ଦୁର୍ଘଟଣା ରୋକିବା ପାଇଁ ସ୍ପିଡ଼ ବେକର ଲଗାଇବାକୁ ଦାବୀ

ପଟ୍ଟାମୁଣ୍ଡାଇ ୧/୨ – ପଟ୍ଟାମୁଣ୍ଡାଇ ପୌରାଂଚଳର ଜନସଂଖ୍ୟା ଓ ଯାନବାହନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଫଳରେ ଅଧିକାଂଶ ମୁଖ୍ୟ ସଡ଼କ ଗାଡ଼ି ମୋଟରରେ ଉଛୁଳି ପଡ଼ୁଥିବା ବେଳେ ଘଂଟା ଘଂଟା ଯାନବାହନ ଅଟକି ରହୁଛି । ପୂଜା ପର୍ବପର୍ବାଣୀ ବେଳେ ଆଣ୍ଠେଇ ପଡ଼ୁଛି ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଜନସାଧାରଣ ଦହଗଞ୍ଜ ହେଉଛନ୍ତି । ଅବୈଧ ପାର୍କିଂ ଓ ଠେଲା ବେପାରୀଙ୍କ ପାଇଁ ରାସ୍ତା ସଂକୁଚିତ ହେଉଛି । ବଡ଼ ବଡ଼ ସପିଂ ମଲ୍ ଓ ଦୋକାନ ବଜାର ଥିବା ଏହି ସବୁ ରାସ୍ତା ଠପ୍ ହୋଇଯାଉଛି । ଘଂଟା ଘଂଟା ଅଟକି ରହୁଛି ଯାନବାହନ । ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଗାଡ଼ି ବି ଫସୁଛି। ଗୋଟିଏ ପଟେ ପ୍ରଦୂଷଣ ଓ ସଡ଼କ ସୁରକ୍ଷା ନାଁରେ ପରିବହନ ବିଭାଗ କଟକଣା ଓ ଜରିମାନା ଲଗାଇ ଚାଲିଥିବା ବେଳେ ଟ୍ରାଫିକ୍ ଜାମ୍ ଯୋଗୁ ଘଂଟା ଘଂଟା ଗାଡ଼ି ଅଟକି ରହୁଛି । ଅନ୍ୟପକ୍ଷରେ ସ୍ପିଡ ବାଇକ ଧାରିଙ୍କ ଉତ୍ପାତକୁ ପ୍ରଶାସନ ଆଖି ବୁଜିଦେଇଛି । ଫଳରେ ଦୁର୍ଘଟଣା ବଢୁଛି । ଏଣୁ ସହରର ସବୁଠାରୁ ବ୍ୟସ୍ତବହୁଳ ଅଂଚଳ ଭାବେ ପରିଚିତ ବିଜୁ ପଟ୍ଟନାୟକ ଛକ ଓ ବାଲିପଡ଼ା ସ୍କୁଲ ଛକ ନିକଟରେ ସ୍ପିଡ଼ ବେକର ଲଗାଇବା ପାଇଁ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।

ସାମାଜିକକର୍ମୀ ଅକ୍ଷୟ ସାହୁ କୁହନ୍ତି ପଟ୍ଟାମୁଣ୍ଡାଇ ସହରର ସବୁଠାରୁ ବ୍ୟସ୍ତବହୁଳ ଅଂଚଳ ଭାବେ ପଟ୍ଟାମୁଣ୍ଡାଇ ନୂତନ ବାଇପାସ ବିଜୁ ପଟନାୟକ ଛକ ରହିଛି ଓ ଏହି ତ୍ରିକୋଣମୁଖୀ ଛକ ପ୍ରତ୍ୟହ ଶହ ଶହ ଯାନବାହନ ଚାକଚଳ କରିବା ସାଙ୍ଗକୁ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି । ଏହି ରାସ୍ତା ଦେଇ ଲୋକମାନେ ବିଭିନ୍ନ ଯାନବାହନ ସାହାଯ୍ୟରେ କେନ୍ଦ୍ରାପଡ଼ା କଟକ ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ଅଂଚଳକୁ ଯାତାୟାତ କରିବା ସହିତ ଆଳି ରାଜକନିକା ଚାନ୍ଦବାଲି ପର୍ଯ୍ୟନ୍ତ ଯାତାୟାତ କରନ୍ତି । ସେହିପରି ପଟ୍ଟାମୁଣ୍ଡାଇର ପ୍ରବେଶ ଦ୍ୱାର ହୋଇ ଥିବାରୁ ପଟ୍ଟାମୁଣ୍ଡାଇ ରାଜନଗର ଓ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଅଂଚଳକୁ ମଧ୍ୟ ଯାତାୟାତ କରିଥାନ୍ତି । ଏହା ଛଡା ପଟ୍ଟାମୁଣ୍ଡାଇ, ଚୌଦକୁଲାଟ ଓ ଇନ୍ଦୁପୁର, ଦାଣ୍ଡିସାହି, ଅଳପୁଆ ଓ ବରୀ ଅଂଚଳକୁ ଯାତାୟାତ କରୁଛନ୍ତି । ଏଭଳି ସଦା ବ୍ୟସ୍ତବହୁଳ ଗୁରୁତ୍ୱପୂର୍ଣ୍ଣ ଛକରେ ଟ୍ରାଫିକ ପୋଲିସ ବ୍ୟବସ୍ଥା ନଥିବାରୁ ଉତ୍କଟ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳର ବାଲିପଡ଼ା ସ୍କୁଲ ଛକ ନିକଟରେ ଅନୁରୂପ ଉତ୍କଟ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ଯାହାଫଳରେ ବିଭିନ୍ନ ଯାନବାହନ ଚଳାଚଳ ଓ ସାଧାରଣ ଲୋକମାନେ ଯାତାୟାତ ସମୟରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପଟ୍ଟାମୁଣ୍ଡାଇ ନୂତନ ବାଇପାସ ବିଜୁ ପଟ୍ଟନାୟକ ଛକ ଓ ବାଲିପଡ଼ା ସ୍କୁଲ ନିକଟରେ ସ୍ପିଡ଼ ବେକର ଲଗାଇବା ପାଇଁ ବହୁ ଯୁବନେତା ପରେଶ ସାହୁ ସମେତ ବୁଦ୍ଧିଜିବୀ ମାନେ ଦାବୀ କରିଛନ୍ତି ।
ଆଇନଜୀବୀ ଶତ୍ରୁଜିତ ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ସହରର ବିଶେଷତଃ, ବିଜୁପଟ୍ଟନାୟକ ଛକ, ବାଇପାସ, ବାଲିପାଡା ସ୍କୁଲ ଛକ , ମେଡିକାଲ ଛକ, କଲେଜ ଛକ, ବକ୍ତାରପୁର ଛକ, ଏମଏନ ହାଇସ୍କୁଲ-ମହିଳାକଲେଜ ଛକ଼, ପୋଖରିଆପଡା ଛକ ବ୍ୟସ୍ତବହୁଳ ଜନପଥ ହୋଇଥିବା ବେଳେ ଦୈନିକ ଶତାଧିକ ଗାଡି ମୋଟର ଯାଏଆସ କରୁଛି । ।ମେଡିକାଲ ଛକରୁ ବକ୍ତାରପୁର ପର୍ଯନ୍ତ ୬ଟି ଘରୋଇ ଓ ସରକାରୀ ସ୍କୁଲ ଓ କଲେଜ ଥିବା ବେଳେ ଛାତ୍ରୀଛାତ୍ର ଯିବାସିଆ କରନ୍ତି । ସ୍କୁଲ ଗାଡି ଟ୍ରାଫିକରେ ଫସି ରହିବା ହେତୁ ଠିକ ସମୟରେ ଛାତ୍ରୀଛାତ୍ର ବିଦ୍ୟାଳୟରେ ପହଁଚିତ୍ପାରୁ ନାହାନ୍ତି । ଏହି ରାସ୍ତା ଦେଇ ପର୍ଯ୍ୟଟନ ସ୍ଥଳ ଭିିତରକନିକା ପ୍ରବେଶପଥ ହୋଇଥିବାରୁ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ବିକଳ୍ପରେ ବାଇପାସ ରାସ୍ତା ନିର୍ମାଣ କରାଯାଉଛି । କିନ୍ତୁ କାମ ସରିବା ଅବଧିରୁ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥଲେ ବି ପ୍ରଶାସନିକ ଅବହେଳାରୁ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଅନ୍ୟପକ୍ଷରେ ଏଠାରେ ଏଡିଜେ କୋଟ୍ ସହ ୪ଟି କୋଟ୍, ବ୍ଲକ, ପୌରପରିଷଦ, ଉପଖଣ୍ଡ ଡାକ୍ତରଖାନା, ଅନେକ ସବ-ଡିଭିଜନାଲ ଅଫିସ ଥିବାରୁ ବିଭିନ୍ନ କାର୍ଯ୍ୟରେ ଦୈନିକ ଲୋକେ ଆସନ୍ତି । ଟ୍ରାଫିକ ସମସ୍ୟାକୁ ଦେଖି ବାଇପାସ ଠାରୁ–ମେଡିକାଲ ଛକ ଭିଡ଼ କମାଇବାକୁ ଉଠା ଦୋକାନୀ ଉତ୍ସେଦ କରାଯାଇଥିଲା । ହେଲେ ଟ୍ରାଫିକ ସମସ୍ୟା ୍ଯେପରିଥିଲା ସେପରି ରହୁଛି । ଟ୍ରାଫିକ୍ ସମସ୍ୟା ଉତ୍କଟ ହେବା ପଛରେ ବିଭାଗ ମଧ୍ୟରେ ସମନ୍ୱୟ ନରହିବା ଜନସାଧାରଣ ଦାୟୀ କରିଛନ୍ତି ।
