ଭୁବନେଶ୍ବର – ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ତାଙ୍କର ଓଡ଼ିଶା ବିଭାଜନ ଭଳି ମନ୍ତବ୍ୟ ଓ ରାଜ୍ୟ ସଙ୍ଗୀତକୁ ଅସମ୍ମାନ କରି ବସି ରହିବାକୁ ନେଇ ବିରୋଧୀ ବିଜେଡି ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିବାବେଳେ ବିଜେପି ମଧ୍ୟ ନିରବ ରହିଛି। ଗତ ୪ଦିନ ଧରି ବିଭିନ୍ନସ୍ତରରୁ ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ମଧ୍ୟ ସରକାର ଏନେଇ ମୁହଁ ଖୋଲିନଥିଲେ । ମାତ୍ର ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ମନ୍ତବ୍ୟ ଜୟନାରାୟଣ ମିଶ୍ରଙ୍କର ବ୍ୟକ୍ତିଗତ ମତ । ଏହାକୁ ସରକାର ସମର୍ଥନ କରନ୍ତି ନାହିଁ ବୋଲି କହି ଜୟନାରାୟଣଙ୍କ ରାଜ୍ୟ ବିଭାଜନକାରୀ ମନ୍ତବ୍ୟକୁ ନେଇ ଚାଲିଥିବା ବିବାଦର ପ୍ରଶମିତ ନିମନ୍ତେ ଉଦ୍ୟମ କରିଛନ୍ତି । ଜୟନାରାୟଣ ଆଜି ମଧ୍ୟ ନିଜର ଆଭିମୁଖ୍ୟକୁ ଅଧିକ ଶାଣିତ କରି ସେ ଯାହା କହିଛନ୍ତି ସେଥିରୁ ଓହରିବାର ନାହିଁ । ବରଂ ରାଜ୍ୟ ସଙ୍ଗୀତ ଗାନବେଳେ ସେ ଚେୟାରରେ ବସିରହିବାକୁ ଯର୍ଥାଥ ବୋଲି ଦର୍ଶାଇଛନ୍ତି । କଂଗ୍ରେସ ବିଧାୟକ ଅଶୋକ ଦାସ ରାଜ୍ୟ ସଙ୍ଗୀତକୁ ଅସମ୍ମାନ ସେମାନଙ୍କର ଅହଙ୍କାରର ପରିଚୟ ବୋଲି କହିଥିବାବେଳେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ କଡ଼ା ଭାଷାରେ ଜୟନାରାୟଣଙ୍କୁ ସମାଲୋଚନା କରିଛନ୍ତି ।
Discover more from
Subscribe to get the latest posts sent to your email.