
କେନ୍ଦ୍ରାପଡ଼ା, ୩୧/୮- କେନ୍ଦ୍ରାପଡ଼ା ପୌରପାଳିକା ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳିତ ହୋଇଯାଇଛି। ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇଥିଲେ। ମାନ୍ୟବର ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଜ୍ୟର ସର୍ବପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାକୁ ଗୋଟିଏ ଆଦର୍ଶ ପୌରପାଳିକା ଗଠନ କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ପୌରପାଳିକା ଉପାଧ୍ୟକ୍ଷା ଆକବରୀ ଖାତୁନ, ପୌରପାଳିକା ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରି ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ। ସ୍ୱାୟତ୍ତ ଶାସନର ଜନକ ଲର୍ଡ଼ ରିପନଙ୍କ ଦୂରଦୁଷ୍ଟି ଏବଂ ତୃଣମୂଳ ସ୍ତରରେ କ୍ଷମତା ବିକେନ୍ଦ୍ରୀକରଣର ଆଧାର ହେଉଛି ସ୍ୱାୟତ୍ତ ଶାସନ ବ୍ୟବସ୍ଥା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବଳଦେବ ଜୀଉ ମନ୍ଦିର ଉନ୍ନତି, ଗୋପବନ୍ଧୁ ପାଠାଗାରା ପ୍ରତିଷ୍ଠା, ବିଜୁ ପାର୍କ ପରି ଉନ୍ନତିମୂଳକ କାର୍ଯ୍ୟପାଇଁ ମାନ୍ୟବର ବିଧାୟକ ପୌରପାଳିକାର ଅଧ୍ୟକ୍ଷା, ନିର୍ବାହୀ ଅଧିକାରୀ ଏବଂ କାଉନସିଲର ମାନଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୫-୨୬ ଆର୍ôଥକ ବର୍ଷରେ ପ୍ରଦାନ କରାଯାଇଥିବା ଆର୍ôଥକ ଅନୁଦାନକୁ ସୁବିନିଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଡ୍ରେନଜ ସମସ୍ୟାର ସମାଧାନ ଓ ପୌରପାଳିକା ଜନସାଧାରଣଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ପ୍ରଦାନ କରିବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବକ୍ତବ୍ୟରେ କହିଥିଲେ। ସାଧାରଣ ସଭାରେ ବିଶିଷ୍ଟ ଶିକ୍ଷାବିତ ନନ୍ଦକିଶୋର ପରିଡା, ସାହିତ୍ୟକ ତଥା ଗବେଷକ ଡ଼ା. ସୁନେକ ଦାସ, ସମାଜସେବୀ ତଥା ଶିକ୍ଷା ସଂସ୍କାରକ ମହମ୍ମଦ ଫାରୁକ କାସିମ, ପୂର୍ବତନ କାଉନସିଲର ତଥା ସମାଜସେବୀ ବୈଷ୍ଣବ ଚରଣ ପଣ୍ଡା, ସଫେଇ କର୍ମଚାରୀ ବାବୁ ଗୋଚ୍ଛାୟତ ଓ ସନା ନାୟକ, ପୌରପରିଷଦ କର୍ମଚାରୀ ସଂଜୀବ ମହାନ୍ତି ଓ ଅଶୋକ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ୍ୱ, ବକ୍ତୃତା, ଝୋଟି, ରଙ୍ଗୋଲି, ମେହେନ୍ଦି ଓ ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତାର କୃତି ୪୨ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଭାବଗ୍ରାହୀ କଳାନିକେତନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆଜିର ଏହି ବୈଠକରେ ବୁଦ୍ଧିଜୀବୀ, ସାଧାରଣ ଜନତା, ସ୍ୱଚ୍ଛସାଥି, ମହିଳା ସଙ୍ଗଠନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପାଧ୍ୟକ୍ଷା ଆକବରୀ ଖାତୁନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଶୋକ ସାହୁ ମଂଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ମାନସ ମହାନ୍ତି, ପ୍ରଶାନ୍ତ ନାୟକ, ଶୁଚିଶ୍ମିତା ଜେନା, ଶ୍ରୀଦେବୀ ପରିଡା, ମୋନାଲି ସାହୁ, ମନୋରଞ୍ଜନ ସାହୁ, କପିଳେନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଆଜିର କାର୍ଯ୍ୟକ୍ରମ ଅବସରରେ ପୌରପାଳିକା ତରଫରୁ ସକାଳେ ରାମଧୂନ, ପ୍ରଭାତଫେରୀ, ବରପୁତ୍ରଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ, ସବୁଜ ନବୀକରଣ ପାଇଁ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରାଯାଇଥିଲା।
