ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର , ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି ବରିଷ୍ଠ ଅଧିକାରୀ

blank
କେନ୍ଦ୍ରାପଡ଼ା,୩୧ା୭:ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଜିଲ୍ଲାର ୮ଟି ବ୍ଲକ୍ ଯଥା ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ ଏବଂ ମହାକାଳପଡ଼ା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିସହ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ଜିଲ୍ଲାର ମୋଟ ୫୭ଟି ଗ୍ରାମ ପଞ୍ଚାୟତ ଅଧିନ ୧୩୫ଟି ଗ୍ରାମର ପ୍ରାୟ ୫୭ ହଜାର ୭୦୪ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୧୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତର୍ମାନ ୩ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ସେହିପରି ୩ଟି ମାଗଣା ରୋଷେଇ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ନିରନ୍ତର ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖୁଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ସନ୍ଧ୍ୟାରାଣୀ ମାଝୀ ପ୍ରମୁଖ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି। ଜିଲ୍ଲାରେ ବନ୍ୟା ଜନିତ କୌଣସି ଜନହାନି ଘଟି ନାହିଁ। ପ୍ରାୟ ୨୪ ହଜାର ୨୬୦ଟି ପଶୁ ପ୍ରଭାବିତ ହୋଇଥିବା ବେଳେ କୌଣସି ପଶୁଙ୍କ ମୃତ୍ୟୁର ଖବର ମିଳିନାହିଁ। ଚାଷଜମି କ୍ଷୟକ୍ଷତିର ଆକଳନ ବନ୍ୟା ଜଳ କମିବା ପରେ କରାଯିବ। ସେହିପରି ୫ଟି କଚ୍ଚା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।ପ୍ରଭାବିତ ଲୋକଙ୍କ ମଧ୍ୟରେ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି। ଆଜି ସୁଦ୍ଧା ୧୭.୭୫ କ୍ୟୁଣ୍ଟାଲ ଚୁଡ଼ା, ୧.୫ କ୍ୱିଣ୍ଟାଲ ଗୁଡ଼, ୫ କ୍ୱିଣ୍ଟାଲ ଅନ୍ୟାନ୍ୟ ସାମଗ୍ରୀ ସହିତ ୧୩ କାର୍ଟୁନ ବିସ୍କୁଟ, ୧ କାର୍ଟୁନ ମହମବତୀ ଏବଂ ୧ କାର୍ଟୁନ ଦିଆସିଲି ବଣ୍ଟନ କରାଯାଇଛି।ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ମୋଟ ୮ଟି ମେଡିକାଲ ଟିମ୍ ମୁତୟନ କରାଯାଇଛି। ସେଥିମଧ୍ୟରୁ ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁର ଅଞ୍ଚଳରେ ୨ଟି ଏବଂ ମାର୍ଶାଘାଇରେ ଗୋଟିଏ ମେଡିକାଲ ଟିମ୍ କାର୍ଯ୍ୟରତ ରହି ପ୍ରଭାବିତ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଓ ଔଷଧ ବଣ୍ଟନ କରୁଛନ୍ତି।ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଥିବା ବେଳେ ସମସ୍ତ ସମ୍ପୃକ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Next Post

ପଟ୍ଟାମୁଣ୍ଡାଇରେ ବନ୍ୟା , ୩ ଦିନ ହେବ ଜଳବନ୍ଦୀ ଲୋକେ

Fri Jul 31 , 2026
ଅଳଭାଠାରେ ବିପଦସଙ୍କେତ ଉପରେ ଜଳସ୍ତର ଚବାହ୍ୟଜଗତରୁ ବିଚ୍ଛିନ ଅନେକ ଗାଁ ଚହନ୍ତସନ୍ତ ଗୃହପାଳିତ ପ୍ରାଣୀ, ଚମଜୁରିଆ ଲୋକଙ୍କ ଜୀବିକା ପ୍ରଭାବିତ ରିଲିଫ୍ ଅଭାବରୁ ଅସନ୍ତୋଷ   ପଟ୍ଟାମୁଣ୍ଡାଇ ୩୧/୭ -ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଉପରମୁଣ୍ଡ ରେଙ୍ଗାଲି ଡ୍ୟାମ୍‌ରୁ ଜଳ ନିଷ୍କାସନ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଧୋୟାଂଚଳରେ ସଙ୍ଗୀନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading