
କେନ୍ଦ୍ରାପଡ଼ା,୪ା୨:କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ତଥା ମହାକାଳପଡା ବ୍ଲକର ଗୋପିନାଥପୁର ଶାସନ ଗ୍ରାମର ବିଷ୍ଣୁଚରଣ କରଙ୍କ ଜ୍ୟେଷ୍ଠପୁତ୍ର ସନ୍ତୋଷ କୁମାର କରଙ୍କ ୬୩ବର୍ଷ ବୟସରେ କଟକ ବଡଡାକ୍ତରଖାନାରେ ପରଲୋକ ହୋଇଯାଇଛି। ସାମ୍ବାଦିକ ସ୍ୱର୍ଗତ କର ଦୈନିକ ଜନବାଣୀ, ବର୍ତ୍ତମାନ ସମାଚାର, ଦିନଲିପି ଓ ପରେ ଉତ୍କଳମେଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ। ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ପରୋପକାରୀ ଓ କର୍ତ୍ତବ୍ୟରତ ସାମ୍ବାଦିକ ଭାବେ ସାଧାରଣରେ ଜଣାଶୁଣା ଥିଲେ। ସେ ଜିଲ୍ଲା ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ କମିଟିର ସଦସ୍ୟ ଥିଲେ। ତାଙ୍କ ମର ଶରୀର କେନ୍ଦ୍ରାପଡାରେ ପହଞ୍ଚିବା ପରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ସାହୁ, ଉପସଭାପତି ଚିତ୍ତରଞ୍ଜନ ଦାସଙ୍କ ସମେତ ବହୁ ସମ୍ବାଦିକ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ତାଙ୍କ ଜନ୍ମମାଟି ଗୋପିନାଥପୁର ଶାସନ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଶାସ୍ୱତ କୁମାର ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଜିଲ୍ଲାପାଳ ରଘୁରାମ ଆର. ଆୟର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
