
ପଟ୍ଟାମୁଣ୍ଡାଇ ୮/୩- ପଟ୍ଟାମୁଣ୍ଡାଇ ଅଂଚଳର ସଂଗ୍ରାମୀ ନେତା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଓ ସମିତି ସଭ୍ୟ ଶ୍ରୀକାନ୍ତ ସାହୁଙ୍କ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରାଯିବା ପରେ ସାନଜରିଆ ଓ ଅରଡ଼ପଲ୍ଲୀ ପଂଚାୟତ ପରିକ୍ରମା କରାଯାଇଥିଲା । ସେ ଜଣେ ସଂଗ୍ରାମୀ, ଦୁଃସାହସୀ ସାଲିସବିହୀନ ନେତା ଭାବେ ସାଧାରଣରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ,କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ଜନ୍ମ ମାଟି ଅରଡ଼ପଲ୍ଲୀ ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏକମାତ୍ର ପୁତ୍ର ରାଜ କୁମାର ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
