
କେନ୍ଦ୍ରାପଡ଼ା,୧ା୪: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଛକରେ ଥିବା ଘର ମାଲିକ ପବିତ୍ର ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ସୋମବାର କେନ୍ଦ୍ରାପଡ଼ାରେ ପହଞ୍ଚି ତଦନ୍ତ କରିଛନ୍ତି। କ୍ରାଇମବ୍ରାଞ୍ଚ ଦଳ ଯେଉଁ ସ୍ଥାନରେ ପବିତ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା ସେଠାରେ ଯାଞ୍ଚ କରିଥିଲେ।
ସୂଚନା ଥାଉକି ୨୦୨୨ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ ଶ୍ରୀ ପ୍ରଧାନଙ୍କ ନିଜ ଘରେ ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୨୫ ତାରିଖ ରାତିରେ ତଳ ଘରେ ଭଡାରେ ରହୁଥିବା ସରୋଜ ସାହୁ, ତାଙ୍କ ଡ୍ରାଇଭର ପବିତ୍ରଙ୍କୁ ନେଇ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପବିତ୍ରଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ରିପୋର୍ଟ ଦେଇଥିଲେ। ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପବିତ୍ରଙ୍କ ପୁଅ ଉତ୍କଳ କେଶରୀ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ। କାରଣ ପବିତ୍ରଙ୍କ ଶରୀରରେ ୧୭ଟି କ୍ଷତ ଚିହ୍ନ ରହିଥିଲା। ହେଲେ ସେତେବେଳେ ପୋଲିସ ସରକାରୀ ଦଳର ଜଣେ ମନ୍ତ୍ରୀଙ୍କ ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ତେଣୁ ପୋଲିସ ଉପରୁ ଭରଷା ତୁଟାଇ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
