
କେନ୍ଦ୍ରାପଡା ୧୨/୮ : ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ବ୍ଳକ୍ର ଖାଲପାଟ ଓ ଉପର ଜମିର ଧାନ ଫସଲ ସମ୍ପୂର୍ଣ୍ଣ ପାଣିରେ ବୁଡି ରହିଛି। ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରାଯିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଚାଷୀ ଶ୍ରମିକ ସଂଘ ଦାବୀ କରିଛନ୍ତି । ଦାବି ପତ୍ରରେ ଉଲ୍ଲେଖ ଅଛି ଯୋ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ବ୍ଲକ୍ର ବ୍ୟାପକ ଧାନ ଫସଲ ପାଣିରେ ବୁଡି ରହିଥିବାରୁ ଚାଷ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ସମୟରେ ଜମିରେ ଧାନ ରୁଆ ଯାଇଥିବା ପାଟ ଜମି, ପ୍ରସ୍ତୁତ କରାଯାଇଥିବା ତଳି ଘେରା ସମ୍ପୂର୍ଣ୍ଣ ରୂପେ ପାଣିରେ ବୁଡ଼ିଥିବାରୁ ଧାନ ଓ ତଳି ଘେରା ଗୁଡ଼ିକ ନଷ୍ଟ ହେବାକୁ ଲାଗିଲାଣି। ବିଶେଷ କରି କେନ୍ଦ୍ରାପଡା ବ୍ଳକର ଚକ୍ରୋଡା ପାଟ, ଭରତ ପୁର ପାଟ, ଶ୍ୟାସୁନ୍ଦରପୁର ପାଟ, ଜମଧର ପାଟ, ବଗଡ଼ା ପାଟ, ଗୁଲନଗର, କପାଲେଶ୍ୱର ପାଟ, କଂସାର, ଆୟୋବା ପାଟ, ପୁରୁଷୋତ୍ତମ ପୁର ପାଟ ପାଣିରେ ବୁଡି ରହିଥିବାରୁ ଓ ଜଳ ନିଷ୍କାସନ ହୋଇପାରୁନଥିବାରୁ ଫସଲ ହାନି ନିଶ୍ଚିନ୍ତ । ପାଟର ପାଣି ନିଷ୍କାସନ ହୋଇ ପାରୁନାହିଁ, କାରଣ ଦୁହୁରିଆ ଠାରୁ ସେଣ୍ଟ ଜୋସେଫ ସ୍କୁଲ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଲୋକମାନେ ଘର ଦ୍ୱାର କରି ଜଳ ନିଷ୍କାସନ ପଥକୁ ଅବରୋଧ କରିଛନ୍ତି। ଉପରକୁ ୮ ଫୁଟ ଉଚ୍ଚ ୧୦ ଫୁଟ ଓସାର ଡ୍ରେନ୍ ଦେଖା ଯାଉଥିଲେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନି। ଏହାର କାରଣ ଡ୍ରେନ୍କୁ ଭିତରେ ପୁରା ସଙ୍କୁଚିତ କରାଯାଇ ମାତ୍ର ୨ ଫୁଟ ନିଷ୍କାସନ ପଥ ରଖାଯାଇଛି। ଯତ୍ଦ୍ୱାରତ୍ପାଣି ନିଷ୍କାସନ ବନ୍ଦ, ଚାଷୀ ବେହାଲ, ରାସ୍ତା କଡ଼ରେ ଘର କରିଥିବା ଲୋକ ମାଲାମାଲ । ପାଣି ନିଷ୍କାସନ ପଥରୁ ଅବରୋଧ ହଟାଇବା ପାଇଁ ପ୍ରଶାସନ ଦ୍ୱାରା ଏକ କମିଟି ଗଠନ କରାଯିବାର ଆବଶ୍ୟକତା ରହିଛି। ଯେଉଁଥିରେ ଜଳସେଚନ ବିଭାଗ, କୃଷିବିଭାଗ, ଡ୍ରେନେଜ୍ ବିଭାଗ ଏବଂ ଚାଷୀମାନେ ରହି ନିଷ୍କାସନର ବ୍ୟବସ୍ଥା କରିପାରିବେ ବୋଲି ଜିଲ୍ଲା ଚାଷୀ ଶ୍ରମିକ ସଂଘ ଜିଲ୍ଲାପାଳ ନିକଟରେ ଦାବି କରିକରିଛନ୍ତି । ଏହି ଦାବି ପତ୍ର ସମୟରେ ସଂଘର ସଭାପତି ଶରତ ମିଶ୍ର, କୃତିବାସ ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦିପ୍ତ କୁମାର ମହାନ୍ତି, କିଶୋର ଚନ୍ଦ୍ର ମହାନ୍ତି, ଗୋଲଖ ଚନ୍ଦ୍ର ମହାନ୍ତି, ରଣଜିତ ସାମଲ, ମଧୁ ମହାନ୍ତି, ଅଞ୍ଜନ କୁମାର ପଲାଇ, ଦାମୋଧର ଜେନା, ଅଭିମନ୍ୟୁ ମହାନ୍ତି, ରମେଶ ଚନ୍ଦ୍ର ବାରିକ, ଅନନ୍ତ ଭୂୟାଁ, ଆଦିକନ୍ଦ ବଳ, ଅକ୍ଷୟ କୁମାର ତ୍ରିପାଠୀ, ବିଦ୍ୟୁଲତା ପଲାଇ, ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।
