ ନଦୀର ଗଭୀର ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ନଦୀରେ ଗାଧୋଉ ଥିବା ଶ୍ରୀରାମପୁର ଗ୍ରାମର ବୃଦ୍ଧ ପୀତବାସ ପରିଡା (୬୨) କାଳ ବିଳମ୍ବ ନକରି ନଦୀ ମଧ୍ୟକୁ ଲମ୍ପ ମାରି ବହୁ କଷ୍ଟରେ ବୁଡି ଯାଉଥିବା ଦୁଇ ନାବାଳିକାଙ୍କୁ ନଦୀ କୂଳକୁ ଆଣିଥିଲେ । ମାତ୍ର ବିଧିର ବିଡମ୍ବନା ବୃଦ୍ଧ ପୀତବାସ ନଦୀ କୂଳକୁ ଆସି ନପାରି ଗଭୀର ଜଳରେ ବୁଡି ଯାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକମାନେ ବୃଦ୍ଧ ପୀତବାସଙ୍କୁ ଉଦ୍ଧାର କରିବା ପାଇଁ ପଟ୍ଟାମୁଣ୍ଡାଇ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଦମକଳ ବାହିନୀ ଗତକାଲି ନଦୀ ମଧ୍ୟରେ ବୃଦ୍ଧ ପୀତବାସଙ୍କୁ ବହୁ ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କର ପତା ମିଳିନଥିଲା । ମାତ୍ର ଶନିବାର ବ୍ରାହ୍ମଣୀ ନଦୀ ମଧ୍ୟରେ ବୁଡି ଯାଇଥିବା ସ୍ଥାନରୁ ବୃଦ୍ଧ ପୀତବାସଙ୍କ ଶବ ଉଦ୍ଧାର କରାଯାଇଛି । ଶବ ବ୍ୟବଛେଦ ପରେ ଅନ୍ତିମ ସତ୍କାର କରାଯାଇଛି ।
