ରାଷ୍ଟ୍ରପତିଙ୍କୁ ମହିଳା ସଂରକ୍ଷଣ ଦାବିପତ୍ର

କେନ୍ଦ୍ରାପଡ଼ା, ୨୦/୫: ଦେଶରେ ଭାଜପା ସରକାର ଓ ନେତା ମାନେ ଭୋଟ ସମୟରେ କିଛି ଯୋଜନା ନାମରେ କିଛି ଅର୍ଥ ଦେଇ ମା’ ମାନଙ୍କୁ ଦୟା କରୁଛନ୍ତି ବୋଲି ଭାବୁଛନ୍ତି। ମହିଳାମାନେ ଯାହା ପାଉନାହାନ୍ତି ତା’ଠାରୁ ସେମାନେ ଅଧିକ ପ୍ରଚାର କରୁଛନ୍ତି। ସେମାନଙ୍କୁ ରାଜନୀତିରେ ମୋହରା ବନାଯାଉଛି। ମା’ମାନଙ୍କ ପାଇଁ କିଛି ନ କରି ଡ଼େଙ୍ଗୁରା ପିଟା ଯାଉଛି। ଫମ୍ପା ମାଠିଆ ପରି ବଡ଼ ଶବ୍ଦ କରୁଛନ୍ତି ବୋଲି ବୁଧବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ନାରୀ ଅଧିକାରୀ ସମାବେଶରେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଓ ନେତା ମାନେ କହିଛନ୍ତି ।

ପାର୍ଲାମେଣ୍ଟରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ଅଧୁନିୟମର ତ୍ୱରିତ କାର୍ଯ୍ୟାୟନ୍ସନ ଓ ମହିଳାମାନଙ୍କ ପ୍ରତି ବଢିଚାଲିଥିବା ନୃଶଂସ ନିର୍ଯାତନାକୁ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ସମ୍ବନ୍ଧେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିଲା ।
ଜିଲ୍ଲା ମହିଳା ବିଜେଡି ସଭାପତି ତଥା ନଗରପାଳ ସରିତା ସାହୁଙ୍କ ନେତୃତ୍ୱରେ ରାଜ୍ୟ ବିଜେଡି ଆହ୍ୱାନରେ ୩ହଜାରରୁ ଅଧିକ ମହିଳା କେନ୍ଦ୍ରାପଡା ସହରସ୍ଥ ନୂଆ ବସ୍ଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ନାରୀ ଅଧିକାର ସ୍ଲୋଗାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟକୁ ଆସିଥିଲେ । ସେଠାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ, ନାରୀ ନିର୍ଯାତନାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ପ୍ରତିବାଦରେ ଭାଜପା ସରକାରକୁ ବିରୋଧ କରି କେନ୍ଦ୍ରାପଡା ବିଜୁ ଜନତା ଦଳ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମରେ ହଜାର ହଜାର ମହିଳା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ନାରୀଙ୍କୁ ସମ୍ମାନ ଓ ଅଧିକାର ଦାବି କରିଥିଲେ । ଏହିଠାରେ ଜିଲ୍ଲା ବିଜେଡି ମହିଳା ସଭାପତି ଶ୍ରୀମତୀ ସାହୁଙ୍କ ସଭାପତିତ୍ୱରେ ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ମହିଳାଙ୍କୁ ସଶକ୍ତ କରିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆରମ୍ଭ କରିଥିବା ଅଭିଯାନକୁ ବିଜୁ ଜନତା ଦଳ ଆଗକୁ ନେଉଛି । ୨୦୨୩ରେ ମହିଳା ସଂରକ୍ଷଣ ବିଲକୁ ବିଜେଡି ସଂପୂର୍ଣ୍ଣ ସମର୍ଥନ କରିଥିଲା । ଏହା ପୂର୍ବରୁ ଦଳୀୟ ସ୍ତରରେ ମହିଳାଙ୍କୁ ଆଗକୁ ଆଣିବା ପାଇଁ ଉଲ୍ଲେଖନୀୟ ପଦକ୍ଷେପ ବିଜେଡି ନେଇ ଆସିଛି । ବିଡମ୍ବନାର ବିଷୟ, ନାରୀ ତା’ର ଅଧିକାର ପାଇଁ ଲଢେଇ କରିବାକୁ ପଡୁଛି ଏବଂ ସରକାର କେବଳ ପ୍ରଚାରରେ ବ୍ୟସ୍ତ । ସୀମା ନିର୍ଦ୍ଧାରଣ ବିଲ୍ ସହ ମହିଳା ସଂରକ୍ଷଣ ବିଲ୍ ନଯୋଡି ବର୍ତ୍ତମାନ ଲୋକସଭାର ଆସନ ସଂଖ୍ୟା ଭିତ୍ତିରେ ମହିଳାଙ୍କୁ ସଂରକ୍ଷଣ ଦିଆଯାଉ । ବିଜେଡି ସବୁ ବେଳେ ମାଆମାନଙ୍କ ପାଇଁ ଲଢୁଛି ଆଗକୁ ମଧ୍ୟ ଲଢିବ ବୋଲି କହିଥିଲେ।
