
ପଟ୍ଟାମୁଣ୍ଡାଇ ୨୫/୧୨ -ଜନୈକା ଘରୋଇ ସ୍କୁଲ ଶିକ୍ଷୟତ୍ରୀ ବ୍ଲାକ ମେଲର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣାରେ ଗ୍ରାମାଂଚଳ ଥାନା ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ସମ୍ପୃକ୍ତ ଗାଁ ଲୋକମାନେ ଗୁରୁବାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଘେରାଉ କରିବା ସହିତ ରାସ୍ତାରୋକ କରିଥିଲେ । ଏଥି ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଥାନାରେ ହୋଇଥିବା ଲିଖିତ ଅଭିଯୋଗରୁ ପ୍ରକାଶ ଯେ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଶାସନ ପଂଚାୟତ ଏକ ଗ୍ରାମର ଜନୈକା ଯୁବତୀ ପଟ୍ଟାମୁଣ୍ଡାଇ ସେଂଟ ଜାଭିଅର ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଚନ୍ଦନନଗର ପଂଚାୟତ ହରିନବାବୀ ଗ୍ରାମର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମିକ ଶିକ୍ଷୟତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା । ଏପରିକି ତାଙ୍କ ବ୍ୟାଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଉଠାଇ ନେବା ପରେ ମଧ୍ୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଋଣ ଆକାରରେ ମୃତ ଶିକ୍ଷୟତ୍ରୀଙ୍କ ଜରିଆରେ ନେଇଥିଲା । ମାତ୍ର ଶିକ୍ଷୟତ୍ରୀ ଜଣଙ୍କ ଟଙ୍କା ମାଗିବାରୁ ସେ ଧମକ ଚମକ ଦେବା ସହିତ ପୁନଃରାୟ ଟଙ୍କା ମାଗିଲେ ତାଙ୍କ ନିକଟରେ ଥିବା ଅଶୀଳ ଭିଡିଓ ଭାଇରାଲ କରି ଦେବାକୁ ପ୍ରେମିକ ଧମକ ଦେଇଥିଲା ଅଭିଯୋଗରେ ଦର୍ଶାଇଛନ୍ତି। ଏହାକୁ ନେଇ ଶିକ୍ଷୟତ୍ରୀ ଜଣଙ୍କ ମାନସିକ ଅବସାଦ ମଧ୍ୟରେ ରହି ଗତ ୧୪ତାରିଖ ସନ୍ଧ୍ୟାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଜାଣି ପରିବାର ଲୋକମାନେ ତାକୁ ତତ୍କାଳ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଓ କଟକ ବଡ଼ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ତାଙ୍କୁୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୮ ତାରିଖ ରାତିରେ ତାଙ୍କଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ମୃତ ଶିକ୍ଷୟତ୍ରୀଙ୍କ ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପ୍ର୍ରେମିକ ଯୁବକ ବିରୋଧରେ ଏତଲା ଦେଇଥିଲେ । ପୋଲିସ ଏ ସମ୍ପର୍କରେ ଏକ ମକଦମା ରୁଜୁ କରି ବସି ଯାଇଥିଲା । ପୋଲିସ ନିଷ୍କ୍ରିୟତା ପ୍ରତିବାଦ ଓ ଆସାମୀ ଗିରଫ ଦାବୀରେ ଶାସନ ପଂଚାୟତର ଶତାଧିକ ମହିଳା ଓ ପୁରୁଷ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଘେରାଉ କରିବା ସହିତ ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତାରେ ରାସ୍ତାରୋକ କରିଥିଲେ । ପଟ୍ଟାମୁଣ୍ଡାଇ ଏସଡ଼ିପିଓ କ୍ଷମା ସାଗର ପଣ୍ଡା, ଗ୍ରାମାଂଚଳ ଥାନା ଆଇଆଇସି ଶ୍ରୀକାନ୍ତ ବାରିକ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଥାନା ଘେରାଉ ଓ ରାସ୍ତାରୋକ ପ୍ରତ୍ୟାହାର କରି ନିଆଯାଇଥିଲା ।
