ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶଧାରା ଓଡିଶା ସାରା ଉଦଯାପିତ

ପଟ୍ଟାମୁଣ୍ଡାଇ ତା ୨୪/୬- ରାଜ୍ୟରେ ବିଭିନ୍ନ ଜନସମସ୍ୟା ଜାରି ରହିଛି । ବେକାରୀ, ଦରଦାମ ବୃଦ୍ଧି, କୃଷକ ଓ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସହ ଅନେକ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ରହିଥିବା ସତ୍ୱେ ଭାଜପା ସରକାର କେବଳ ମିଛ ପ୍ରଚାରରେ ମାତିଛନ୍ତି । ଭାଜପା ସରକାର ଦୁଇ ବର୍ଷପୂର୍ତି ପାଳନକରି ସାରା ଓଡିଶାରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଜରିଆରେ ଓଡିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକରେ ଆୟୋଜିତ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି ।
ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ବୁଧବାର ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଧାୟକ ସାହୁ କହିଲେ ଅତ୍ୟଧିକ ଦରଦାମ ସାଙ୍ଗକୁ ଗ୍ୟାସ ଦର ବୃଦ୍ଧି ଯୋଗୁଁ ସୁଭଦ୍ରା ଚୁଲି ମୂଳେ କାନ୍ଦୁଛି । ଅଙ୍ଗନବାଡ଼ି କର୍ମୀ, ସିଆରପି ଓ ଏମବିକେମାନେ ନିୟମିତ ଦରମା ପାଉନାହାଁନ୍ତି। ମିଶନ ଶକ୍ତି ସହ ଜଡିତ ଅନେକ ମହିଳା ନିଜ ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇଥିବା ବେଳେ, ତିନି ମାସ ହେଲା ବୃଦ୍ଧାବୃଦ୍ଧ ହିତାଧିକାରୀ ଭତା ପାଇନଥିବା ଅଭିଯୋଗ ମଧ୍ୟ ରହିଛି। ସେହିପରି ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ମଧ୍ୟ ଅନେକ ତ୍ରୁଟି ଦେଖାଯାଇଛି। ଯାହା ଶିଶୁ ମାନଙ୍କଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି । ରାଜ୍ୟର ଅନେକ ଅସଂଗଠିତ ଶ୍ରମିକ ଏପର୍ଯ୍ୟନ୍ତ ଶ୍ରମିକ କାର୍ଡ ପାଇନାହାନ୍ତି କିମ୍ବା ନବୀକରଣ କରିପାରିନାହାନ୍ତି। ଏହା ଫଳରେ ଦୁର୍ଘଟଣା କିମ୍ବା ମୃତ୍ୟୁ ଘଟିଲେ ପରିବାର ଲୋକେ ସରକାରୀ ସହାୟତାରୁ ବଂଚିତ ହେଉଛନ୍ତି। ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବିଭିନ୍ନ ଅଭିଯୋଗ ଅନୁଯାୟୀ, ପ୍ରତିଦିନ ହାରାହାରି ୧୫ ଜଣ ନାରୀ ଦୁଷ୍କର୍ମ କିମ୍ବା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଏଭଳି ଘଟଣାର ବୃଦ୍ଧି ନାରୀ ଓ କନ୍ୟା ଶିଶୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ସରକାର ମହିଳା ସଶକ୍ତିକରଣ ଓ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ଘୋଷଣା କରୁଥିବାବେଳେ ତୃଣମୂଳ ସ୍ତରରେ ଅପରାଧ ରୋକିବାରେ ଆଶାନୁରୂପ ସଫଳତା ମିଳୁନାହିଁ।ରାଜ୍ୟରେ ଆଇନଶୁଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ।ଆୟୁଷ୍ମାନ କାର୍ଡ ନେଇ ରୋଗୀ ହସ୍ପିଟାଲରେ ଚିକିତ୍ସା ପାଉନାହିଁ ।ସେହିପରି ଓଡିଶାରେ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବା ବୋଲି ସରକାର ଦାବି କରୁଥିବାବେଳେ ଏହାର ସତ୍ୟତାକୁ ନେଇ ଆଜି ପଟ୍ଟାମୁଣ୍ଡାଇ ବ୍ଲକରେ ଜଣେ ମଧ୍ୟ ‘ଲକ୍ଷପତି ଦିଦି’ ଚିହ୍ନଟ ହୋଇନଥିବା ସରକାରଙ୍କ ମିଛ ପ୍ରଚାରକୁ ପ୍ରମାଣିତ କରୁଛି। ଏହି ସବୁ ସମସ୍ୟାର ସମାଧାନ ପ୍ରତି ଧ୍ୟାନ ନଦେଇ ସରକାର ସାଧାରଣ ଜନସାଧାରଣଙ୍କୁ ଭ୍ରମିତ କରିବାକୁ “ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ବିକାଶ ଧାରା ପାଳନ କରିବା ପରିବର୍ତେ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରାଯିବା ଉଚିତ ବୋଲି ବିଧାୟକ କହିଛନ୍ତି। ରାଜ୍ୟ ସରକାର ବାସ୍ତବ ବିକାଶ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ସରକାରଙ୍କ ବିଭିନ୍ନ ବିକାଶ ଧାରା ଉପରେ ଆଲୋକପାତ କରିଥବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ,ସିଡିପିଓ ଲଷ୍ମୀମଣି ସିଂ ଓ ମତ୍ସ ଅଧିକାରିଣୀ ହରପ୍ରିୟା ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଇ ଅବସରରେ ବିଧାୟକ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ସହାୟତା ବଣ୍ଟନ କରିଥିଲେ ।ଏହି ସଭାରେ ବହୁ ମିଶନ ଶକ୍ତି, ଏମବିକେ, ସିଆରପି ଅଙ୍ଗନବାଡି କର୍ମୀସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ଆନ୍ତ୍ରୋଦୟ ଗ୍ରୁହ ଯୋଜନା ଅଧୀନରେ୧୪ ଜଣଙ୍କୁ କାର୍ଯ୍ୟାଦେଶ ବଂଟନକରାଯାଇଥିବା ବେଳେ ୧୫ ଜଣଙ୍କୁ ମୁଖ୍ୟମନ୍ତ୍ରି ଅନ୍ନପୂର୍ଣ୍ଣା ଯୋଜନାରେ ରେସନ କାର୍ଡ ଓ ୧୦ ଜଣଙ୍କୁ ଲେବର କାର୍ଡ ବଂଟନ କରାଯାଇଥଲା । ଅଙ୍ଗନୱାଡି କର୍ମୀ, ମହିଳା ପର୍ଯ୍ୟବେକ୍ଷକ ଏବଂ ବ୍ଲକ ସଂଯୋଜକଙ୍କୁ ୨୦ ମୋବାଇଲ୍ ବଂଟନ ସହ ମଧୁ ବାବୁ ପେନସନ ଯୋଜନାରେ ୧୬ ଜଣଙ୍କୁ ସାମିଲ କରାଯାଇଥିଲା ।ପଟ୍ଟାମୁଣ୍ଡାଇ ବ୍ଲକ ବିଏସଏସଓ ସୁଧାଂଶୁ ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ବ୍ଲକ ସମାଜକଲ୍ୟାଣ ଅଧିକାରୀ ଲିପିକା ପ୍ରିୟଦର୍ଶନୀ ବେହେରା ଧନ୍ୟବାଦ ଦେଇଥିଲେ ।