ବିସିଷ୍ଟ ଅତିଥି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ସମ୍ମାନୀତ ଅତିଥି ଭୁବନେଶ୍ୱର ମେୟର ସୁଲୋଚନା ଦାସ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ରାଜ୍ୟ ମହିଳା ବିଜେଡି ଉପସଭାପତି ଜ୍ୟୋତିରେଖା ନାୟକ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦକ ଡ. ମିନତି ବେହେରା ଯୋଗଦେଇ କହିଥିଲେ ଯେ ଗତ ବିଜେଡି ସରକାର ସମୟରେ ମହିଳା ସଂରକ୍ଷଣ ବିଜୁ ଜନତା ଦଳର ସବୁ ସମୟରେ ପ୍ରଥମ ଆଭିମୁଖ୍ୟ ରହିଛି ଓ ରହିଥିବ। ମହିଳା ସଂରକ୍ଷଣ ବିଲ୍ ୨୦୨୩କୁ ପାର୍ଲାମେଣ୍ଟରେ ବିଜୁ ଜନତା ଦଳ ଦୃଢ ଭାବରେ ନିଃସର୍ଭ ସମର୍ଥନ କରିଥିଲା। ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାର ବିଭିନ୍ନ ଆଳ ଦେଖାଇ ଏହାକୁ ଲାଗୁ କଲେ ନାହିଁ । ସୀମା ପୁନଃ ନିର୍ଦ୍ଧାରଣ ବିଲ୍କୁ ଲୁକ୍କାୟିତ ଭାବରେ ମହିଳା ସଂରକ୍ଷଣ ବିଲ୍ ନାଁରେ ପାରିତ କରିବାର ଅପଚେଷ୍ଟା ଓ ହୀନ ଚକ୍ରାନ୍ତ କରିଥିଲେ। ଆମର ଦୃଢ ଦାବି ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉଭୟ ଲୋକସଭା ଓ ବିଧାନସଭାରେ ତୁରନ୍ତ ଲାଗୁ କରାଯାଉ। ବର୍ତ୍ତମାନ ଲୋକସଭାରେ ସ୍ଥାନ ସଂଖ୍ୟା ଭିଭିରେ ଏହି ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କୁ ଦିଆଯାଉ। ସୀମା ନିର୍ଦ୍ଧାରଣ ବିଲ୍ ସହିତ ମହିଳା ସଂରକ୍ଷଣକୁ ଯୋଡି ମହିଳାଙ୍କ ଭିତରେ ବିଭ୍ରାନ୍ତି ସୃଷ୍ଟି କରାନଯାଉ। ନାରୀମାନଙ୍କ ଅଧିକାର ପ୍ରତି ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛି । ୨୦୨୩ ମସିହାରେ ଲୋକସଭାରେ ପାସ୍ ହୋଇଥିବା ମହିଳା ସଂରକ୍ଷଣ ବିଲ୍କୁ କାର୍ଯ୍ୟକାରୀ ନ କରିବାକୁ ତୀବ୍ର ସମାଲୋଚନା କରିଥିଲେ । ନାରୀ ନିର୍ଯ୍ୟାତନା ବଢିବଢି ଚାଲିଥିବା ବେଳେ ବିଜେପି ସରକାର ଆଖିବୁଜି ଦେଇଛି । ଆଇନଶୃଙ୍ଖଳା ବୋଲି କିଛି ନାହିଁ । ଟଙ୍କାର ମୂଲ୍ୟ ଅବମୂଲ୍ୟାୟନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦରଦାମ୍ ନିୟନ୍ତ୍ରଣ କରିପାରୁ ନାହାନ୍ତି । ଗାଡି କମ୍ ଚଳାଇବାକୁ, ଖାଇବା ତେଲ କମ୍ କରିବାକୁ, ସୁନା ନକିଣିବାକୁ, ବିଦେଶ ନଯିବାକୁ, ଘରେ ବସି କାମ କରିବାକୁ ବିଶ୍ୱଗୁରୁ ମୋଦି ଆହ୍ୱାନ ଦେଇଛନ । ରାଜ୍ୟ ବିଜେପି ସରକାର ଥିଲାପରି ମନେ ହେଉନାହିଁ । କେବଳ ପୂର୍ବ ଯୋଜନା ନା ବଦଳେଇ ରଙ୍ଗ ବଦଳାଉଛନ୍ତି । ଋଣଭାର ବଢି ବଢି ଚାଲିଛି । ନିଯୁକ୍ତି ନାହିଁ ଓ ବେକାରୀ ସମସ୍ୟା ବଢି ବଢି ଚାଲିଛି ବୋଲି ନେତାମାନେ ସମାଲୋଚନା କରିଥିଲେ । ନାରୀ ଅଧିକାର ପାଇଁ ନାରି ସରକ୍ଷଣ ଆଇନକୁ ଲାଗୁ କରାନ୍ତୁ ବୋଲି ଦାବି କରିଥିଲେ । ରାଷ୍ଟ୍ରପତିଙ୍କ ନିକଟକୁ ଏକ ଦାବି ପତ୍ର ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସଭାପତି ଜ୍ୟୋସ୍ନାମୟୀ ପରିଡା, ସୁମିତ୍ରା ପାଢି, ପ୍ରିୟଦର୍ଶିନୀ ତରାଇ, ଲୋପାମୁଦ୍ରା ବାରିକ, ଅକ୍ତରି ଖାତୁନ, ରଶ୍ମିତା ସେଠୀ, ସ୍ୱୟଂପ୍ରଭା କର ପ୍ରମୁଖ ସାମିଲ ହୋଇଥିଲେ । ବରିଷ୍ଠ ବିଜେଡି ନେତା ରଞ୍ଜିତ ସାହୁ, ରାଜେଶ ପଣ୍ଡା, ଆଲୋକ ସାହୁ, ନଗର ବିଜେଡି ସଭାପତି ଯଯାତି ମହାନ୍ତି, ପୌର ସଭ୍ୟ ଉମେଶ ନାୟକ, ରମେଶ ଦାସ, ସୁକୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସର୍ବ ସେଷରେ ରାଜ୍ୟ ମହିଳା ବିଜେଡି ଉପସଭାପତି ରୋସନା ସାହୁ ଧନ୍ୟବାଦ ଦେଇଥିଲେ ।
