
ପଟ୍ଟାମୁଣ୍ଡାଇ ୧୦/୧୦ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ,କେ ମହାବିର କଲେଜ ନିର୍ବାଚନକୁ ନେଇ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଅଣଛାତ୍ରଙ୍କ ହସ୍ତକ୍ଷେପ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଛି। କଲେଜ ପରିସରରୁ ଜଣେ ସଭାପତି ପ୍ରାର୍ଥୀଙ୍କୁ କେତେକ ଅଣଛାତ୍ର ଜୋରଜବରଦସ୍ତ ଉଠାଇ ନେଇ ମାରପିଟ୍ କରିବା ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ସଭାପତି ପ୍ରାର୍ଥୀ ପ୍ରଥମେ ରାଜନଗର ଓ ପରେ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହି ଘଟଣାକୁ ବିରୋଧ କରି ଛାତ୍ର ବିଜେଡି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଅନ୍ୟପକ୍ଷରେ ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମଧ୍ୟ ଉଭୟ ଦଳଙ୍କ ସମର୍ଥକ ସାମ୍ନାସାମ୍ନି ହୋଇଥିଲେ।
କଲେଜ ଅଧ୍ୟକ୍ଷ ଆଦିତ୍ୟ ମିଶ୍ର କୁହନ୍ତି , ଶୁକ୍ରବାର କଲେଜରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଶନିବାର କଲେଜ ପକ୍ଷରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିସାରିଥିଲେ। ତେବେ ବିଜେଡି ସମର୍ôଥତ ସଭାପତି ପ୍ରାର୍ଥୀ ମନସ୍ତାପ ଅବସ୍ଥବରେ କଲେଜ ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଫର୍ମ ପୂରଣ କରୁଥିବା ସମୟରେ ବାହାରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ ଫର୍ମ ନପୂରାଇବା ପାଇଁ ବାରଣ କରିଥିଲେ। କିଛି ସମୟ ପରେ ସେହି ସଭାପତି ପ୍ରାର୍ଥୀ ଅଫିସରୁ ପରିସରରୁ ବାହାରକୁ ଅଚାଲିଯଅଇଥିଲେ । ପରେ ଧାର୍ଯ୍ୟ ସମୟ ହୋଇଯାଇଥିବାରୁ ପ୍ରତ୍ୟାହାର ପତ୍ର ସ୍ଥଗିତ କରାଯାଇଛି ।
ଛାତ୍ର ବିଜେଡିର ଅଭିଯୋଗ ଅନୁଯାୟୀ, କେତେଜଣ ଅଣଛାତ୍ର ସଭାପତି ପ୍ରାର୍ଥୀ ଦିପଙ୍କର ରାଉତଙ୍କ ଉପରେ ଚାପ ପକାଇବା ସହ ତାଙ୍କ ପରିବାରକୁ ମଧ୍ୟ ଧମକ ଦେଇଥିଲେ। ଏଥିପାଇଁ ସେ ମନସ୍ତାପ ଭିତରେ ରହିଥିଲେ। ଏହି ବିଷୟରେ ଛାତ୍ର ବିଜେଡି ପକ୍ଷରୁ ବୈଠକ ଚାଲିଥିବାବେଳେ କେତେକ ଅଣଛାତ୍ର ହଠାତ୍ ସେଠାରେ ପହଁଚି ତାଙ୍କୁ ଟେକି ଆଣି ମାରପିଟ୍ କରିବା ସହ ଜୋରଜବରଦସ୍ତ ଉଠାଇ ନେଇଥିଲେ। ଖବର ପାଇ ପୋଲିସ ତୁରନ୍ତ ପହଁଚି ତାଙ୍କୁ ଉଦ୍ଧାର କରିଥିଲା। ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ।। ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଭାଜପାର କିଛି ଅଣଛାତ୍ରଙ୍କ ସହ ଭାଜପା ନେତା ତଥା ବିଧାୟକ ପ୍ରାର୍ଥୀ ଲଳିତ ବେହେରା ପଶି ଗଣ୍ଡଗୋଳ କରିଥିବା ଛାତ୍ର ବିଜେଡି ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଣଛାତ୍ର ଓ ଭାଜପା ନେତାଙ୍କୁ ତୁରନ୍ତ ଗିରଫ ଦାବି କରି ଛାତ୍ର ବିଜେଡି ପକ୍ଷରୁ ରାସ୍ତାରୋକ କରାଯାଇଛି ବୋଲି କହିଛନ୍ତି ।
ଛାତ୍ର ବିଜେଡି କର୍ମୀମାନେ ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅସାମାଜିକ ତତ୍ୱଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ପଟ୍ଟାମୁଣ୍ଡାଇ-ରାଜନଗର ଉଭୟ ପଟରୁ ଆସୁଥିବା ଶହ ଶହ ଗାଡି ମୋଟର ରାସ୍ତାରେ ଠିଆ ହୋଇରହିଥିଲା । ଖବର ପାଇଁ ପଟ୍ଟାମୁଣ୍ଡାଇ ଏସ ଡିପିଓ ସୁକାନ୍ତ ପାତ୍ର ରାଜନଗର ଥାନା ଆଇଆଇସି ରତି ରଞ୍ଜନ ନାୟକ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇ ସି ମାନସ ରଞ୍ଜନ ମଲ୍ଲିକ ଗ୍ରାମାଂଚଳ ଥାନା ଆଇଆଇସି ପ୍ରଦୀପ୍ତ କାନୁନଗୋ ଓ ଏସ ଆଇ କୌଶକା ରାଉତରାୟ ପୋଲିସ ବାହିନୀ ସହିତ ଧାରଣାସ୍ଥଳରେ ପହଂଚି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏସଡିପିଓ ସୁକାନ୍ତ ପାତ୍ର ପୋଲିସ ଉଚ୍ଚ କତୃପକ୍ଷଙ୍କ ସହ ଆଲୋଚନା କରି ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଛାତ୍ରୀଛାତ୍ରମାନେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ସ୍ଥାନୀୟ ଅଂଚଳରେ ଏବେବି ଚାପା ଉତେଜନା ବଜାୟ ରହିଥିବା ବେଳେ ପୋଲିସ ମୁତୟନ କରାଯାଇଛି ।
ଅପରପକ୍ଷେ କେନ୍ଦ୍ରାପଡା ଜିଲା ଚିକିତ୍ସାଳୟ ପରିସରରେ ମଧ୍ୟ ଉଭୟ ଭାଜପା ଓ ବିଜେଡିଙ୍କ ସମର୍ଥକ ପହଁଚି ଦୀପଙ୍କରଙ୍କୁ ନିଜ ନିଜରର ପ୍ରାର୍ଥୀ ବୋଲି ଦାବି କରି ସାମ୍ନାସାମ୍ନି ହୋଇଥିଲେ। ସେଠାରେ ଗଣ୍ଡଗୋଳ ଓ ଉତେଜନା ଆହୁରି ବୃଦ୍ଧି ପାଇବାରୁ ପରିସ୍ଥିତି ଅଣାୟତ ହୋଇଥିଲା । ପରେ ସଭାପତି ପ୍ରାର୍ଥୀ ଡିସଚାର୍ଜ ହୋଯିବା ପରେ ଚିକିତ୍ସାଳୟ ପରିସର ରଣକ୍ଷେତ୍ର ପାଲଟିଥିଲା । ଉଭୟ ଦଳ ସମର୍ଥକଙ୍କ ମଧ୍ୟରେ ମାଡପିଟ ଲାଗି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା । ପୋଲିସ ପହଁଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏବେବି ଚାପା ଉତେଜନା ବଜାୟ ରହିଥିବା ବେଳେ ଦୁଇପ୍ଲଟୁନ ପୋଲିସ ଦଳ ମୁତୟନ କରାଯାଇଛି ।
