
ଡେରାବିଶ– ଡେରାବିଶ ଥାନା ଅଧିନ ଡେରାବିଶ କଲେଜ ପରିସରରେ ଶନିବାର ଘଟିଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ତରଫା ପ୍ରେମରେ ବିଫଳ ଜନୈକ ଛାତ୍ରର ଆତଙ୍କରାଜ ଦେଖିବାକୁ ମିଳିଛି। ଅଭିଯୁକ୍ତ ମଦ୍ୟପ ଛାତ୍ର ଜଣକ ରାସ୍ତାରାସ୍ତାରୁ ଆରମ୍ଭ କରି କଲେଜ ପରିସର ପର୍ଯ୍ୟନ୍ତ ପ୍ରାୟ ଘଂଟାଏ କାଳ ନିଜ ଆତଙ୍କରାଜ ଚଳାଇ ରଖିଥିଲା। ଅଭିଯୁକ୍ତ ଛାତ୍ର ଜଣକ କଲେଜର ଜନୈକା ଛାତ୍ରୀଙ୍କ ବେକରେ ଏକ ଧାରୁଆ ଖଣ୍ଡା ଲଗାଇ ତାଙ୍କୁ ଭଲ ପାଇବା ସହ ବିବାହ ନକଲେ ହାଣିଦେବାର ଧମକ ଦେଇଥିଲା। ଛାତ୍ରୀଙ୍କ ସହ ଉପସ୍ଥିତ ଥିବା ତାଙ୍କ ମାଆ ଏହାର ବିରୋଧ କରିବାରୁ ଅଭିଯୁକ୍ତ ଛାତ୍ର ଜଣକ ସମାନ ରୁପେ ତାଙ୍କୁ ଅଶ୍ଲିଳ ଗାଳିଗୁଲଜ କରିବା ସହ ମାଡ ମାରି ଖଣ୍ଡାରେ ହାଣିବାକୁ ଉଦ୍ୟମ କରିଥିଲେ। ଏହି ଅଭାବନୀୟ ଘଟଣାଟି ବର୍ତମାନ ଅଂଚଳରେ ଚର୍ଚ୍ଚା ଓ ଆତଙ୍କର ବିଷୟ ପାଲଟି ଯାଇଥିବା ବେଳେ ପିଡିତା ଛାତ୍ରୀଜଣକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଅଭିଯୁକ୍ତ ଛାତ୍ରଙ୍କୁ ଧରି ଥାନାକୁ ନେଇଯାଇଥିଲେ। ପରେ ପିଡିତା ଛାତ୍ରୀ ଏହି ଘଟଣା ନେଇ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଥାନା ପକ୍ଷରୁ ୧୫୦/୨୬ରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରିଣୀ ଅମ୍ବିକା ପ୍ରସାଦ ଦାସ ସୁଚନାରୁ ଜଣାଯାଇଛି।
