
କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ । ମାଜିଷ୍ଟ୍ରେଟ ତାଙ୍କୁ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜାମିନଦାର ଓ ୩୦ ହଜାର ଟଙ୍କାରେ ଜାମିନ ମଞ୍ଜୁର ହୋଇଛି। ଏହା ପୂର୍ବରୁ ଘଟଣାରେ ଏନ୍ଏଚଆରସି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ। ଗତ ୧୧ ତାରିଖରେ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଳକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପଞ୍ଚାୟତରେ ବିଭିନ୍ନ କାମର ନିର୍ମାଣ ସରିଥିଲେ ବି ଏହାର ବିଲ୍ କାହିଁକି ହୋଇପାରୁନାହିଁ ତାହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ । ସେଠାରେ ଆଲୋଚନା କଲା ବେଳେ ତାଙ୍କ ଭାଇ ମୋବାଇଲରେ ଭିଡିଓ ଶୁଟିଂ କରୁଥିଲେ। ହେଲେ ଭିଡିଓକୁ କିଛି ବିଜେପି କର୍ମୀ ବିରୋଧ କରିବା ସହ ମୋବାଇଲ ବଛଡ଼ାଇନେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାମେଲି ଓ ତାଙ୍କ ସାନ ଭାଇଙ୍କୁ ଥାନାକୁ ନେଇଥିଲେ।
